ଦିନରେ ରଙ୍ଗମିସ୍ତ୍ରି ଭାବେ କାମ କରିବା ଭିତରେ ରେକି କରୁଥିଲା। ରାତିରେ ସାଜୁଥିଲା ସିନ୍ଧିଚୋର। ଦିନରୁ ରେକି କରିଥିବା ଘରର ଝରକା, କବାଟ କିମ୍ବା ଗ୍ରିଲ୍ କାଟି କଳାକନା ବୁଲାଉଥିଲା। ଆଜି ଏଭଳି ଜଣେ କୁଖ୍ୟାତ ସିନ୍ଧିଚୋର ପୂର୍ଣ୍ଣଚନ୍ଦ୍ର ବେହେରା ଓରଫ୍ ପୁନିଆ(୩୨)କୁ ଚିଲି ପୋଖରୀ ଅଞ୍ଚଳରୁ ବଡ଼ଗଡ଼ ଥାନା ପୁଲିସ ଗିରଫ କରିଛି। ତା’ ନିକଟରୁ ପ୍ରାୟ ୧୫ ଲକ୍ଷ ଟଙ୍କା ମୂଲ୍ୟର ଗହଣା ଜବତ କରାଯାଇଛି।
ପୁଲିସ ସୂଚନାନୁସାରେ ଗତ ୨୦ ତାରିଖ ଅପରାହ୍ଣରେ ସୁରଞ୍ଜନ କୁମାର ଦାସଙ୍କ ଘରୁ ଚୋରି ହୋଇଥିବା ନେଇ ଏକ ଅଭିଯୋଗ ହୋଇଥିଲା। ସୁରଞ୍ଜନଙ୍କ ପରିବାର ଲୋକେ ମଧ୍ୟାହ୍ନ ୧୨ଟାରୁ ଅପରାହ୍ଣ ୨ଟା ମଧ୍ୟରେ ଘରେ ନଥିବା ସମୟରେ କେହି ଘରର ତାଲା ଭାଙ୍ଗି କଳାକନା ବୁଲାଇଥିଲା। ବହୁ ଗହଣା ଓ କିଛି ଟଙ୍କା ଚୋରି ହୋଇଥିଲା ବୋଲି ସୁରଞ୍ଜନ ଏତଲାରେ ଦର୍ଶାଇଥିଲେ। ସିନ୍ଧିଚୋରିର ଢାଞ୍ଚାରୁ ପୁଲିସ କୁଖ୍ୟାତ ପୁନିଆକୁ ପ୍ରଥମରୁ ସନ୍ଦେହ କରିଥିଲା। କିନ୍ତୁ ଅଭିଯୋଗ ପରଠୁ ପୁଲିସ ବାରମ୍ବାର ତା’ ଘରକୁ ଯାଇ ଖାଲି ହାତରେ ଫେରିଥିଲା। ଗତକାଲି ସନ୍ଧ୍ୟାରେ ସେ ମଇଁଷିଖାଲ ବସ୍ତିରେ ଥିବା ଖବର ପାଇ ପୁଲିସ ଚଢ଼ଉ କରି ତାକୁ ଧରିଥିଲା। ତା’ ଘରୁ ପୁଲିସ ବିପୁଳ ଗହଣା ଓ ନଗଦ ୩୫ ଶହ ଟଙ୍କା ଜବତ କରିଥିଲା। ପୁନିଆ ଜଣେ କୁଖ୍ୟାତ ସିନ୍ଧିଚୋର ଏବଂ ତା ନାଁରେ ଲିଙ୍ଗରାଜ, ମଞ୍ଚେଶ୍ୱର, ସହିଦନଗର, ବଡ଼ଗଡ଼ ଓ କ୍ୟାପିଟାଲ୍ ଥାନାରେ ୭ରୁ ଅଧିକ ଚୋରି ମାମଲା ରହିଛି।