ବିଜେଡି ହାତରୁ ଖସିଯିବକି ଚମ୍ପୁଆ ଆସନ!
ଯୋଡା: ୦୪/୦୩(ସଂଘର୍ଷ ରମେଶ)ଚଳିତ ବିଧାନସଭା ଅଧିବେସନ ସମାପ୍ତ ହୋଇଛି । ରାଜ୍ୟ ବ୍ୟାପୀ ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର ହେବାରେ ଲାଗିଛି । ନିର୍ବାଚନର ତାରିଖ ଘୋଷଣା ହୋଇନଥିଲେ ମଧ୍ୟ ନିର୍ବାଚନ ମଣ୍ଡଳୀରେ ଉଷ୍ମତା ଦେଖାଦେବାରେ ଲାଗିଛି । ରାଜ୍ୟର ବହୁ ଚର୍ଚ୍ଚିତ ବିଧାନସଭା ଆସନ ଚମ୍ପୁଆ । ସାଧାରଣ ବର୍ଗର ହେବା ପରେ ଏଠାରେ ପ୍ରାର୍ଥୀମାନଙ୍କର ତାଲିକା ମଧ୍ୟ ଲମ୍ବିବାରେ ଲାଗିଛି । ପ୍ରତି ନିର୍ବାଚନରେ ଜୋରଦାର ଟକ୍କର ଦେଖିବାକୁ ମିଳୁଛି । ନିର୍ବାଚନ ମଣ୍ଡଳୀଟି ବଡବିଲ, ଯୋଡା ଭଳି ୨ଟି ଖଣି ପ୍ରବଣ ପୌରପାଳିକା, ଚମ୍ପୁଆ ବିଜ୍ଞାପିତ ଅଞ୍ଚଳ ପରିଷଦ, ଯୋଡା ଓ ଚମ୍ପୁଆ ୨ଟି ପଞ୍ଚାୟତକୁ ନେଇ ଗଠିତ । ଖଣି ଖାଦାନରେ ପରିପୂର୍ଣ୍ଣ ଚମ୍ପୁଆ ବିଧାନସଭା ଆସନଟି ରାଜ୍ୟ ରାଜନୀତିରେ ବେସ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥାଏ । ଏହି ନିର୍ବାଚନ ମଣ୍ଡଳୀର ଇତିହାସ ଦେଖିବାକୁ ଗଲେ ସ୍ୱାଧିନତା ପରେ ୧୯୫୧ ଠାରୁ ୨୦୦୪ ପର୍ଯ୍ୟନ୍ତ ବିଧାନସଭା ଆସନଟି ଅଣସୂଚିତ ଜନଜାତୀ ବର୍ଗଙ୍କ ପାଇଁ ସଂରକ୍ଷୀତ ରହିଆସିଥିଲା । ଦୀର୍ଘ ସମୟ ଧରି କଂଗ୍ରେସ ଏହି ଅଞ୍ଚଳରେ ନିଜର ପତିଆରା ବିସ୍ତାର କରିପାରିଥିଲା । ତେବେ ୨୦୦୯ ମସିହାରେ ଏହି ବଧାନସଭା ଆସନଟି ଅଣସଂରକ୍ଷୀତ ହେବା ପରେ କଂଗ୍ରେସ ଦଳଛାଡି ଜିତୁ ପଟ୍ଟନାୟକ ଏବଂ ସନାତନ ମହାକୁଡ ପର୍ଯ୍ୟାୟକ୍ରମେ ୨୦୦୯ ଓ ୨୦୧୪ ରେ ସ୍ୱାଧିନ ପ୍ରାର୍ଥୀ ଭାବେ ବିଜୟ ହାସଲ କରି ନିଜର ସ୍ଥିତି ଜାହିର କରିପାରିଥିଲେ । ତେବେ ୨୦୦୯ ନିର୍ବାଚନରେ ସ୍ୱାଧିନ ପ୍ରାର୍ଥୀ ଜିତୁ ପଟ୍ଟନାୟକ ଏବଂ ସ୍ୱାଧିନ ପ୍ରାର୍ଥୀ ସନାତନ ମହାକୁଡଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିବା ବେଳେ ମାତ୍ର ୧୪୫ ଖଣ୍ଡ ଭୋଟ ବ୍ୟବଧାନରେ ଜିତୁ ପଟ୍ଟନାୟକ ବିଜୟ ହାସଲ କରିପାରିଥିଲେ । ତେବେ ୨୦୧୪ ନିର୍ବାଚନରେ ସ୍ୱାଧିନ ପ୍ରାର୍ଥୀ ସନାତନ ମହାକୁଡ ଏବଂ ସ୍ୱାଧିନ ପ୍ରାର୍ଥୀ କୁଶ ଆପଟ୍ଟଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦିତା ଦେଖିବାକୁ ମିଳିଥିଲା । ସନାତନ ମହାକୁଡ ୬୯୬୩୦ (୪୫.୫%) ଖଣ୍ଡ ଭୋଟ ପାଇ ବିଜୟ ହାସଲ କରିଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ୫୪୯୫୭ (୩୫.୯%) ଭୋଟ ପାଇ ପରାଜୟ ବରଣ କରିଥିଲେ । ତେବେ ଶାସକ ବିଜେଡି ତତ୍ତ୍ୱପ୍ରକାଶ ଓରଫ ପପୁ ପମପମଙ୍କୁ ଏହି ନିର୍ବାଚନ ମଣ୍ଡଳିରୁ ଟିକେଟ ଦେଇଥିବା ବେଳେ ସେ ମାତ୍ର ୧୦୨୩୩ (୬.୭%) ଖଣ୍ଡ ଭୋଟ ପାଇଁ ନିଜର ଅମାନତ ହରାଇବସିଥିଲେ । ପରେ ବିଜେଡି ପକ୍ଷରୁ ସନାତନଙ୍କ ଉପରେ ବାରମ୍ବାର ଚାପ ପ୍ରୟୋଗ କରାଯାଇଥିଲା । ଫଳରେ ସେ ବିଜେଡିକୁ ସମର୍ଥନ କରିବା ପାଇଁ ବାଧ୍ୟ ହୋଇପଡିଥିଲେ । କିନ୍ତୁ ତାଙ୍କୁ ଅଦ୍ୟାବଧି ଦଳରେ ସାମିଲ କରାଯାଇନାହିଁ । ତେବେ ୨୦୧୯ ନିର୍ବାଚନରେ ସନାତନ ମହାକୁଡଙ୍କୁ ଟିକେଟ ନଦିଆଯାଇ ତାଙ୍କ ସମର୍ଥୀତ ପ୍ରାର୍ଥୀଙ୍କୁ ଟିକେଟ ଦେବା ପାଇଁ ବିଜେଡି ସନାତନଙ୍କ ନିକଟରେ ସର୍ତ୍ତ ରଖିଥିଲା । ଫଳରେ ସନାତନ ମହାକୁଡ ତାଙ୍କର ସେତେବେଳର ଅତ୍ୟନ୍ତ ବିଶ୍ୱସ୍ଥ ସହଯୋଗୀ ଭକ୍ତବନ୍ଧୁ ମହାନ୍ତଙ୍କୁ ଏଥିପାଇଁ ବାଛିଥିବା ବେଳେ ଭକ୍ତବନ୍ଧୁଙ୍କ ନାମରେ ଅନେକ ଫୌଜଦାରୀ ମାମଲା ଥିବାରୁ ତାଙ୍କର ସ୍ତ୍ରୀ ମିନାକ୍ଷୀ ମହାନ୍ତଙ୍କୁ ବିଜେଡି ପକ୍ଷରୁ ଟିକେଟ ଦିଆଯାଇଥିଲା । ତେବେ ସନାତନଙ୍କ ଉଦ୍ୟମ ଫଳରେ ମିନାକ୍ଷୀ ୮୯୫୨୫ ଖଣ୍ଡ (୫୩%) ଭୋଟ ପାଇଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ମୁରଲୀ ମନୋହର ଶର୍ମା ୬୩୧୧୭ (୩୭%) ଖଣ୍ଡ ଭୋଟ ପାଇଁ ପ୍ରାୟ ୨୬୪୦୮ ଭୋଟ ବ୍ୟବଧାନରେ ଶୋଚନୀୟ ପରାଜୟ ବରଣ କରିଥିଲେ । ପରିସ୍ଥିତି ଏପରି ହୋଇଥିଲା ଯେ, ଦିନେ କଂଗ୍ରେସର ଗଡ କୁହାଯାଉଥିବା ଏହି ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପକ୍ଷରୁ ପ୍ରତିଦ୍ୱନ୍ଦୀତା କରୁଥିବା ଯଦୁମଣି ବାରିକଙ୍କୁ ମାତ୍ର ୪୨୧୭ (୨%) ଖଣ୍ଡ ଭୋଟ ପାଇ ଅମାନତ ହାରିବାକୁ ପଡିଥିଲା । ତେବେ ପରବର୍ତ୍ତୀ ସମୟରେ ଭକ୍ତବନ୍ଧୁ ଏବଂ ତାଙ୍କର ସ୍ତ୍ରୀ ବିଧାୟିକା ମିନାକ୍ଷୀ ମହାନ୍ତ ସନାତନ ମହାକୁଡଙ୍କ ସହିତ ବ୍ୟବସାୟୀକ ଦୃଷ୍ଟି କୋଣରୁ ତିକ୍ତତା ବୃଦ୍ଧି ପାଇଥିଲା । ଏବେ ସନାତନଙ୍କ ସମର୍ଥନ ମିନାକ୍ଷୀଙ୍କ ପ୍ରତି ନଥିବା ବେଳେ ଏହି ନିର୍ବାଚନ ମଣ୍ଡଳୀରେ ସନାତନଙ୍କ ଗତିବିଧି ଚମ୍ପୁଆ ରାଜନୀତି ପାଣିପାଗ ଉପରେ ବେଶ ପ୍ରଭାବ ପକାଇବ ବୋଲି ଜଣାପଡିଛି । ତେବେ ଆଗାମୀ ବିଧାନସଭା ନିର୍ବାଚନରେ ସନାତନ ପ୍ରତ୍ୟେକ୍ଷ ନିର୍ବାଚନରେ ଅବତରଣ କରିବେ ବୋଲି ସ୍ପଷ୍ଟ କରିଥିବା ବେଳେ ବିଜେଡି ତାଙ୍କୁ ଟିକେଟ ନଦେଲେ ସେ ସ୍ୱାଧିନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ ବୋଲି କର୍ମିଙ୍କ ମହଲରେ ଚର୍ଚ୍ଚା ହେବାରେ ଲାଗିଛି । ନିକଟରେ ସମ୍ବଲପୁର ଠାରେ ମା’ ସମଲାଇ ମନ୍ଦିରର ରୂପାନ୍ତରଣ ଏବଂ କେନ୍ଦୁଝର ଠାରେ ୫ଟି ସଚିବଙ୍କ ଗସ୍ତ ସମୟରେ ସନାତନଙ୍କ ବିଜେଡି ଦଳରେ ଉପସ୍ଥିତି ତାଙ୍କ ପ୍ରତି ଦଳର ଆସ୍ଥା ବଢିଥିବା ସୂଚନା ମିଳିଛି । ଗତ ପୌର ଏବଂ ପଞ୍ଚାୟତ ନିର୍ବାଚନରେ ମଧ୍ୟ ସନାତନଙ୍କ ବିଜେଡି ଦଳ ପ୍ରତି ସମର୍ଥନ ବିଜେଡିକୁ ବିଜୟ ହାସଲର ସ୍ୱାଦ ଚାଖିବାକୁ ଦେଇଥିଲା । ଆସନ୍ତା ନିର୍ବାଚନରେ ଦଳିୟ ପ୍ରାର୍ଥୀତ୍ୱକୁ ନେଇ ଅନେକ ଦାବିଦାର ରହିଥିବା ବେଳେ ଆଶାୟୀଙ୍କ ସଂଖ୍ୟା ମଧ୍ୟ କିଛି କମ ନୁହେଁ । ମୁଖ୍ୟତଃ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସର ଏକାଧିକ ଆଶାୟୀ ଦଳିୟ ଟିକେଟ ପାଇଁ ଦାବିଦାର ଥିବା ନେଇ ସାଧାରଣରେ ଆଲୋଚନା ହେବାରେ ଲାଗିଛି । ଏଥିରେ ଶାସକ ଦଳ ବିଜେଡି ସବୁଠାରୁ ଆଗରେ ରହିଛି । ବର୍ତ୍ତମାନର ବିଧାୟୀକା ମିନାକ୍ଷୀ ମହାନ୍ତ, ପୂର୍ବତନ ବିଧାୟକ ସନାତନ ମହାକୁଡ, କୁଶ ଆପଟ୍ଟଙ୍କ ନାମ ଆଗରେ ରହିଛି । ସେହିପରି ବଡବିଲ ପୌରାଧ୍ୟକ୍ଷ ଲକ୍ଷ୍ମଣ ମହାନ୍ତ, ଯୋଡା ପୌରାଧ୍ୟକ୍ଷ ଡା. ଜଗଦୀଶ ପ୍ରସାଦ ସାହୁ, ଚମ୍ପୁଆ ପୌରାଧ୍ୟକ୍ଷ ଗିରିଜା ଶଙ୍କର ସାହୁ, ଶିଳ୍ପପତି ଶ୍ରୀନିବାସ ସାହୁ ମଧ୍ୟ ଏହି ଦୌଡରେ ରହିଥିବା ଚର୍ଚ୍ଚା ହେଉଛି । କେହି କେହି ଶ୍ରୀନିବାସ ସାହୁ ତାଙ୍କର ଝିଅଙ୍କୁ ବିଜେଡି ଦଳ ପକ୍ଷରୁ ପ୍ରାର୍ଥୀ କରିପାରନ୍ତି ବୋଲି ମଧ୍ୟ ଆଲୋଚନା ହେଉଛି । ସେହିପରି ବିଜେପି ଦଳର ଏଥର ମଧ୍ୟ ଡା. ମୁରଲି ମନୋହର ଶର୍ମାଙ୍କୁ ବଡ ଦାବିଦାର କୁହାଯାଉଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀମନ୍ତ ତ୍ରିପାଠୀ, ପୂର୍ବତନ ବଡବିଲ ପୌରାଧ୍ୟକ୍ଷ ଦିଲ୍ଲିପ ମିଶ୍ର, ଅଗ୍ନୁଚରଣ ମହାନ୍ତ ଦଳିୟ ଟିକେଟ ପାଇଁ ଆଶାବାଦୀ ରହିଥିବା ଚର୍ଚ୍ଚା ହେଉଛି । ଜାତୀୟ ଦଳ କଂଗ୍ରେସ ପକ୍ଷରୁ ଦାବିଦାର ଭାବରେ ପୂର୍ବ ପ୍ରାର୍ଥୀ ଯଦୁମଣି ବାରିକଙ୍କ ନାମ ଆଗରେ ରହିଥିବା ବେଳେ ଚମ୍ପୁଆର ବରିଷ୍ଠ କଂଗ୍ରେସ ସଂଗଠକ ଗୁରୁବକ୍ସ ସିଂ ଆହ୍ଲୁୱାଲିଆ, ବଡବିଲର ଅଶୋକ ଠକ୍କର, ପୂର୍ବତନ ଜିଲା କଂଗ୍ରେସ ସଭାପତି ବିପ୍ଲବ ମିଶ୍ରଙ୍କ ନାମ ଚର୍ଚ୍ଚାରେ ରହିଛି । ତେବେ ସନାତନ ମହାକୁଡଙ୍କୁ ବିଜେଡି ପକ୍ଷରୁ ଟିକେଟ ଦିଆନଗଲେ ପୁନଃର୍ବାର ଚମ୍ପୁଆରେ ସ୍ୱାଧିନ ପ୍ରାର୍ଥୀ ବିଜୟ ହାସଲ କରିବା ସମ୍ଭାବନା ଅଧିକ ରହିଛି । ପ୍ରଧାନମନ୍ତୀଙ୍କ ଓଡିଶା ଗସ୍ତପରେ ସନାତନ ବିଜେପିରେ ମିଶିବା ନେଇ ସମଗ୍ର ଜିଲ୍ଲାରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି। ସନାତନ ଚମ୍ପୁଆ ନିର୍ବାଚନରେ ଅଂଶଗ୍ରହଣ ନକଲେ ଏହି ଆସନଟି ବିଜେପି ହାତକୁ ଚାଲିଯିବାର ସମ୍ଭାବନାକୁ ମଧ୍ୟ ଏଡାଇ ଦିଆଯାଇନପାରେ । ସନାତନଙ୍କ ବିଜେପିରେ ଯୋଗ ଦାନ ସମଗ୍ର କେନ୍ଦୁଝର ଓ ଆଂଶିକଭାବେ ମୟୁରଭଞ୍ଜ ଜିଲ୍ଲା ଉପରେ ଏହା ପ୍ରଭାବ ପକାଇବ। କେନ୍ଦ୍ରରେ ବିଜେପି – ବିଜେଡି ମେଣ୍ଟ ହେଲେ ଚମ୍ପୁଆ ରାଜନୀତିର ମୋଡ ସମ୍ପୂର୍ଣ୍ଣ ବଦଳିଯିବ। ତେବେ ଦେଖାଯାଉ ଚମ୍ପୁଆ ନିର୍ବାଚନ ମଣ୍ଡଳିରେ ଆଗାମୀ ଦିନରେ ଚମ୍ପୁଆ ବାସୀ କାହା ମୁଣ୍ଡରେ ବିଜୟ ମୁକୁଟ ପିନ୍ଧାଉଛନ୍ତି !