ରାୟଗଡ଼ା/ଗୁଡ଼ାରୀ, ୧୧-୦୩-୨୦୨୪.ମୃତ୍ୟୁ ମଣିଷର ପଛେ ପଛେ ଛାଇପରି ଲାଗି ରହିଥାଏ । କେତେବେଳେ କେଉଁ ମୁହୂର୍ତ୍ତରେ ମୃତ୍ୟୁ ଆସେ ମଣିଷ ଜାଣିପାରେ ନାହିଁ । ରାସ୍ତା କଡ଼ ଖାନାରେ ବଶି କଥା ହେଉଥିବାବେଳେ ବାଲି ବୋଝେଇ ଟ୍ରାକ୍ଟର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଟ୍ରାକ୍ଟର କ୍ଷତି ହେବା ସହ ଯୁବକର ମୃତ୍ୟୁ ଘଟିଥିବା ଦେଖିବାକୁ ମିଳିଛି । ଏପରି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ସଦର ମହକୁମା ସ୍ଥିତ ପେଟ୍ରୋଲପମ୍ପ ନିକଟରେ । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବାଲିବୋଝେଇ ଟ୍ରାକ୍ଟର ଧକ୍କାରେ ଯୁବକର ମୃତ୍ୟୁ । ଘଟଣା ସ୍ଥଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ଦେଖବାକୁ ମିଳିଛି । ସୂଚନା ମୁତାବକ ବଂଶଧାରା ନଦୀରୁ ଟ୍ରାକ୍ଟର ନମ୍ବର OD 18 C 8271 ଯୋଗେ ବାଲି ଚାଲାଣ ହେଉଥିଲା । ଟ୍ରାକ୍ଟରଟି ଦ୍ରୁତ ଗତିରେ ଯାଉଥିବା ବେଳେ ବାଲି ଓଜନ ସାଙ୍ଗକୁ ଦ୍ରୁତ ଗତି, ଫଳରେ ଗାଡ଼ିର ଚକା ବ୍ୟାରିଂ ଭାଙ୍ଗି ଚକାଖସି ରାସ୍ତାରେ ପଡ଼ିଯାଇଥିବା ବେଳେ ପ୍ରାୟ ୧୦୦ ଫୁଟ ଦୂରକୁ ଗାଡି ଘୁଷାଡିହୋଇ ଯାଇଥିବା ବେଳେ ରାସ୍ତା କଡ଼ ଖାନାରେ ବଶି ମୋବାଇଲ୍ ଫୋନ୍ ଯୋଗେ କଥାବାର୍ତ୍ତା ହେଉଥିବା ଯୁବକ ଉପରେ ଗାଡ଼ି ଚଡ଼ି ଯାଇଥିବା ସୂଚନା ମିଳିଛି । ଫଳରେ ଯୁବକର ମୃତ୍ୟୁ ଘଟିଛି । ମୃତ ଯୁବକ ଟିଡିଙ୍ଗିପଦର ଗ୍ରାମର ମହନ ଶବର ବୋଲି ଜଣା ପଡ଼ିଛି । ଘଟଣା ସ୍ଥଳରେ ଭାରାପ୍ରାପ୍ତ ଥାନା ଅଧିକାରୀ ଶ୍ରୀମତି ସମର୍ପିତା ସ୍ବାଇଁ ଏବଂ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ ସହ ମୃତକଙ୍କ ପରିବାର ସହିତ ଆଲୋଚନା କରିଥିଲେ । ପରିବାର ଲୋକେ ଟ୍ରାକ୍ଟର ଦୁର୍ଘଟଣାରେ ମୃତ୍ୟ ହୋଇଥିବା ନେଇ କ୍ଷତିପୂରଣ ଦାବି କରିଥିଲେ । ଉଭୟଙ୍କ ମଧ୍ୟରେ ବହୁ ସମୟ ଧରି ତର୍କ ବିତର୍କ ପରେ ଆପୋଷ ବୁଝାମଣା ହୋଇଥିଲା । ପ୍ରଶାସନ ତରଫରୁ ତହସିଲଦାର ସୁଶ୍ରୀ ଏ.ସେହଲତା ପହଞ୍ଚି ମୃତକଙ୍କ ପରିବାରକୁ ରେଡ଼କ୍ରସ ପାଣ୍ଠିରୁ ୨୦ ହଜାର ଟଙ୍କା ସହାୟତା ଯୋଗାଇଥିବା ବେଳେ ଗୁଡ଼ାରୀ ଭାରାପ୍ରାପ୍ତ ଥାନା ଅଧିକାରୀ ଶ୍ରୀମତି ସମର୍ପିତା ସ୍ବାଇଁ ଦୁର୍ଘଟଣା ଜନିତ ମୃତ୍ୟୁ ମାମଲାରେ ଏକ କେସ୍ ରୁଜ୍ଜୁ କରି ସ୍ଥାନୀୟ ତହସିଲଦାର ତଥା ଏକଜୁକେଟିଭ ମାଜିଷ୍ଟ୍ରେଟ ସୁଶ୍ରୀ ଏ. ସ୍ନେହଲତାଙ୍କ ଉପସ୍ଥିତରେ ଶବ ବ୍ୟବଚ୍ଛେଦ ନିମନ୍ତେ ଗୁଣୁପୁର ସ୍ଥାନାନ୍ତରିତ କରାଯାଇଛି ।