ଭୁବନେଶ୍ୱରରେ ପହଞ୍ଚିଲା କୁଏତରେ ଭୟାବହ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ୨ ଓଡ଼ିଆଙ୍କ ପାର୍ଥିବ ଶରୀର। ମହମ୍ମଦ ଜହୁର ଓ ସନ୍ତୋଷ ଗୌଡ଼ଙ୍କ ମରଶରୀର ଆଜି ସକାଳେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛି।
ଦୁଇ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ୪ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ରାଜ୍ୟ ସରକାର।
ଗତ ବୁଧବାର କୁଏତର ଦକ୍ଷିଣପ୍ରାନ୍ତସ୍ଥିତ ଅହମଦୀର ମଙ୍ଗାଫରେ ଥିବା ଏକ ୬ ମହଲା ବିଲ୍ଡିଂରେ ଏହି ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ପ୍ରାୟ ୪୯ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୫ ଜଣ ଭାରତୀୟ ଥିଲେ। ୪୫ ଭାରତୀୟଙ୍କ ମୃତଦେହ ଧରି ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବିମାନ ଗତକାଲି କୋଚିରେ ପହଞ୍ଚିଥିଲା। ସେଠାରୁ ବିମାନଟି ନୂଆ ଦିଲ୍ଲୀ ଚାଲି ଯାଇଥିଲା। ସେଠାରୁ ୨ ଓଡ଼ିଆଙ୍କ ମୃତଦେହ ଧରି ଏକ ସ୍ୱତନ୍ତ୍ର ବିମାନ ଆଜି ଭୁବନେଶ୍ୱରରେ ପହଞ୍ଚିଛି।