ଯୋଡ଼ା/ ୧୯/୧୨ (sangharsatv) ବଡ଼ବିଲ କେନ୍ଦୁଝର ଜିଲ୍ଲା ଦେଓଝର ପଞ୍ଚାୟତ ଠାରେ ଅବସ୍ଥିତ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରର ସାମାଜିକ ସଂଗଠନ ଜେଏସପି ଫାଉଣ୍ଡେସନ ଦ୍ୱାରା ୮ମ ବାର୍ଷିକ ଓପି ଜିନ୍ଦଲ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ତିନିଦିନ ବ୍ୟାପି ଆୟୋଜନ କରାଯାଇଥିବା ଟୁର୍ଣ୍ଣାମେଣ୍ଟରେ ନିକଟବର୍ତ୍ତୀ ୫ଟି ପଂଚାୟତର ମୋଟ ୪୦ଟି ଦଳ ଭାଗ ନେଇଥିବା ବେଳେ ସେଥିମଧ୍ୟରୁ ଶ୍ରେଷ୍ଠ ୧୬ ଗୋଟି ଦଳକୁ ବଛାଯାଇ ଉକ୍ତ ପ୍ରତିଯୋଗିତାରେ ଖେଳିବାର ସୁଯୋଗ ଦିଆଯାଇଥିଲା । ୧୪ ଗୋଟି ଦଳକୁ ଚକମା ଦେଇ ଶେଷରେ ସାନବଡ଼ବିଲ ଏକାଦଶ ଓ ଦାମପୁର ଏକାଦଶ ଫାଇନାଲ୍ ଖେଳିବାକୁ ମନୋନିତ ହୋଇଥିଲେ । ସାନବଡ଼ବିଲ ଓ ଦାମପୁର ଉଭୟ ଦଳ ମଧ୍ୟରେ କଡା ଟକର ହୋଇଥିବା ବେଳେ ଏହି ଟୁର୍ଣ୍ଣାମେଣ୍ଟ ଟିକୁ ସାନବଡ଼ବିଲ ଦଳ ନିଜ ଅକ୍ତିଆର କୁ ନେବା ସହିତ ୩-୦ ଗୋଲରେ ଚଳିତ ବର୍ଷର ବିଜେତା ପଦବୀ ହାସଲ କରିଥିଲେ । ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ ଏକ ସଭାର ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ଜିନ୍ଦଲ କାରଖାନାର ୟୁନିଟ ମୁଖ୍ୟ ଶ୍ରୀ ପୁରୁଷୋତ୍ତମ ଏମଡି ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କମ୍ପାନୀର ମାନବ ସମ୍ବଳ ମୁଖ୍ୟ ଅଧିକାରୀ ଆଶିଷ ରଞ୍ଜନ ମହାନ୍ତି, ସିଏସଆର ମୁଖ୍ୟ ଭର୍ଜିଲ ଲାକ୍ରା, କର୍ପୋରେଟ କମୁନିକେସନ ମୁଖ୍ୟ ଚୌଧୁରୀ ପ୍ରଣବାନନ୍ଦ ଦାସ, ଦେଓଝର ସରପଂଚ ଧ୍ରୁବ ଚରଣ ନାଏକ, ଦେଓଝର ସମିତିସଭ୍ୟା ଲଷ୍ମୀ ମୁଣ୍ଡା, ପୂର୍ବତନ ସରପଞ୍ଚ ଜନାର୍ଦନ ନାଏକ, ବିରିକଳା ସମିଟିସଭ୍ୟ ଜ୍ଞାନରଞ୍ଜନ ଖୁଣ୍ଟିଆ, ସମାଜସେବୀ ଲକ୍ଷ୍ମଣ ବାରିକ, ପୂର୍ବତନ ସରପଞ୍ଚ ମଙ୍ଗଲ ମୁଣ୍ଡା, ପୂର୍ବତନ ସମିଟିସଭ୍ୟ ତଥା ଏବେର ଛାତ୍ର ବିଜେଡି ସଭାପତି ଯୁଧିଷ୍ଠିର ପଲେଇ ପ୍ରମୁଖ ଉପସ୍ଥିତ ଥିବା ଦେଖିବାକୁ ମିଳିଛି ।
ମୁଖ୍ୟଅତିଥି ପୁରୁଷୋତ୍ତମ ଏମଡି ବିଜେତା ଦଳକୁ ନଗଦ ୨୦ହଜାର ଅର୍ଥ ରାଶି ସହିତ ସମସ୍ତ ଖେଳାଳିଙ୍କୁ ମେଡାଲ ଓ ଟ୍ରଫି ପ୍ରଦାନ କରିଥିଲେ । ସେହିପରି ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ଦଳକୁ ନଗଦ ୧୫ହଜାର ଅର୍ଥ ରାଶି ସହିତ ଟ୍ରଫି ଓ ମେଡାଲ ପ୍ରଦାନ କରିବା ସହିତ ତୃତୀୟ ସ୍ଥାନ ଅଧିକାର କରିଥିବା ଦଳକୁ ନଗଦ ୧୦ହଜାର ଅର୍ଥ ରାଶି ସହିତ ମେଡାଲ ଓ ଚତୁର୍ଥ ସ୍ଥାନ ଅଧିକାର କରିଥିବା ଦଳକୁ ନଗଦ ୮ହଜାର ଅର୍ଥ ରାଶି ସହିତ ମେଡାଲ ଦେଇ ସମ୍ମାନିତ କରାଯାଇଥିଲା ।
ଆଗାମୀ ଦିନରେ କମ୍ପାନୀର ସାମାଜିକ ସଂଗଠନ ଜେଏସପି ଫାଉଣ୍ଡେସନ ଏ ଅଞ୍ଚଳର ସମସ୍ତ ଉଦିୟମାନ ଖେଳାଳିଙ୍କ ପାଇଁ ଆବଶ୍ୟକୀୟ ସରଞ୍ଜାମ ଓ ପ୍ରଶିକ୍ଷଣ ଦେବାକୁ ସବୁ ସମୟରେ ପ୍ରସ୍ତୁତ ବୋଲି କମ୍ପାନୀର ମାନବ ସମ୍ବଳ ମୁଖ୍ୟ ଆଶିଷ ରଞ୍ଜନ ମହାନ୍ତି ତାଙ୍କ ଅଭିଭାଷଣରେ କହିଥିଲେ । ସେହିପରି ଅଂଚଳରେ ଥିବା ବିଭିନ୍ନ ଖେଳ ପ୍ରତିଭା ମାନଙ୍କୁ ଖୋଜି ବାହାର କରିବା ଏବଂ ଖେଳ ପଡ଼ିଆର ଉନ୍ନତିକରଣ ଇତ୍ୟାଦି ଦିଗରେ ଆମର ସାମାଜିକ ସଂଗଠନ ସଜାଗ ରହିଛି, ଜନସାଧାରଣଙ୍କ ସହଯୋଗ କାମନା କରୁଛୁ ଯାହା ଆମ୍ଭମାନଙ୍କୁ ଦିଗଦର୍ଶନ ଦେବ ଓ ଆମେ ଆଗାମୀ ଦିନରେ ଏ ଅଞ୍ଚଳର ଖେଳାଳି ମାନଙ୍କୁ ଆନ୍ତର୍ଜାତିୟ ସ୍ତରରେ ଦେଖିବାକୁ ଅପେକ୍ଷା କରିଛୁ ବୋଲି ମୁଖ୍ୟଅତିଥି ପୁରୁଷୋତ୍ତମ ଏମଡି ତାଙ୍କ ଅଭିଭାଷଣରେ କହିଥିଲେ ।