ସେଚ,ପାନୀୟ ଜଳ,ଧାର୍ମିକ କାର୍ଯ୍ୟ ବାଧାପ୍ରାପ୍ତ
ଧରାକୋଟ,୩୧/୦୩ : ସୁଚନା ଅନୁଯାୟୀ ଗଙ୍ଗା ନଦୀ ଠାରୁ ଅଧିକ ପବିତ୍ର ଓ ପୁରାତନ ହେଉଛି ଋଷିକୁଲ୍ୟା ନଦୀ। ପୁଣ୍ୟତୋୟା ଋଷିକୁଲ୍ୟା ନଦୀ ଗଞ୍ଜାମ ଜିଲ୍ଲାର ଜୀବନ ରେଖା । ଧାର୍ମିକ ଓ ଆଧ୍ୟାତ୍ମିକ ଭାଵନା ସହ ଏହି ନଦୀ ଯେତିକି ଜଡ଼ିତ ପିଇବା ପାଣି ସହ ଜିଲ୍ଲାର ଜଳ ସେଚନ ବ୍ୟବସ୍ଥା ପାଇଁ ମଧ୍ୟ ଏହା ସେତିକି ଗୁରୁତ୍ୱପୂର୍ଣ୍ଣ । କନ୍ଧମାଳ ଜିଲ୍ଲାର ଋଷୀମାଳ ପର୍ବତରୁ ବାହାରି ଏହା ଗଞ୍ଜାମ ଜିଲ୍ଲାରେ ପ୍ରବାହିତ ହୋଇ ବଙ୍ଗୋପ ସାଗରରେ ମିଶିଛି । ଏହା ଉପରେ ଧରାକୋଟ ନିକଟସ୍ଥ ଜାନବିଲି ଠାରେ ବ୍ରିଟିଶ ମାନଙ୍କ ଅମଳରୁ 1891 ମସିହାରେ ନିର୍ମାଣ କରାଯାଇଥିବା ଅନିକାଟ ଦ୍ଵାରା ଜିଲ୍ଲାର ଶହ ଶହ ହେକ୍ଟର ଜମିରେ ଜଳସେଚନ ହେଉଥିବା ବେଳେ ବ୍ରହ୍ମପୁର ସହର ସମେତ ସଂଖ୍ୟାଧିକ ଗ୍ରାମର ଲୋକେ ଏହି ନଦୀ ଉପରେ ପିଇବା ପାଣି ପାଇଁ ନିର୍ଭର କରନ୍ତି। ଏପରି କେତେକ ଶିଳ୍ପ ସଂସ୍ଥା ମଧ୍ୟ ଏହି ନଦୀର ପାଣି ବ୍ୟବହାର କରୁଛନ୍ତି । ଚିର ଶ୍ରୋତା ଏହି ନଦୀ ବର୍ତ୍ତମାନ ଶୁଖିଲା ପଡିଛି। ଅଭାବୀ ବର୍ଷା ସାଂଗକୁ ଜଳବାୟୁ ରେ ଅସ୍ବାଭାବିକ ପରିବର୍ତ୍ତନ ଯୋଗୁଁ ଖରାର ପ୍ରକୋପ ଦିନକୁ ଦିନ ବଢୁଥିବା ବେଳେ ଜଳସ୍ତର ନିମ୍ନଗାମୀ ହେଉଛି । ଯାହାର ସିଧା ପ୍ରଭାବ ଜଳସେଚନ ଓ ପିଇବା ପାଣି ଉପରେ ପଡୁଛି । ଏହା ମଧ୍ୟରେ ବିଭିନ୍ନ ଧାର୍ମିକ କାର୍ଯ୍ୟ ଓ ପରମ୍ପରା ସହ ଏହି ନଦୀ ଜଡ଼ିତ । ମନ୍ଦିର ପ୍ରତିଷ୍ଠା,ଯଜ୍ଞ,ବାରୁଣୀ ସ୍ନାନ ,ମଙ୍ଗଳ ସଙ୍କରାନ୍ତି ସ୍ନାନ ପାଇଁ ଏହି ନଦୀର ପାଣି ବ୍ୟବହାର ହୁଏ । ଆସନ୍ତା ଛଅ ତାରିଖ ଶନିବାର ଦିନ ପବିତ୍ର ବାରୁଣୀ ସ୍ନାନ। ଏହି ନଦୀ ତଟରେ ଥିବା ଆସିକା, ପୁରୁଷୋତ୍ତମ ପୁର ଓ ପ୍ରତାପୁର ରେ ଥିବା ଘାଟରେ ଶ୍ରଦ୍ଧାଳୁ ମାନେ ବୁଡ଼ ପକାଇ ବାରୁଣୀ ସ୍ନାନ କରନ୍ତି। ପାଣି ନଥିବା ଯୋଗୁଁ ଚଳିତ ବର୍ଷ ସ୍ନାନ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି।ସଂପ୍ରତି ଏହି ନଦୀ ଶୁଖିଲା ପଡ଼ିଥିବା ଯୋଗୁଁ ନଇ କୂଳିଆ ଗାଁ ଗୁଡ଼ିକର ପିଇବା ପାଣି ସମସ୍ୟା ଦିନକୁ ଦିନ ବଢୁଥିବା ଦେଖା ଯାଉଛି। ନଦୀ ଶୁଖିଲା ରହି ମାତ୍ର ଗୋଟିଏ ଧାର ପାଣି ଯାଉଥିବା ଯୋଗୁଁ ଜଳଯୋଗାଣ ପ୍ରକଳ୍ପ ଗୁଡ଼ିକର ଇଣ୍ଟେକୱେଲ ରେ ପର୍ଯ୍ୟାପ୍ତ ପାଣି ଗଛିତ ହୋଇପାରୁନାହିଁ । ଅନ୍ୟ ପଟରେ ଗାଁ ଗାଁ ରେ କୂଅ, ପୋଖରୀ ଶୁଖିଲା ପଡିଛି। ଏଣୁ ଚଳିତ ବର୍ଷ ପିଇବା ପାଣି ଓ ଜଳସେଚନ ପାଇଁ ପାଣି ସମସ୍ୟା ଉତ୍କଟ ହେଲାଣି ।
ଆସନ୍ତା ଦୁଇମାସ ଖରାର ପ୍ରକୋପ ଦିନକୁ ଦିନ ବଢିବ ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଲାଣି। ଏହା ମଧ୍ୟରେ ରାଜ୍ୟ ସରକାରଙ୍କ ତରଫରୁ ସୋରଡ଼ା ନିକଟସ୍ଥ ପିପଳପଙ୍କା,ଧରାକୋଟ ନିକଟସ୍ଥ ଜାନବିଲି ଓ ଛତ୍ରପୁର ନିକଟସ୍ଥ କଂସାରୀଗଣ୍ଡ ଠାରେ ନୂତନ ବ୍ୟାରେଜ ନିର୍ମାଣ କରି ଜଳ ସଂରକ୍ଷଣ ବ୍ୟବସ୍ଥା କରାଯିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ଦ୍ବାରା ଋଷିକୁଲ୍ୟା ନଦୀ ର ଜଳକୁ ନିୟନ୍ତ୍ରଣ ଭିତରେ ରଖାଯାଇ ପିଇବା ପାଣି,ଜଳସେଚନ ଓ ଧାର୍ମିକ କାର୍ଯ୍ୟ ପାଇଁ ବ୍ୟବହାର କରାଯାଇ ପାରିବ । ଅନ୍ୟ ପକ୍ଷରେ କାଶତଣ୍ଡି ସହ ଅନ୍ୟାନ୍ୟ ଲତା ଗୁଳ୍ମ ଦ୍ଵାରା ନଦୀ ଗର୍ଭ ଆଚ୍ଛାଦିତ ହୋଇ ଧୀରେ ଧୀରେ ପୋତି ହୋଇ ଚାଲିଥିବା ଯୋଗୁଁ କୃତ୍ରିମ ବନ୍ୟା ସୃଷ୍ଟି ହେବାର ଆଶଙ୍କା ଦେଖା ଦେଲାଣି । ଏଣୁ ଭଞ୍ଜନଗର ଜଳସେଚନ ବିଭାଗ ତରଫରୁ ଏହାର ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଅଞ୍ଚଳ ବାସୀ ଦାବୀ କରିଛନ୍ତି