ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୪-୨୫ ଉପସ୍ଥାପିତ କରିଛନ୍ତି । ଏଥିରେ ମୋଦି ସରକାର ଓଡ଼ିଶାକୁ ନିରାଶ କରିଛନ୍ତି । ହେଲେ ଆନ୍ଧ୍ରପ୍ରଦେଶ ଓ ବିହାର ପାଇଁ ଟ୍ରେଜେରୀ ଖୋଲି ଦେଇଛନ୍ତି ।
ଆନ୍ଧ୍ରପ୍ରଦେଶ ପୁନର୍ଗଠନ ଅଧିନିୟମ ଅନୁଯାୟୀ ଦିଆଯାଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ ହେବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ କହିଛନ୍ତି ।
ରାଜ୍ୟର ପୁଞ୍ଜି ଆବଶ୍ୟକତାକୁ କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି। ଏହା ଅନ୍ତର୍ଗତ ଆନ୍ଧ୍ରପ୍ରଦେଶ ପାଇଁ ବଜେଟରେ ୧୫ ହଜାର କୋଟି ଟଙ୍କା ଘୋଷଣା କରାଯାଇଛି।
ପୋଲାଭାରାମ ଜଳସେଚନ ପ୍ରକଳ୍ପ ପାଇଁ ନିର୍ମଳା ସୀତାରମଣ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଏହି ପ୍ରକଳ୍ପ ସଂପୂର୍ଣ୍ଣ କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ କାରଣ ସେଠାରେ ଥିବା କୃଷକମାନେ ଏହି ପ୍ରକଳ୍ପରୁ ଉପକୃତ ହେବେ। ଏହି ପ୍ରକଳ୍ପ ପାଇଁ ପାଣ୍ଠି ଯୋଗାଇ ଦିଆଯିବ। ଏଥିସହ ଆନ୍ଧ୍ରପ୍ରଦେଶରେ ଶିଳ୍ପ ବିକାଶକୁ ପ୍ରୋତ୍ସାହିତ କରାଯିବ, ଏଥିପାଇଁ ସରକାର ଜଳ, ବିଦ୍ୟୁତ୍, ରେଳପଥ ଏବଂ ସଡ଼କ ଭଳି ଅତ୍ୟାବଶ୍ୟକ ଭିତ୍ତିଭୂମି ପାଇଁ ବଜେଟ୍ ଯୋଗାଇ ଦେବେ।
ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି, ବିହାରର ବୋଧଗୟା, ବୈଶାଳୀ ଓ ଦରଭଙ୍ଗାଠାରେ ସଡକ ସଂଯୋଗ ପ୍ରକଳ୍ପର ବିକାଶ କରାଯିବ । ସଡକ ନିର୍ମାଣ ପାଇଁ ୨୬ ହଜାର କୋଟି ଟଙ୍କା ଆର୍ଥିକ ସହୟତା ପ୍ରଦାନ କରାଯିବ । ବନ୍ୟା ମୁକାବିଲା ପାଇଁ ବିହାରକୁ ୧୧ ହଜାର ୫୦୦ କୋଟି ପ୍ରଦାନ ନେଇ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ।
ସେପଟେ ଓଡ଼ିଶା ଏହି ବଜେଟରେ ନିରାଶ ହୋଇଛି । ଏହାସହିତ ବିବାଦୀୟ ପୋଲାଭରମ ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ସାରିବାକୁ ପଦକ୍ଷେପ ନିଆଯିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ପୋଲାଭରମକୁ ନେଇ ଦୀର୍ଘ ବର୍ଷ ହେଲା ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ବିବାଦ ଜାରି ରହିଛି । ଏହି ପ୍ରକଳ୍ପ ଦ୍ବାରା ଓଡ଼ିଶାର ଦୁଇଟି ଜିଲ୍ଲା ମାଲକାନଗିରି ଓ ଗଜପତି ଅଧିକ ପ୍ରଭାବିତ ହେଉଛନ୍ତି । ଏହାକୁ ନେଇ ଓଡ଼ିଶା ଟ୍ରିବ୍ୟୁନାଲର ଦ୍ବାରସ୍ଥ ହୋଇଥିବାବେଳେ କେନ୍ଦ୍ର ସରକାର ଆନ୍ଧ୍ରର ଏହି ପ୍ରକଳ୍ପକୁ ସମର୍ଥନ କରି ଓଡ଼ିଶାକୁ ଶକ୍ତ ଝଟକା ଦେଇଛନ୍ତି ।
ବନ୍ୟା ନିୟନ୍ତ୍ରଣ ସହାୟତାରେ ମଧ୍ୟ ଓଡ଼ିଶାକୁ ଭୁଲିଯାଇଛନ୍ତି । ୫ଟି ରାଜ୍ୟ ପାଇଁ ବନ୍ୟା ନିୟନ୍ତ୍ରଣ ସହାୟତା ଘୋଷଣା ହୋଇଛି । ଏହି ରାଜ୍ୟଗୁଡିକ ହେଲେ ଆସାମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମ, ବିହାର । ୨୦୨୪ ଲୋକସଭା ନିର୍ବାଚନରେ ଓଡ଼ିଶାବାସୀ ବିଜେପି ଉପରେ ଭରସା କରିଥିଲେ। ବିଧାନସଭାରେ ସ୍ପଷ୍ଟ ବହୁମତ ଦେଇଥିବାବେଳେ ୨୧ ଲୋକସଭା ଆସନରୁ ୨୦ଟି ଆସନରେ ବିଜୟୀ କରାଇଥିଲେ । ହେଲେ ମୋଦୀ ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟରୁ ଅନେକ କିଛି ଆଶା କରିଥିଲା ଓଡ଼ିଶା । ବିକଶିତ ଓଡ଼ିଶା ଗଠନ ପାଇଁ ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ ମିଳିବାର ଆଶା ରଖାଯାଉଥିଲା । ହେଲେ ବଜେଟରେ ସେଭଳି କିଛି ଘୋଷଣା ହୋଇନି । ଓଡ଼ିଶାର ଦେବସ୍ଥଳୀ, ବନ୍ୟପ୍ରାଣୀ ଅଭୟାରଣ୍ୟ, ବେଳାଭୂମିର ବିକାଶ ପାଇଁ ସ୍ବତନ୍ତ୍ର ଆର୍ଥିକ ସହାୟତା ଦିଆଯିବ ବୋଲି ଘୋଷଣା କରି ଅର୍ଥମନ୍ତ୍ରୀ ଓଡ଼ିଶାକୁ କେବଳ ଲଲିପପ୍ ଧରାଇଛନ୍ତି ଭୁବନେଶ୍ୱର ରୁ ଶିବ କେତନ ମହାନ୍ତି ଙ୍କ ରିପୋର୍ଟ