ଯୋଡା: ପବିତ୍ର ବିଜୟା ଦଶମୀ ଅବସରରେ ଅସତ୍ୟ ଉପରେ ସତ୍ୟ, ଅଧର୍ମ ଉପରେ ଧର୍ମ, ଅନ୍ୟାୟ ଉପରେ ନ୍ୟାୟର ବିଜୟ ସ୍ୱରୁପ ବିଭିନ୍ନ ସ୍ଥାନରେ ମଙ୍ଗଳବାର ସନ୍ଧ୍ୟାରେ ରାବଣ ପୋଡି ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ମର୍ମରେ ଯୋଡା ସହର କେନ୍ଦ୍ରୀୟ ଖେଳ ପଡିଆ ଠାରେ ଶାନ୍ତି ସୃଙ୍ଖଳା ସହିତ ଏହି ରାବଣ ପୋଡି ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ରାବଣ ପୋଡି ମହୋତ୍ସବ କମିଟି ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାୟ ୭୦ ଫୁଟ ଉଚ୍ଚତା ବିଶିଷ୍ଟ ରାବଣର ପ୍ରତିମୂର୍ତ୍ତି ତିଆରି କରାଯାଇ ସେଥିରେ ଅଗ୍ନି ସଂଯୋଗ କରାଯାଇଥିଲା । ଏହି ସମୟରେ ବିଭିନ୍ନ ପ୍ରାନ୍ତରୁ ଆସିଥିବା ବାଣୁଆ ମାନଙ୍କର ଚିତାକର୍ଷକ ଆତସବାଜି ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଫଳରେ ଶହ ଶହ ସଂଖ୍ୟାରେ ଜନସାଧାରଣ ଆଖପାଖ ଅଞ୍ଚଳରୁ ଏଠାରେ ରୁଣ୍ଡ ହୋଇ ଆତସବାଜି ପ୍ରଦର୍ଶନ ସହ ରାବଣ ଦହନକୁ ଅତ୍ୟନ୍ତ ଉଲ୍ଲାସ ଉଦ୍ଦିପନାର ସହ ଉପଭୋଗ କରିଥିଲେ । ପୂର୍ବତନ ଚମ୍ପୁଆ ବିଧାୟକ ଜିତୁ ପଟ୍ଟନାୟକ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ ଯୋଡା ପୌରାଧ୍ୟକ୍ଷ ଡା. ଜଗଦୀଶ ପ୍ରସାହ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାବଣ ଦେହରେ ଅଗ୍ନି ସଂଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟାଟା ଷ୍ଟିଲ ଖଣ୍ଡବନ୍ଧ ମୁଖ୍ୟ ଅବନୀଶ କୁମାର, କମିଟିର ଉପଦେଷ୍ଟା ତଥା ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକ ସମ୍ମାନୀୟ ଅତିଥି ଭାବେ ଯୋଗଦେଇଥିଲେ । ରାବଣ ଦହନ ସମୟରେ ଜୟ ଶ୍ରୀରାମ ଧ୍ୱନୀରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଉଠିଥିଲା । ଆନନ୍ଦପୁର ଅଞ୍ଚଳରୁ ଆସିଥିବା ଆତସବାଜୀ ପ୍ରଦର୍ଶନ ସମସ୍ତଙ୍କୁ ଆକର୍ଷିତ କରିଥିଲା । ପ୍ରବଳ ଜନସମାଗମ ଯୋଗୁଁ କୌଣସି ପ୍ରକାରର ଅଘଟଣକୁ ଏଡାଇବା ପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଥିବା ସହ ଅଗ୍ନିସମ କର୍ମଚାରୀ ମଧ୍ୟ ସଜାଗ ରହିଥିଲେ । ଏହି କାର୍ଯ୍ୟକ୍ରମରେ କମିଟିର ସଭାପତି ସୁଶାନ୍ତ କୁମାର ବାରିକଙ୍କ ସହ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ରହିଥିଲେ ।