ଭୁବନେଶ୍ୱର: ଓଡ଼ିଶାର ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ସୃଷ୍ଟି କରିଛନ୍ତି ବିଶ୍ୱ ରେକର୍ଡ଼ । ପ୍ରଥମ ବିଶ୍ୱ ଓଡି଼ଆ ଭାଷା ସମ୍ମିଳନୀ ଉଦ୍ଦେଶ୍ୟରେ ବିଦ୍ୟାଳୟସ୍ତରରେ ଛାତ୍ରଛାତ୍ରୀମାନେ ସାହିତ୍ୟ ସୃଜନୀ କ୍ଲବ ମାଧ୍ୟମରେ ‘ମୋ କଥା ମୋ କହାଣୀ’ ପୁସ୍ତକ ରଚନା କରିଥିଲେ । ଶୁକ୍ରବାର ଦିନ ଏହି ପୁସ୍ତକର ତଥ୍ୟକୁ ସାମାଜିକ ଗଣମାଧ୍ୟମ ଫେସବୁକରେ ଏକ ଘଣ୍ଟା ମଧ୍ୟରେ ଅପଲୋଡ୍ କରି ଗିନିଜ ବୁକ ଅଫ୍ ୱାଲ୍ଡ ରେକର୍ଡ଼ ସୃଷ୍ଟି କରିଛନ୍ତି । ଛାତ୍ରଛାତ୍ରୀଙ୍କ ଭାଷା ସାହିତ୍ୟ ଓ ସୃଜନଶୀଳତାର ବିକାଶ ପାଇଁ ସାହାଯ୍ୟ ସୃଜନୀ ଶିକ୍ଷାର୍ଥୀ କ୍ଲବ୍ ମାଧ୍ୟମରେ ବିଦ୍ୟାଳୟସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ, ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସୃଜନାତ୍ମକ ଗଳ୍ପ ଏବଂ କବିତା ଆଦି ରଚନା କରୁଥିଲେ । ଫେବୃଆରୀ ୨ ତାରିଖ, ଶୁକ୍ରବାର ଦିନ ୧୨ଟାରୁ ୧ଟା ମଧ୍ୟରେ ଏହି ପୁସ୍ତକର ତଥ୍ୟକୁ ଫେସବୁକରେ ଅପଲୋର୍ଡ କରି ଗିନିଜ ବୁକ ଅଫ୍ ୱାଲ୍ଡ ରେକର୍ଡ଼ ସୃଷ୍ଟି କରିଛନ୍ତି । ମାତ୍ର ଏକ ଘଣ୍ଟା ମଧ୍ୟରେ ଓଡି଼ଶାର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରାମାନେ ଆଜି ସର୍ବାଧିକ ପୁସ୍ତକର ତଥ୍ୟ ଅପଲୋଡ କରିଛନ୍ତି । ପୂର୍ବ ରେକର୍ଡଠାରୁ ୪ଗୁଣା ଅଧିକ ସଂଖ୍ୟାରେ ଏହି ରେକର୍ଡ଼ ଭଙ୍ଗିଛନ୍ତି ଛାତ୍ରଛାତ୍ରୀ। ଏହି ଅପଲୋଡ ପ୍ରକ୍ରିୟା ମାତ୍ରାଧିକ ଥିବା କାରଣରୁ ଫେସବୁକ ପେଜରେ ବୈଷୟିକ ତ୍ରୁଟି ଦେଖାଦେଇଥିଲା । ଏହି ବୈଷୟିକ ତ୍ରୁଟି କାରଣରୁ ସମ୍ପୂର୍ଣ୍ଣ ସଠିକ୍ ତଥ୍ୟ ହସ୍ତଗତ ହୋଇପାରି ନ ଥିଲା । ମାତ୍ର ସର୍ବନିମ୍ନ ସଂଖ୍ୟାକୁ ବିବେଚନା କରି ଗିନିଜ ବୁକ ଅଫ୍ ୱାଲ୍ଡ ରେକର୍ଡ଼ର ଅଧିକାରୀ ଏହି ରେକର୍ଡ଼ ଘୋଷଣା କରିଥିଲେ। ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ସ୍ଥାନୀୟ ଲୋକଙ୍କ ସହଯୋଗରେ ଏହି ରେକର୍ଡ ସୃଷ୍ଟି କରାଯାଇ ପାରିଛି । ସୂଚନାଯୋଗ୍ୟ, ପୂର୍ବରୁ ୫୪୦୮ଟି ପୁସ୍ତକର ତଥ୍ୟ ୧ ନଭେମ୍ବର ୨୦୨୧ ରେ ଅନଲାଇନରେ ଅପଲୋଡ କରି ନମାମୀ ଗଙ୍ଗେ ଏହି ରେକର୍ଡ ସୃଷ୍ଟି କରିଥିବା ବେଳେ ଓଡ଼ିଶାର ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମୋ ସ୍କୁଲ ଉଦ୍ୟମରେ ଏହି ରେକର୍ଡ଼ ଭାଙ୍ଗିବାରେ ସକ୍ଷମ ହୋଇଛନ୍ତି।