ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ବ୍ଲକ୍ ଅନ୍ତର୍ଗତ କଞ୍ଚଣା ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ତଥା ରେଡକ୍ରସ କାଉନସିଲର ନିରଞ୍ଜନ ବିଶ୍ୱାଳଙ୍କ ତତ୍ତ୍ଵାବଧାନରେ ବଟେଶ୍ୱର ମନ୍ଦିର ପ୍ରାଙ୍ଗଣ ମଧ୍ୟରେ ଓ ସମୁଦ୍ରବେଳାଭୂମିରେ ‘ ପ୍ଲାଷ୍ଟିକ ମୁକ୍ତ ଭାରତ ଅଭିଯାନ ‘ ପାଳିତ ହୋଇଯାଇଛି। ଏହି ଅବସରରେ ବେଳାଭୂମିରେ ପଡ଼ିଥିବା ଓ ଚତୁପାର୍ଶ୍ୱରେ ଥିବା ପ୍ଲାଷ୍ଟିକ ବଟଲ, ସାମ୍ପୁ ଜରି, ସାବୁନ କଭର, କୁରୁକୁରି ଜରି ଇତ୍ୟାଦି ପ୍ଲାଷ୍ଟିକ ଜାତ ପଦାର୍ଥ ସଫା ଓ ସଂଗ୍ରହ କରଯାଇଥିଲା। ଛାତ୍ରଛାତ୍ରୀମାନେ ହାତ ତିଆରି କପଡା ବ୍ୟାଗ୍ ଓ କାଗଜ ଠୁଙ୍ଗା ବିଭିନ୍ନ ଦୋକାନ ମାନଙ୍କରେ ଦେଇ ପଲିଥିନ ଓ ପ୍ଲାଷ୍ଟିକ ନ ବ୍ୟବହାର କରିବା ପାଇଁ ସଚେତନ କରାଇଥିଲେ।
ପ୍ଲାଷ୍ଟିକ ଜାତ ପଦାର୍ଥ ଓ ପଲିଥିନର ବ୍ୟବହାର ପ୍ରକୃତି, ବନ୍ୟଜିବ, ଜଳଚର ପ୍ରାଣୀ ଏପରିକି ମାନବ ସମାଜ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ। କିଛି ବୁଲା ଗାଇଗୋରୁ ଓ କୁକୁର ମାନେ ଖାଦ୍ୟ ସାମଗ୍ରୀ ସହିତ ପ୍ଲାଷ୍ଟିକ ଗିଳି ଦେଉଛନ୍ତି ଯଦ୍ୱାରା ପ୍ଲାଷ୍ଟିକ ଜୀବଜନ୍ତୁଙ୍କ ପାକସ୍ଥଳୀକୁ ଯାଇ ବିପଦ ସୃଷ୍ଟି କରୁଛି। ସେହିପରି ପ୍ଲାଷ୍ଟିକ ମାଟିରେ ମିଶି ପାରୁ ନ ଥିବାରୁ ବର୍ଷାଜଳ ଭୁଗର୍ଭକୁ ପ୍ରବେଶ କରି ପାରୁନାହିଁ ଏବଂ ଆହୁରି ମଧ୍ୟ ପ୍ଲାଷ୍ଟିକ ପୋତି ହୋଇଥିବା ସ୍ଥାନରେ ବୃକ୍ଷର ଭଲ ବୃଦ୍ଧି ହେଉନାହିଁ।
ଶିକ୍ଷକ ତଥା ସମାଜସେବୀ ନିରଞ୍ଜନ ବିଶ୍ୱାଳ ପୂର୍ବରୁ ଏହିପରି ଅନେକ ସଚେତନତାମୂଳକ କାର୍ଯ୍ୟକ୍ରମ ଯଥା ସଡକ ସୁରକ୍ଷା ଜୀବନ ରକ୍ଷା, ଏଡ଼ସ ହଟାଓ ଜୀବନ ବଞ୍ଚାଅ, ନିଶା ନିବାରଣ ଅଭିଯାନ, ବାଲ୍ୟ ବିବାହକୁ ନା, ବନ ମହୋତ୍ସବ ଇତ୍ୟାଦି କରି ଶିକ୍ଷକ ସମାଜ ଏବଂ ଜନସାଧାରଣ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।