ବିଜେତାଙ୍କ ପାଇଁ ୫.୬୭ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା
୧୦ କି.ମି ପୁରୁଷ ଓ ମହିଳା ବର୍ଗରେ ଉତ୍ତରାଖଣ୍ଡ ମୋହନ ସାଇନି ଏବଂ ଉତରପ୍ରଦେଶରୁ ତାନ୍ସି ସିଂହ ବିଜୟୀ
ଟାଟା ଷ୍ଟିଲ୍ ପକ୍ଷରୁ ଓଡ଼ିଶା ଦୌଡ଼କୁଦ (ଆଥଲେଟିକ୍) ସଂଘ ସହଯୋଗରେ ରବିବାର ଯୋଡ଼ା ରନ୍-ଏ-ଥନ୍ର ପ୍ରଥମ ସଂସ୍କରଣ ଆୟୋଜିତ ହୋଇଯାଇଛି । “ଏକ ସବୁଜ ଭବିଷ୍ୟତ ପାଇଁ ଦୌଡ଼’ ବିଷୟବସ୍ତୁ ଉପରେ ଆଧାରିତ ଏହି ଦୌଡ଼କୁ ଯୋଡ଼ାର ସେଂଟ୍ରାଲ ଖେଳ ପଡ଼ିଆରେ ଅନୁଷ୍ଠିତ ହୋଇଛି । ଚମ୍ପୁଆ ବିଧାୟିକା ଶ୍ରୀମତୀ ମିନାକ୍ଷୀ ମହନ୍ତ, ଯୋଡ଼ା ମୁନିସିପାଲିଟିର ଅଧ୍ୟକ୍ଷ ଡକ୍ଟର ଜଗଦୀଶ ପ୍ରସାଦ ସାହୁ, ଟାଟା ଷ୍ଟିଲ୍ର ଉପସଭାପତି (କଂଚାମାଲ) ଡିବି ସୁନ୍ଦରରମଣ, ଟାଟା ଷ୍ଟିଲ୍ର ମହାପ୍ରବନ୍ଧକ ( ଓଏମ୍କ୍ୟୁ) ଅତୁଲ ଭଟ୍ଟନାଗର ଓ ସୁର୍ଭି ଭଟ୍ଟନାଗର ଅତିଥି ଭାବେ ଯୋଗଦେଇଥିବା ବେଳେ ପତାକା ଦେଖାଇ ଦୌଡ଼କୁ ଉଦ୍ଘାଟନ କରିଥିଲେ । ଯୋଡ଼ା ରନ୍-ଏନ୍-ଥନ୍ ପ୍ରତି ଦୌଡ଼ପ୍ରେମୀଙ୍କ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳିଥିଲା । ଏହି ଦୌଡ଼ରେ ୫୦୦୦ରୁ ଅଧିକ ଧାବକଧାବିକା ଅଂଶଗ୍ରହଣ କରିଥିବା ବେଳେ ସେମାନଙ୍କ ଉତ୍ସାହକୁ ବଢ଼ାଇବା ଲାଗି ଶହ ଶହ ଲୋକ ଜମା ହୋଇଥିଲେ ଏବଂ ସେମାନଙ୍କ ଖେଳୁଆଡ଼ ମନୋଭାବକୁ ବଢ଼ାଇ ଉତ୍ସାହିତ କରିଥିଲେ ।ପୁରୁଷ ୧୦ କିଲୋମିଟର ବର୍ଗରେ ଉତରାଖଣ୍ଡର ମୋହନ ସାଇନି ବିଜୟୀ ହୋଇଥିବା ବେଳେ ମହିଳା ବର୍ଗରେ ଉତରପ୍ରଦେଶରୁ ତାନ୍ସି ସିଂହ ବିଜୟିନୀ ହୋଇଛନ୍ତି ।ଏହି କାର୍ଯ୍ୟକ୍ରମରେ ପ୍ରତିଯୋଗୀ ମାନଙ୍କ ବ୍ୟତୀତ ଦିବ୍ୟାଙ୍ଗ ମାନେ ମଧ୍ୟ ଦୌଡରେ ଭାଗ ନେଇଥିଲେ I ଦର୍ଶକ ମାନେ ସେମାନଂକୁ କରତାଳି ଦେଇ ଖୁବ୍ ଉତ୍ସାହିତ କରିଥିଲେ I ଏତଦବ୍ୟତୀତ, ଏକ ଲାଇଭ ବ୍ୟାଣ୍ଡ ଦର୍ଶକ ମାନଙ୍କୁ ମନ୍ତ୍ର ମୁଗ୍ଧ କରିଥିଲା I ରନ-ଏ-ଥନ୍ ବିଷୟ ବସ୍ତୁ ଉପରେ ଆଧାରିତ ବାଲୁକା କଳା ସମସ୍ତଙ୍କୁ ଆଚମ୍ବିତ କରିଥିଲା I ଏହି ଦୌଡ଼ ଲାଗି ଉଭୟ ଅନଲାଇନ୍ ଓ ଅଫଲାଇନ୍ରେ ପଞ୍ଜୀକରଣ ଆହ୍ୱାନ କରାଯାଇଥିଲା, ଯାହାର ଫଳ ସ୍ୱରୂପ ବହୁ ସଂଖ୍ୟାରେ ଦୌଡ଼ପ୍ରେମୀ ସେଥିରେ ଯୋଗଦେବାକୁ ପଞ୍ଜୀକରଣ କରିଥିଲେ ଏବଂ ତାହାର ପ୍ରତିଫଳନ ଯୋଡ଼ା ରନ୍-ଏ-ଥନ୍ରେ ହୋଇଥିବା ଭିଡ଼ରେ ସ୍ପଷ୍ଟ ପ୍ରତିଫଳିତ ହୋଇଥିଲା । ସ୍ଥାୟୀ ଓ ଏକ ସବୁଜ ଭବିଷ୍ୟତ ପ୍ରତି ରହିଥିବା ପ୍ରତିବଦ୍ଧତାକୁ ଦୋହରାଇ ପ୍ରତ୍ୟେକ ଅଂଶଗ୍ରହଣକାରୀ ପିଛା ଗୋଟିଏ ଲେଖାଏଁ ଚାରାରୋପଣ କରିବାକୁ କଂପାନି ପକ୍ଷରୁ ଘୋଷଣା କରାଯାଇଥିଲା ।ଲୋକଙ୍କ ମଧ୍ୟରେ ଫିଟ୍ନେସ୍ର ପ୍ରସାର କରିବା ଲାଗି ଟାଟା ଷ୍ଟିଲ୍ ପକ୍ଷରୁ ବର୍ଷତମାମ ବିଭିନ୍ନ ପ୍ରକାର ଦୌଡ଼ କାର୍ଯ୍ୟକ୍ରମ ଯଥା ଜାମସେଦପୁର ରନ-ଏ-ଥନ, ଟାଟା ଷ୍ଟିଲ କୋଲକାତା ୨୫କେ ରନ୍, ଭୁବନେଶ୍ୱର ହାଫ ମାରାଥନ ଓ ନୂଆମୁଣ୍ଡି ଏବଂ ମେରାମଣ୍ଡଳୀ ରନ-ଏ-ଥନକୁ ଏହାର ବିଭିନ୍ନ କାର୍ଯ୍ୟକ୍ଷେତ୍ର ଅଂଚଳଗୁଡ଼ିକରେ ଆୟୋଜନ କରୁଛି । କ୍ରୀଡ଼ା କାର୍ଯ୍ୟକ୍ରମଗୁଡ଼ିକ ମାଧ୍ୟମରେ କଂପାନି ଗୋଷ୍ଠୀ ସମୁଦାୟ ସହିତ ଯୋଡ଼ି ହେଉଥିବା ବେଳେ ନାଗରିକମାନଙ୍କ ମଧ୍ୟରେ ଫିଟନେସ୍ ଭାବ ଜାଗ୍ରତ କରାଉଛି ।