ଆସିକା ତା ୨୯/୧ : ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶକ୍ରମେ ନୂଆ-ଓ ର ଅଭିନବ ପରିକଳ୍ପନା ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଓ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଯୋଜନାର ଆନୁକୂଲ୍ୟରେ ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଓଡ଼ିଆ ପାଠଚ଼କ୍ର ହୋଇଯାଇଛି। ଶୀର୍ଷକଟି ଥିଲା – ଓଡ଼ିଆ ଭାଷା ସାହିତ୍ୟରେ ଜଗନ୍ନାଥ ଚ଼େତନା। ଏହି ପାଠଚ଼କ୍ର ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ପୌରହିତ୍ୟରେ ସଂପାଦିତ ହୋଇଥିଲା। ନୂଆ-ଓ ନୋଡ଼ାଲ ଅଫିସର ଡ. ସ୍ମିତାରାଣୀ ପଣ୍ଡା ସଂଯୋଜନା କରିଥିଲେ। ମୁଖ୍ୟ ଅତିଥିରୂପେ ସ୍ବ ମହାବିଦ୍ୟାଳୟ ବାଣିଜ୍ୟ ବିଭାଗର ଅବସର ପ୍ରାପ୍ତ ପ୍ରାଧ୍ୟାପକ ପ୍ରଫେସର କେଦାରନାଥ ପଣ୍ଡା, ମୁଖ୍ୟ ବକ୍ତା ରୂପେ ଜଗନ୍ନାଥ ସସ୍କୃତି ଓ ଚ଼େତନା ର ଆଧ୍ୟାତ୍ମବାଦୀ ସଚ଼େତକ ତଥା ଖଲ୍ଲିକୋଟ ସ୍ବୟଂଶାସିତ ମହାବିଦ୍ୟାଳୟର ଅବସର ପ୍ରାପ୍ତ ଇତିହାସ ପ୍ରାଧ୍ୟାପକ ଡ. ମଦନ ମୋହନ ମହାପାତ୍ର ଯୋଗ ଦେଇଥିଲେ। ପାଠଚ଼କ୍ର ପ୍ରାରମ୍ଭରେ କମିଟି ସଦସ୍ୟା ରଶ୍ମିପ୍ରିୟା କାଲୋ ସ୍ବାଗତ କରିବା ସହ ଅତିଥିମାନଙ୍କୁ ମଞ୍ଚାସୀନ କରିଥିଲେ। ବିସ୍ମୟ ବିଗ୍ରହ ଜଗନ୍ନାଥଙ୍କ ଚତୁ୍ର୍ଦ୍ଧା ମୂର୍ତ୍ତିରେ ଦେବ ମନ୍ତ୍ରଧ୍ବନୀରେ ଅତିଥିଙ୍କ କରକମଳରୁ ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା। ଛାତ୍ରୀ ମାନେ ପ୍ରାରମ୍ଭିକ ସଂଗୀତ ବନ୍ଦେ ଉତ୍କଳ ଜନନୀ ପରିବେଷଣ କରିଥିଲେ।ଓଡ଼ିଆ ଅଧ୍ୟାପିକା ଡ. ସସ୍ମିତା ପାତ୍ର ମଞ୍ଚାସୀନ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ଜଗନ୍ନାଥ ସଂସ୍କୃତି ଓ ଚେତନାର ମୁଖ୍ୟ ସଚ଼େତକ ଡ. ମହାପାତ୍ର ଜଗନ୍ନାଥଙ୍କ ଅଶେଷ ଗାଥା ଉତଥାପନ କରିଥିଲେ। କହିଥିଲେ ଜଗନ୍ନାଥଙ୍କ ଆଦି, ମଧ୍ୟ ଓ ଅନ୍ତ ନାହିଁ। ସେ ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ସମନ୍ବୟର ପ୍ରତୀକ। ସମାଜରେ ନିଜକୁ ଭଗବାନ ବୋଲି ଅଭିହିତ କରୁଥିବା ଭଣ୍ଡ ବାବାମାନଙ୍କ ପାଖରୁ ଦୂରରେ ରହି ବିଶ୍ବନିୟନ୍ତା ଜଗନ୍ନାଥଙ୍କ ନିକଟରେ ଶରଣାପନ୍ନ ହୁଅ। ଭକ୍ତ ପ୍ରବର ବନ୍ଧୁ ମହାନ୍ତି, ଦାଶିଆ ବାଉରି, ସାଲବେଗଙ୍କ ଭାବ ବିହ୍ବଳର ଅନେକ ଗାଥା ନିଜ ଉଦବୋଧନରେ ପରିପ୍ରକାଶ କରିଥିଲେ। କେବଳ ଓଡ଼ିଆ ସସ୍କୃତି ହିଁ କାହିଁକି ସମଗ୍ର ଭାରତର ସସ୍କୃତିରେ ଜଗନ୍ନାଥ ବିଦ୍ୟମାନ ବୋଲି କହିଥିଲେ। ଜଗନ୍ନାଥଙ୍କୁ ଭାବର ଠାକୁର ଭାବବିନୋଦିଆ ବୋଲି ମଧ୍ୟ ପ୍ରତିପାଦନ କରିଥିଲେ। ମୁଖ୍ୟ ଅତିଥି ପ୍ରଫେସର ପଣ୍ଡା ଆଜିର ଏହି କୁତ୍ସିତ ତଥା କଳୁଷିତ ସମାଜକୁ ସୁଧାରିବାକୁ ହେଲେ ଓଡ଼ିଆ ଭାଷାରେ ଜଗନ୍ନାଥ ଚେତନାକୁ ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମରେ ସ୍ଥାନାପର୍ଣ୍ଣ କରିବା ପାଇଁ ବୁଦ୍ଧିଜୀବୀ ମାନଙ୍କୁ ଆହ୍ବାନ କରିଥିଲେ। ଦୁଇଜଣ ଛାତ୍ରୀ ଓଡ଼ିଆ ଭାଷାର ମହତ୍ବ ଏବଂ ଜଗନ୍ନାଥ ଚେତନାର ବୈଶିଷ୍ଠ୍ୟ ପଠନ କରିଥିଲେ। ସଂଯୋଜିକା ଡ. ପଣ୍ଡା ଓଡ଼ିଆ ଭାଷାରେ ଜଗନ୍ନାଥଙ୍କ ସସ୍କୃତି ଓ ଚେତନା କିପରି ପରିବ୍ୟାପ୍ତ ହୋଇ ରହିଛି ଏବଂ ପାଠଚକ୍ରର ଆଭିମୁଖ୍ୟ ସଂପର୍କରେ ସଂକ୍ଷିପ୍ତ ବିବରଣୀ ରଖିଥିଲେ। ମୁଖ୍ୟ କର୍ମକର୍ତ୍ତା ରୂପେ ଅଧ୍ୟାପକ ଡ. ଅଜିତ୍ କୁମାର ମୁନୀ ସମସ୍ତ କାର୍ଯ୍ୟକୁ ସୁପରିଚାଳନା କରିଥିଲେ। ପରିଶେଷରେ ଅଧ୍ୟାପକ ପ୍ରିୟବ୍ରତ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।