୭ ବିଧାୟକ ଓ ୨ ସାଂସଦଙ୍କ ଟିକେଟ୍ କାଟିଲେ ନବୀନ, ବିବାଦୀୟ ବିଧାୟକଙ୍କୁ ମିଳିଲାନି ଟିକେଟ୍
୨ୟ ପର୍ଯ୍ୟାୟରେ ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ମୋଟ ୨୯ ଜଣ ବିଧାନସଭା ପ୍ରାର୍ଥୀ ଘୋଷଣା କରାଯାଇଛି । ସେହିଭଳି ୫ ଜଣ ଲୋକସଭା ପ୍ରାର୍ଥୀଙ୍କ ନାଁ ବି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ବଡ କଥା ହେଉଛି ଏଥର ୭ ଜଣ ବିଧାୟକଙ୍କ ଟିକେଟ୍ କାଟିଛି ବିଜୁ ଜନତା ଦଳ । ଏହା ସହିତ ୨ ଜଣ ସାଂସଦଙ୍କ ଟିକେଟ୍ ବି କଟିଛି । ଦ୍ବିତୀୟ ପର୍ଯ୍ୟାୟରେ ମୋଟ ୨୨ ଜଣ ବିଧାୟକ ପ୍ରାର୍ଥୀଙ୍କୁ ରିପିଟ୍ କରିଛି ଦଳ । ଯାହାଙ୍କୁକି ୨୦୧୯ରେ ଟିକେଟ୍ ମିଳିଥିଲା । ମାହାଙ୍ଗାର ବିବାଦୀୟ ବିଧାୟକ ପ୍ରତାପ ଜେନାଙ୍କ ଟିକେଟ୍ କାଟିଛି ଦଳ । ତାଙ୍କ ସ୍ଥାନରେ ପୁଅ ଅଙ୍କିତ ପ୍ରତାପ ଜେନାଙ୍କୁ ଦଳ ଟିକେଟ୍ ଦେଇଛି । ମାହାଙ୍ଗା ଡବଲ ମର୍ଡର ଘଟଣାରେ ବିଧାୟକ ପ୍ରତାପ ଜେନାଙ୍କ ନାଁ ଆସିଥିଲା । ସେପଟେ ବିବାଦୀୟ ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସଙ୍କୁ ବିଦା କରାଯାଇଛି । ଯୁବତୀଙ୍କୁ ପ୍ରତାରଣା ଦେବା ଅଭିଯୋଗରେ ମାମଲା ଏବେ ବି କୋର୍ଟରେ ଚାଲିଛି ।
ସେହିଭଳି ସୋର ବିଧାୟକ ପର୍ଶୁରାମ ଧଡାଙ୍କ ଟିକେଟ୍ କାଟିଛି ବିଜେଡି । ତାଙ୍କ ସ୍ଥାନରେ ମାଧମ ଧଡାଙ୍କୁ ଦଳ ପ୍ରାର୍ଥୀ କରିଛି । ମୋରଡା ବିଧାୟକ ରାଜକିଶୋର ଦାସଙ୍କ ଟିକେଟ୍ କଟିଥିବା ବେଳେ ପ୍ରୀତିନନ୍ଦା କାନୁନଗୋଙ୍କୁ ପ୍ରାର୍ଥୀ କରିଛି ବିଜେଡି । ସେହିଭଳି ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏଙ୍କ ସ୍ଥାନରେ ଦଳ ନଳୀନ କାନ୍ତ ପ୍ରଧାନଙ୍କୁ ଦଳ ଟିକେଟ ଦେଇଛି । ତିର୍ତ୍ତୋଲର ବିବାଦୀୟ ବିଧାୟକ ବିଜୟଶଙ୍କର ଦାସଙ୍କ ଟିକେଟ୍ କଟିଥିବା ବେଳେ ପଟ୍ଟାଙ୍ଗି ବିଧାୟକ ପ୍ରିତମ ପାଢୀ ଓ ଫୁଲବାଣୀ ବିଧାୟକ ଅଙ୍ଗଦ କଅଁରଙ୍କ ଟିକେଟ୍ କାଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତିର୍ତ୍ତୋଲରୁ ଦଳ ଏଥର ରମାକାନ୍ତ ଭୋଇଙ୍କୁ ପ୍ରାର୍ଥୀ କରିଥିବା ବେଳେ ପଟ୍ଟାଙ୍ଗି ପ୍ରଫୁଲ୍ଲ କୁମାର ପାଙ୍ଗି ଓ ଫୁଲବାଣୀରୁ ବିଜେଡି ଏଥର ଜୟଶ୍ରୀ କଅଁରଙ୍କୁ ପ୍ରାର୍ଥୀ କରିଛି ।ଭୁବନେଶ୍ୱର ରୁ ଶିବ କେତନ ମହାନ୍ତି ଙ୍କ ରିପୋର୍ଟ