ଆସିକା ୧୭/୦୬-ଆସିକା କଳିଙ୍ଗ ରୋଡ଼ ସ୍ଥିତ ଏଥର ହୋଟେଲ ପରିସରରେ ଆସିକା ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି ବିଶେଷ ଓ ସମାଜସେବୀ ମାନଙ୍କ ଉପସ୍ଥିତିରେ ପ୍ରଫେସର ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ପ୍ରତିଷ୍ଠିତ ଲାଇଫ ଅଫ ଗିଭିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।୨୦୧୩ମସିହାରେ ଜୁନ ୧୭ ଠାରୁ ଲାଇଫ ଅଫ ଗିଭିଂ କାର୍ଯ୍ୟକ୍ରମ ଆରମ୍ଭ ହୋଇ ବର୍ତ୍ତମାନ ସମଗ୍ର ବିଶ୍ୱରେ ପରିଚୟ ଲାଭ କରିପାରିଛି। ପରସ୍ପର ମଧ୍ୟରେ ଶାନ୍ତି, ପ୍ରେମ ଓ ମୈତ୍ରୀ ଭାବନା ଜାଗ୍ରତ କରିବା ଲକ୍ଷ୍ୟ ଓ ଉଦ୍ଦେଶ୍ୟକୁ ନେଇ ଏହି କାର୍ଯ୍ୟକ୍ରମ ସାର୍ବଜନୀନ କରାଯାଇଥିବା ନେଇ କହିଥିଲେ କଳିଙ୍ଗ ଟିଭି ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ତଥା ଆଜିର ସମ୍ମାନିତ ଅତିଥି ପ୍ରକାଶ ପଟ୍ଟନାୟକ । ସେହିପରି ପ୍ରଫେସର ଅଚ୍ୟୁତ ସାମନ୍ତଙ୍କ ଚିନ୍ତାଧାରା ଓ ସାମାଜିକ ସେବା କେତେ ସୁଦୂରପ୍ରସାରି ହୋଇପାରିଛି ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ମୁଖ୍ୟ ବକ୍ତା ଟିଭି ଭାସ୍କର ରାଓ। ଆସିକା ଅଞ୍ଚଳର ବରିଷ୍ଠ ଶିକ୍ଷାବିତ ତଥା ମାନବ ସେବା ସମିତିର ପ୍ରତିଷ୍ଠାତା ଗଣେଷ ରଥ ମୁଖ୍ୟ ଅତିଥି ରୂପେ ଯୋଗଦେଇ ବହୁମୂଲ୍ୟ ବକ୍ତବ୍ୟ ରଖିଥିଲେ। ଅନ୍ୟତମ ଅତିଥି ଭାବେ ପୂର୍ବତନ ବିଧାୟିକା ମଞ୍ଜୁଳା ସ୍ୱାଇଁ, ବରିଷ୍ଠ ଆଇନଜୀବୀ ଦିଲ୍ଲୀପ କୁମାର ପାଣିଗ୍ରାହୀ, ପୂର୍ବତନ ଓକିଲ ସଙ୍ଘ ସଭାପତି ସୁରେନ୍ଦ୍ର ନାଥ ପଣ୍ଡା, ପୂର୍ବତନ ଶିକ୍ଷକ ନେତା ପୀତବାସ ମହାପାତ୍ର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ହରେକୃଷ୍ଣ ମଳିକ, ବିଡ଼ିଓ ଫକୀର ଚରଣ ପରିଡା ପ୍ରମୁଖ ଯୋଗଦେଇଥିଲେ। ବିଭିନ୍ନ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା ଯୋଗଦେଇ କାର୍ଯ୍ୟକ୍ରମ ସମ୍ପର୍କରେ ନିଜ ନିଜର ମତ ଉପସ୍ଥାପନା କରିଥିଲେ। ସମାଜସେବା କ୍ଷେତ୍ରରେ ଅବଦାନ ଥିବା ବ୍ୟକ୍ତି ବିଶେଷ ମାନଙ୍କୁ ଏହି କାର୍ଯ୍ୟକ୍ରମରେ ସମ୍ମାନ ପତ୍ର ଦେଇ ସମ୍ମାନିତ କରାଯାଇଥିଲା। କବିସୂର୍ଯ୍ୟ ରକ୍ତଦାନ ସେବାସଙ୍ଘ, ବିପଦର ବନ୍ଧୁ ଓଡିଶା, ପାୱାରଫୁଲ ଲେଡି ଅଫ ଆସିକା , ପତଞ୍ଜଳି ସେବା ସମିତି ଆସିକା, ମାନବ ସେବା ସମିତି ଆସିକା ସମେତ ବହୁ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଲାଇଫ ଅଫ ଗିଭିଂର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ବିଷଦ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମକୁ ଜର୍ଣ୍ଣାଲିଷ୍ଟ ଆସୋସିଏସନର ସଭାପତି ଅନିଲ କୁମାର ପାଣିଗ୍ରାହୀ ଓ ଯୁବ ସାମ୍ବାଦିକ ରତ୍ନାକର ଶିୟ ସଂଯୋଜନା କରିଥିଲେ। ଆସିକା ଜର୍ଣ୍ଣାଲିଷ୍ଟ ଆସୋସିଏସନର ସମସ୍ତ ସଦସ୍ୟ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। କଳିଙ୍ଗ ଟିଭି ରିପୋର୍ଟର ବାଲ୍ମୀକି ବିଷୋୟୀ ଧନ୍ୟବାଦ ଅର୍ପଣ କରିଥିଲେ।