ଯୋଡା ପାର୍ଶ୍ଵବର୍ତ୍ତୀ 26 ଗୋଟି ଗାଁ ଏବଂ ଯୋଡା ମୁନିସିପାଲିଟି ର 14 ଟି ୱାର୍ଡ ର ବାସିନ୍ଦା ହେବେ ଉପକୃତ
ଯୋଡ଼ା, ଜୁଲାଇ୩୧/୦୭(ସଂଘର୍ଷ ରମେଶ) କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଯୋଡ଼ା ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟି ଏସ୍ ଏଫ୍) ଓ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ମିଳିତ ସହଯୋଗରେ ବୁଧବାର ଯୋଡ଼ାରେ ଏକ ସଚେତନତା ଅଭିଯାନର ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ଗ୍ରାମୀଣ ଓ ଆଦିବାସୀ ସମୁଦାୟ ନିକଟରେ ସ୍ୱାସ୍ଥ୍ୟ ସେବା ପହଂଚାଇବା, ସଚେତନତା ସୃଷ୍ଟି କରିବା ଏବଂ ସାଧାରଣ ଓ ବ୍ୟାପୁଥିବା ରୋଗର ମୁକାବିଲା ପାଇଁ ହାତପାହାନ୍ତା ରେ ସ୍ୱାସ୍ଥ୍ୟସେବା ଯୋଗାଇବା ।ଯୋଡ଼ା ମ୍ୟୁନିସିପାଲିଟିର ଅଧ୍ୟକ୍ଷ ଡ. ଜଗଦ୍ଦୀଶ ପ୍ରସାଦ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡେଙ୍ଗୁ ନିରାକରଣ ଅଭିଯାନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଅତିଥି ଭାବେ ଉପାଧ୍ୟକ୍ଷ ସନ୍ଧ୍ୟା ପାତ୍ର, ଟାଟା ଷ୍ଟିଲ୍ ଯୋଡ଼ା ମୁଖ୍ୟ ରାଜେଶ କୁମାର ଓ ଟାଟା ଷ୍ଟିଲ୍ ଫାଉଣ୍ଡେସନ ଯୋଡ଼ାର ଇମ୍ପାକ୍ଟ କ୍ଲଷ୍ଟର ମୁଖ୍ୟ ରବିନ୍ଦ୍ର କୁମାର ଉପସ୍ଥିତ ଥିଲେ ।ଡେଙ୍ଗୁ ନିରାକରଣ ଅଭିଯାନରେ କାମ କରୁଥିବା ସ୍ୱାସ୍ଥ୍ୟକର୍ମୀଙ୍କ ଦକ୍ଷତା ବିକାଶ, ଘରକୁ ଘର ପରିଦର୍ଶନ ଏବଂ ମଶା ବଂଶ ବୃଦ୍ଧି ରୋକିବା ଲାଗି ସ୍ଥାନୀୟ ଲୋକଙ୍କୁ ଏକଜୁଟ କରିବା ଉପରେ ଧ୍ୟାନ ଦିଆଯାଉଛି । ସ୍ଥାନୀୟ ଲୋକଙ୍କୁ ସାମିଲ କରି ଏହି ଅଭିଯାନରେ ସଚେତନତା ବୃଦ୍ଧି କରାଯାଉଛି । ସୂଚନା, ଶିକ୍ଷା ଓ ଯୋଗାଯୋଗ (ଆଇଇସି)କୁ ବ୍ୟବହାର କରି ଲୋକମାନଙ୍କ ଆଚରଣ ପରିବର୍ତନ ଯୋଗାଯୋଗ (ବିସିସି)କୁ ଅଗ୍ରାଧିକାର ଭିତିରେ ଗୁରୁତ୍ୱପୂର୍ଣ୍ଣ ଭାବେ ବ୍ୟବହାର କରାଯାଉଛି ଯାହା ଦ୍ୱାରା ତାହା ଗ୍ରାମୀଣ ଗୋଷ୍ଠୀରେ ଗ୍ରହଣୀୟ ହୋଇପାରିଛି । ଏହି ଅଭିଯାନର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଦିଗଟି ହେଉଛି ଏଥିରେ ଏକ ପ୍ରଚାର ଗାଡ଼ିକୁ ଗଣ ସଚେତନତା ସୃଷ୍ଟି ଲାଗି ବ୍ୟବହାର କରାଯାଇଛି ।ଏହି ଗାଡ଼ି ଆସନ୍ତା ତିନି ମାସ ଧରି ଯୋଡା ମୁନିସିପାଲିଟି ର 14 ଗୋଟି ୱାର୍ଡ ସହ ବଲାଣି, ଯୁରୁଡି, ଜଲହରି, ଜଜIଙ୍ଗ ଏବଂ ଭୂୟାଁ ରେIଇଡା ଗ୍ରାମପଞ୍ଚାୟତ ର ସମସ୍ତ ଗାଁ ଓ ଦୁର୍ଗମ ବସତି ଭ୍ରମଣ କରି ସ୍ଥାନୀୟ ଲୋକମାନଙ୍କୁ ଡେଙ୍ଗୁ ରୋଗରୁ ଥିବା ଭୟ ବିଷୟରେ ସଚେତନ କରିବ ଏବଂ ଏଥିରୁ ରକ୍ଷା ପାଇବା ଲାଗି ଗ୍ରହଣ କରାଯିବାକୁ ଥିବା ସରଳ ଓ ପ୍ରଭାବଶାଳୀ ପଦକ୍ଷେପ ବିଷୟରେ ସ୍ଲୋଗାନ ଓ ଘୋଷଣା ଜରିଆରେ ଅବଗତ କରାଯିବ ।
ଫାଉଣ୍ଡେସନର ଭିବିଡି ଓ ଏନ୍ସିଡି ନିୟନ୍ତ୍ରଣ କାର୍ଯ୍ୟକ୍ରମରେ ଡେଙ୍ଗୁ ଜ୍ୱର ଓ ମ୍ୟାଲେରିଆ ସହିତ ଡାଇବେଟିସ୍, ରକ୍ତଚାପ ଓ ସ୍ତନ କର୍କଟ ଭଳି ଦୀର୍ଘକାଳୀନ ରୋଗ ଭଳି ବିଭିନ୍ନ ପ୍ରକାର ରୋଗର ନିରାକରଣ ଓ ପରିଚାଳନା କରିବାକୁ ଲକ୍ଷ୍ୟ ରଖାଯାଇଛି । ନିରାକରଣ, ଆଗୁଆ ଚିହ୍ନଟ ଓ ଜନସାଧାରଣଙ୍କୁ ସାମିଲ କରିବା ଉପରେ ଜୋର ଦେଇ ଏହି କାର୍ଯ୍ୟକ୍ରମ ସମାଜରେ ରୋଗର ରହିଥିବା ପ୍ରଭାବ ଓ ଘଟଣାଗୁଡ଼ିକୁ ହ୍ରାସ କରିବାକୁ ଲକ୍ଷ୍ୟ ରଖିଛି ।