ଯୋଡା୧୬/୩ (ସଂଘର୍ଷ ରମେଶ)କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ଯୋଡ଼ା ଶାଖା ଦ୍ୱାରା ୧୩ମ ବାର୍ଷିକ ଉତ୍ସବ ଶନିବାର ଶୁଭାରମ୍ଭ ହୋଇଯାଇଛି । ଏହି ଅବସରରେ ଯୋଡା ଶାଖା ଗାୟତ୍ରୀ ପରିବାର ଦ୍ୱାରା ନବ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞର ଆୟୋଜନ କରାଯାଇଛି । ଯୋଡା ସ୍ଥିତ ସେଣ୍ଟ ଟେରେସା ସ୍କୁଲ ନିକଟ ଖେଳପଡିଆ (ହୁଡିସାହି) ଠାରେ ଶନିବାର ଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ୪ ଦିବସୀୟ ଗାୟତ୍ରୀ ମହାଯଜ୍ଞର ପ୍ରଥମ ଦିବସରେ ୩ ନମ୍ବର ୱାର୍ଡ କାଉନସିଲର ରଶ୍ମିତା ପାଣିଗ୍ରାହୀ ମୁଖ୍ୟଅତିଥି ଓ ଗାୟତ୍ରୀ ପରିବାରର ଜିଲ୍ଲା ସଂଯୋଜକ ରମେଶ ଚନ୍ଦ୍ର ମିଶ୍ର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ସର୍ବପ୍ରଥମେ ମହାମନ୍ତ୍ର ଓ ବୈଦିକ ରୀତିନୀତି ପରମ୍ପରା ଅନୁଯାୟୀ ଧର୍ମଧ୍ୱଜା ଉତ୍ତୋଳନ ହୋଇଥିଲା । ତତ୍ପରେ ଯଜ୍ଞ ଆରମ୍ଭ ପୂର୍ବରୁ ୨୫୧ ଜଣ କନ୍ୟା ଓ ମହିଳା ମାନେ ହଳଦୀ ରଙ୍ଗର ବସ୍ତ୍ର ପରିଧାନ ପୂର୍ବକ ସୁନାନଦୀ ଘାଟରୁ ମନ୍ତ୍ର ଉଚ୍ଚାରଣ ପୂର୍ବକ କଳସୀରୁ ପାଣି ଉଠାଇ ଶୋଭାଯାତ୍ରାରେ ଯଜ୍ଞ ସ୍ଥଳରେ ପହଞ୍ଚି ଥିଲେ । ବ୍ରତଧାରୀଙ୍କ ପଦଧୌତ ପରେ ଜଳଭର୍ତ୍ତୀ କଳସୀ ସମୂହକୁ ଯଜ୍ଞ ମଣ୍ଡପରେ ସ୍ଥାପନ କରି ପରବର୍ତ୍ତୀ କାର୍ଯ୍ୟସୂଚୀ ଅନୁଯାୟୀ ମାଙ୍ଗଳିକ କାର୍ଯ୍ୟକ୍ରମ ସମୂହ ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟାରେ ଯୁଗ ସଙ୍ଗୀତ ଓ ପ୍ରବଚନ କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି ।
ଉକ୍ତ କାର୍ଯ୍ୟକ୍ରମକୁ ସୁକଦେବ ବେହେରା, ଆଶିଷ ରାଉତ, ଗୌର ମୋହନ ପାତ୍ର, କ୍ଷୀରୋଦ ପାତ୍ର,ଯୋଡ଼ା ବ୍ଳକ ସଂଯୋଜକ ମାନସ ପଟ୍ଟନାୟକଙ୍କ ସମେତ ଅନ୍ୟ ଗାୟତ୍ରୀ ପରିବାର ସଦସ୍ୟ ମାନେ ସହଯୋଗ କରିଥିଲେ ।