ନବମ ପଞ୍ଚକ ମହୋତ୍ସବ କମିଟି ପକ୍ଷରୁ ବଳଗଣ୍ଡି ସ୍ଥିତ ମାଉସୀମାଙ୍କ ମନ୍ଦିର ସମ୍ମୁଖରେ ଆଧ୍ୟାତ୍ମିକ ସାଂସ୍କୃତିକ କାର୍ଯ୍ୟକ୍ରମରେ ତୃତୀୟ ସଂଧ୍ଯାରେ ହରିକଥା ଶ୍ରବଣ ଓ ଭକ୍ତି ରସରେ ଭିଜିଥିଲେ ହବିଷିଆଳି ଓ ଶ୍ରଦ୍ଧାଳୁ । ହରିନାମ, ସଂକୀର୍ତ୍ତନ ଓ ଭଜନ ପରିବେଷଣ ଯୋଗୁ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ମୁଖ୍ଯ ଅତିଥି ଭାବେ ବରିଷ୍ଠ ସେବାୟତ ଗୌରହରି ପ୍ରଧାନ ଯୋଗଦେଇ ଶ୍ରୀଜଗନ୍ନାଥଙ୍କ ନିକଟରେ ପୁଷ୍ପ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରି କହିଲେ ମହାପ୍ରଭୁଙ୍କ ପାଖରେ ପବିତ୍ରତା ସହ ଭକ୍ତି ଓ ଶ୍ରଦ୍ଧା ରଖିଲେ ଭଗବତ ପ୍ରାପ୍ତି ମିଳିଥାଏ ବୋଲି କହିଥିଲେ । ସମ୍ମାନିତ ଅତିଥ ଭାବେ ବରିଷ୍ଠ ସେବାୟତ ଗୋପାଳ ଚନ୍ଦ୍ର ଖୁଣ୍ଟିଆ ଯୋଗଦେଇ କହିଲେ ପବିତ୍ର ଧର୍ମମାସ କାର୍ତ୍ତିକ । କାର୍ତ୍ତିକ ମାସର ପଞ୍ଚକ ପାଞ୍ଚଦିନ ଦିନର ମାହାତ୍ମ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଆୟୋଜିତ ଆଧ୍ୟାତ୍ମିକ କାର୍ଯ୍ଯକ୍ରମରେ କମିଟିର ସଭାପତି ଜଗନ୍ନାଥ ଦାସ ମହାପାତ୍ର ସଭାପତିତ୍ବ କରିଥିବାବେଳେ ମହୋତ୍ସବ କମିଟିର ଉପାଧ୍ୟକ୍ଷ ଚକ୍ରଧର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଅଭ୍ୟର୍ଥନା କମିଟିର ସମ୍ପାଦକ ମଧୁସୂଦନ ମିଶ୍ର ସ୍ବାଗତ ଭାଷଣ ଓ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । କାର୍ଯ୍ଯକାରୀ ସଭାପତି ବୀରେନ୍ଦ୍ର କୁମାର ଶାସ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ । ମହୋତ୍ସବ କମିଟିର ସାଧାରଣ ସମ୍ପାଦକ ରାମଚନ୍ଦ୍ର ଦୋରା ,ଗୋପୀନାଥ ମହାନ୍ତି କାର୍ଯ୍ୟକ୍ରମ ପରିଚଳନା କରିଥିବା ବେଳେ ମୂଖ୍ଯ ସଂଯୋଜକ ସତ୍ଯ ନାରାୟଣ ଦାଶ, ଜ୍ୟୋତିପ୍ରକାଶ ଜେନା, ତ୍ରିଲୋଚନ ରଥ, ରଘୁନାଥ ମହାନ୍ତି, ଗୋପୀନାଥ ମହାନ୍ତି,ଚିତ୍ତରଞ୍ଜନ ମହାନ୍ତି,ବିଜୟକୃଷ୍ଣ ଦାସ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ପ୍ରାରମ୍ଭରେ ରାଧେ ରାଧେରେ ପ୍ରକମ୍ପିତ ହୋଇଥିଲା ମାଉସୀମାଙ୍କ ପୀଠ ପରିସର । ରାଧାମୋହନ ସଂକୀର୍ତ୍ତନ ଦଳ ପକ୍ଷରୁ ସଂକୀର୍ତ୍ତନ ପରିବେଷଣ କରାଯାଇଥିଲା । ପ୍ରଶାନ୍ତି ନୃତ୍ଯ ସଙ୍ଗୀତ ପରିଷଦ ପୁରୀ ପକ୍ଷରୁ ଆଧ୍ୟାତ୍ମିକ ନୃତ୍ଯ ପରିବେଷଣ ହୋଇଥିଲା । ଗୁରୁ ସାଗରିକା ମହାପାତ୍ରଙ୍କ ନୃତ୍ଯ ନିର୍ଦ୍ଦେଶନାରେ ମାହାରୀ ନୃତ୍ଯ, ଓଡିଶୀନୃତ୍ଯ ଦେଖୋ ଗୋ ରାଧା ମାଧବ ଚାଲି, ରାଧା ରାଣୀ ସଙ୍ଗେ ନାଚେ ମୁରଲି ପାଣି ଭଜନ, ସମ୍ବଲପୁରୀ ଓ ରାଧାକୃଷ୍ଣ ନୃତ୍ଯ ଅନୁଷ୍ଠାନର କଳାକାରଙ୍କ ଦ୍ବାରା ପରିବେଷଣ କରାଯାଇଥିଲା । ନୃତ୍ଯର ଛନ୍ଦ ତାଳ ଲୟରେ ମନ୍ତ୍ରମୁଗ୍ଧ ହୋଇଥଲେ ଦର୍ଶକ । ହରିବୋଲ ହୁଳହୁଳି ସହ ଜୟ ଜଗନ୍ନାଥ ଧ୍ବନିରେ ପ୍ରବକ୍ତା ପଣ୍ଡିତ ବିପିନ ବିହାରୀ ମିଶ୍ରଙ୍କ ହରିକଥା ସମ୍ପର୍କରେ ପ୍ରବଚନ ପ୍ରଦାନ କରିଥିଲେ । ଭାବ ଭକ୍ତି ରସରେ ଭିଜିଥିଲେ ହବିଷିଆଳି ଓ ଦର୍ଶକ । ଅତିଥିମାନଙ୍କ ଦ୍ବାରା ପ୍ରବକ୍ତା ପଣ୍ଡିତ ବିପିନ ବିହାରୀଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ମନିଷା କଳା ନିକେତନର ମନିଷା ମହାନ୍ତିଙ୍କ ନିର୍ଦ୍ଦେଶନାରେ ମାହାରୀ,ଓଡିଶୀନୃତ୍ଯ, ଦୁର୍ଗା ନୃତ୍ଯ, ଗଣେଷ ବନ୍ଦନା, ଓ ଭଜନ ନୃତ୍ଯ କଳାକାରଙ୍କ ଦ୍ବାରା ପରିବେଷଣ କରାଯାଇଥିଲା । ଶେଷରେ ଅନିତା କଲଚରାଲ ଏକାଡେମୀ ପୁରୀ ପକ୍ଷରୁ ଡ୍ଯାନ୍ସ ଡ୍ରାମା ଓ ଭଜନନୃତ୍ଯ ପରିବେଷଣ ହୋଇଥିଲା ।,ଅଭିମନ୍ୟୁ କାନୁନଗୋ ସଂଯୋଜନା କରିଥିବା ବେଳେ ମଞ୍ଚ ସଂଚାଳନ କରିଥିଲେ ସିଦ୍ଧାର୍ଥ ପଟ୍ଟନାୟକ । ଶତାଧିକ ଶ୍ରଦ୍ଧାଳୁଙ୍କ ସମେତ ତୀର୍ଥଯାତ୍ରୀ,ପର୍ଯ୍ୟଟକ ଓ ସ୍ଥାନୀୟ ଲୋକମାନେ ଆଧ୍ୟାତ୍ମିକ କାର୍ଯ୍ଯକ୍ରମକୁ ଆନନ୍ଦ ଉଲ୍ଲାସର ସହିତ ଉପଭୋଗ କରିଥିଲେ ।