ବିଶିଷ୍ଟ ସାହିତ୍ୟିକ ଅଭିନ୍ନ ଚନ୍ଦ୍ର ସାହୁଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା । ରାଜଧାନୀ ଭୁବନେଶ୍ୱର ସ୍ଥିତ ନିଜ ବାସଭବନରେ ଶ୍ରୀ ସାହୁ ଶେଷ ନିଃଶ୍ୱାସ #ତ୍ୟାଗ କରିଥିବା ଜଣାପଡ଼ିଛି ।
ଶ୍ରୀ ସାହୁ ଜଣେ ସୁଯୋଗ୍ୟ ଶିକ୍ଷାବିତ, କବି ତଥା ସାହିତ୍ୟ ସମାଲୋଚକ ଭାବେ ପ୍ରଶଂସକଙ୍କ ମହଲରେ ବେଶ୍ ପରିଚିତ ଥିଲେ । ତାଙ୍କ ଦ୍ୱାରା ସମ୍ପାଦିତ ହୋଇଥିବା ‘ଆଧୁନିକ ଓଡ଼ିଆ ସାହିତ୍ୟର ଭୂମି ଓ ଭୂମିକା’ ବହୁ ପାଠକଙ୍କ ମଧ୍ୟରେ ବେଶ୍ ଆଦୃତି ଲାଭ କରିଥିଲା । ବିଶ୍ୱଭାରତୀର ସେ ଜଣେ ପ୍ରାକ୍ତନ ଛାତ୍ର ରହିଥିଲେ । ଓଡ଼ିଆ ବିଭାଗରେ ସେ ଜଣେ ଆଦର୍ଶ ଅଧ୍ୟାପକ ଭାବେ ସୁନାମ ଅର୍ଜନ କରିଥିଲେ ।
ଶ୍ରୀ ସାହୁଙ୍କ ବିୟୋଗରେ ସାହିତ୍ୟ ଜଗତ ସହ ଜଡ଼ିତ ରାଜ୍ୟର ବହୁ କବି ଓ ଲେଖକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ତାଙ୍କର ବିୟୋଗରେ ସାହିତ୍ୟ ତଥା ଅଧ୍ୟାପନା କ୍ଷେତ୍ରର ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ଅଧ୍ୟାପକ ପଦରେ ଥାଇ ସେ ଚାକିରିରୁ ଅବସର ଗ୍ରହଣ କରିଥିଲେ । ତାଙ୍କର ସାହିତ୍ୟ କୃତୀ ପାଠକଙ୍କ ହୃଦୟକୁ ସ୍ପର୍ଶ କରିବାରେ ବେଶ୍ ସହାୟକ ହେଉଥିଲା । ତାଙ୍କର ଅନେକ ସାରସ୍ୱତ କୃତି ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇଥିଲା, ଭୁବନେଶ୍ୱର ରୁ ଶିବ କେତନ ମହାନ୍ତି ଙ୍କ ରିପୋର୍ଟ