Dec 25, 2023
କବିସୂର୍ଯ୍ୟନଗର,୨୫/୧୨(sangharsatv):କବିସୂର୍ଯ୍ୟନଗର ଥାନାରେ ଜାଲ୍ ସାର୍ଟିଫିକେଟ ଦେଇ ଚାକିରୀ ଘଟଣାରେ ଶିକ୍ଷକ ଦମ୍ପତିଙ୍କ ନାମରେ ମାମଲା ରୁଜୁ ହୋଇଥିବା ଜଣାପଡିଛି । ଘଟଣା ସମ୍ପର୍କରେ ଜଣାପଡିଛି ଯେ ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟ ନୋଡାଲ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ନିରାନନ୍ଦ ସାହୁଙ୍କ ସାର୍ଟିଫିକେଟ୍ ଜାଲ୍ ଥିବା ନେଇ ତଦନ୍ତ କରିବା ପାଇଁ ତା-୦୯/୧୨/୨୦୧୯ରେ ସାମାଜିକ କର୍ମୀ ସମରଜିତ୍ ମହାନ୍ତି ଅଭିଯୋଗ କରିଥିଲେ । ଶିକ୍ଷକ ଶ୍ରୀ ସାହୁଙ୍କ ସାର୍ଟିଫିକେଟ ଜାଲ୍ ଥିବା ଜଣା ପଡିଥିଲେ ମଧ୍ୟ ପୂର୍ଵତନ ଡିଇଓ ସୁରକ୍ଷା ଦେବା ପାଇଁ ଚେଷ୍ଟା କରିଥିଲେ । ବର୍ତ୍ତମାନ ଶିକ୍ଷକ ଶ୍ରୀ ସାହୁଙ୍କ ପତ୍ନୀ ଶିକ୍ଷୟତ୍ରୀ ବନିତା କୁମାରୀ ସାହୁ ମଧ୍ଯ ମାର୍କ ବଢାଇ ବିଇଡି କରି ଚାକିରୀ ହାତେଇଥିବା ଜଣା ପଡିବା ପରେ ଶିକ୍ଷକ ନିରାନନ୍ଦ ସାହୁଙ୍କ ଫାଇଲ୍ ଖୋଲିଥିଲା ।ବର୍ତ୍ତମାନ ଡିଇଓଙ୍କ ନିର୍ଦ୍ଦେଶ ପରେ ହାତୀଓଟ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କବିସୂର୍ଯ୍ୟନଗର ଥାନାରେ କେସ ଦେଇଛନ୍ତି । କେସ ନମ୍ବର ୭୬୨/ତା-୧୮/୧୨/୨୦୨୩,ଧାରା ୪୨୦/୪୭୧ରେ ଶିକ୍ଷକ ନିରାନନ୍ଦ ସାହୁଙ୍କ ନାମରେ ମାମଲା ରୁଜୁ ହୋଇଛି। ସେହିଭଳି କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ବଡମହୁରୀ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟର ଶିକ୍ଷୟତ୍ରୀ ବନିତା କୁମାରୀ ସାହୁଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ତା-୧୮/୧୦/୨୦୨୩ରେ ସାମାଜିକ କର୍ମୀ ସମରଜିତ୍ ମହାନ୍ତି ଅଭିଯୋଗ କରିଥିଲେ ।ତଦନ୍ତ ପରେ ଜଣାପଡିଲା ବନିତା କୁମାରୀ ସାହୁ ମାର୍କ ବଢାଇ ବିଇଡି କୋର୍ସ କରିଛନ୍ତି । ଡିଇଓଙ୍କ ନିର୍ଦ୍ଦେଶ ପରେ କବିସୂର୍ଯ୍ୟନଗର ବିଇଓ ଅଭିମନ୍ଯୁ ସାହୁ ଶିକ୍ଷୟତ୍ରୀ ବନିତା କୁମାରୀ ସାହୁଙ୍କ ନାମରେ କବିସୂର୍ଯ୍ୟନଗର ଥାନାରେ କେସ ଦେଇଛନ୍ତି । କେସ ନମ୍ବର ୭୬୩/ତା-୧୮/୧୨/୨୦୨୩,ଧାରା ୪୨୦/୪୭୧ ଅନୁଯାଇ ମାମଲା ରୁଜୁ ହୋଇଥିବା ନେଇ ଥାନା ଅଧିକାରୀ ପ୍ରଭାତ କୁମାର ସାହୁ ସୂଚନା ଦେଇଛନ୍ତି । ସାର୍ଟିଫିକେଟ କେଉଁଠୁ ଆସୁଛି ଏବଂ ପ୍ରସ୍ତୁତ ହେଉଛି ତାଉପରେ ତଦନ୍ତ କରାଯାଉଛି ବୋଲି ଥାନା ଅଧିକାରୀ କହିଛନ୍ତି । ନିରାନନ୍ଦ ସାହୁ ଜାଲ୍ ସାର୍ଟିଫିକେଟ ବିକ୍ରୀ କରିଥିବା ନେଇ ଚର୍ଚ୍ଚା ଶୁଣିବାକୁ ମିଳୁଛି । ଆଗାମୀ ଦିନରେ ଏହି ଜାଲ୍ ସାର୍ଟିଫିକେଟ କାରବାରର ଗୁମର ଫିଟିବାର ସମ୍ଭାବନା ରହିଛି ।