ଚିଲିକା ଗସ୍ତରେ ଛତିଶଗଡ ରାଜ୍ୟପାଳ: ଅନ୍ୟାୟ ବିରୋଧରେ ଲଢେଇ କରିବାକୁ ଦେଲେ ଆହ୍ଵାନ….
ଆଜି ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଚିଲିକା ଓ ବାଣପୁର ଦିନିକିଆ ଗସ୍ତରେ ଆସି ବିଭିନ୍ନ ଶୈବ ମନ୍ଦିର ଦର୍ଶନ କରି ଆଶୀର୍ବାଦ ନେବା ସହ ବନ୍ଧୁ ମିଳନରେ ଯୋଗ ଦେଇଛନ୍ତି।
ରାଜ୍ୟପାଳଙ୍କ ସହିତ ତାଙ୍କର ଧର୍ମପତ୍ନୀ ମଧ୍ୟ ଉପସ୍ଥିତ ଥିଲେ। ବନ୍ଧୁ ମିଳନରେ ଆପଣମାନେ ସମସ୍ତେ ମୋ ନିଜ ପରିବାରର ଲୋକ ବୋଲି ରାଜ୍ୟପାଳ ସମ୍ବୋଧନ କରିଥିଲେ। ଏ ମାଟି ବୀର ପାଇକ ମାଟି ହୋଇଥିବା ବେଳେ ଆପଣ ମାନେ ଅନ୍ୟାୟ ବିରୋଧରେ ଲଢେଇ କରିବାକୁ ସମସ୍ତଙ୍କୁ ସେ ଆହ୍ୱାନ ଦେଇଥିଲେ। ଏବଂ ଲଢେଇକୁ ବ୍ୟାପକ କରିବାକୁ ସମସ୍ତଙ୍କୁ ପରାମର୍ଶ ଦେବା ସହ ତୋଷାମଦ ଠାରୁ ଦୁରେଇ ରହି ସ୍ୱାଭିମାନ ସହକାରେ ବଞ୍ଚିବାକୁ କହିଥିଲେ।
ବାଲୁଗାଁ ଠାରେ ଥିବା ଶ୍ରୀ ଉମା ମହେଶ୍ୱର ବଣିକ ସଙ୍ଘ ଅଡ଼ିଟୋରିଅମ ହଲରେ ‘ଚିଲିକା ବିକାଶ ଉନ୍ନୟନ ପରିଷଦ’ର ଅଧ୍ୟକ୍ଷ ଡ଼ଃ. ସୁରେନ୍ଦ୍ର ନାଥ ଦାସଙ୍କ ସଭାପତିତ୍ୱରେ ‘ବିକଶିତ ଭାରତ ନିର୍ମାଣରେ ଆମ ଅଞ୍ଚଳର ଭୂମିକା ଓ ଯୋଗଦାନ’ ଶୀର୍ଷକ ଏକ ସାମାଜିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ରାଜ୍ୟପାଳ ଶ୍ରୀ ହରିଚନ୍ଦନ।
ଉକ୍ତ କାର୍ଯ୍ୟକ୍ରମରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ବିଜେପି ବରିଷ୍ଠ ନେତା ପୃଥ୍ୱୀରାଜ ହରିଚନ୍ଦନ, ସାହିତ୍ୟିକ ସଂଗ୍ରାମ କେଶରୀ ସାହୁ, ଓଡିଶା ସାହିତ୍ୟ ଏକାଡେମୀ ସଭାପତି ବିଜୟା ନନ୍ଦ ସିଂ , ପରିଷଦର ସମ୍ପାଦକ ରଂଜିତ ବଡ଼ଜେନା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ବିକଶିତ ଚିଲିକାର ସମ୍ଭାବନା ଅନେକ ଅଛି ଏବଂ ତାହାକୁ ସାକାର କରିବା ମଧ୍ୟ ସମ୍ଭବ। ଚିଲିକା ହ୍ରଦ ଓ ଜଙ୍ଗଲର ବିକାଶ ହେଲେ ଅଂଚଳର ବିକାଶ ସମ୍ଭବ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ଆମ ଅଂଚଳର ସେହିଦିନ ବିକାଶ ହେବ ଯେଉଁଦିନ ଏ ଜାତି ପାଇଁ ଓ ମାଟି ପାଇଁ ଆମେ ଆନ୍ଦୋଳନ କରିବା। ସେହିପରି ଭାବେ ଆପଣ ମାନଙ୍କ ଅଞ୍ଚଳର ବିକାଶ ପାଇଁ ଯୋଗଦାନ ସମ୍ପର୍କରେ ଆପଣଙ୍କୁ ଅନୁସନ୍ଧାନ କରିବାକୁ ପଡିବ ଏବଂ ବିଧାନସଭା ଓ ଲୋକସଭାରେ ଯେଉଁଦିନ ଚିଲିକା ଚିଲିକା ଶୁଭିବ ସେହିଦିନ ବିକାଶ ହେବ ବୋଲି ଆମ୍ଭେ ଅନୁଭବ କରିବା ବୋଲି ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ କହିଥିଲେ।