ହରିୟାଣା ଏବଂ ଜାମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ଭାରତୀୟ ନିର୍ବାଚନ ଆୟୋଗ ଶୁକ୍ରବାର ସାମ୍ୱାଦିକ ସମ୍ମିଳନୀ କରି ନିର୍ବାଚନ ସୂଚୀ ଘୋଷଣା କରିଛନ୍ତି । ଜାମ୍ମୁ କାଶ୍ମୀରରେ ତିନୋଟି ପର୍ଯ୍ୟାୟରେ ମତଦାନ ହେବ । ହରିୟାଣାରେ ଗୋଟିଏ ପର୍ଯ୍ୟାୟରେ ଭୋଟିଂ ହେବ । ଅକ୍ଟୋବର ୪ରେ ଉଭୟର ଫଳାଫଳ ଘୋଷଣା କରାଯିବ ।
ପ୍ରଥମ ପର୍ଯ୍ୟାୟ ମତଦାନ ସେପ୍ଟେମ୍ୱର ୧୮ରେ, ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସେପ୍ଟେମ୍ୱର ୨୫ ଏବଂ ତୃତୀୟ ପର୍ଯ୍ୟାୟ ମତଦାନ ଅକ୍ଟୋବର ୧ରେ ଅନୁଷ୍ଠିତ ହେବ ।
ପ୍ରଥମ ପର୍ଯ୍ୟାୟ ମତଦାନ ସେପ୍ଟେମ୍ୱର ୧୮ରେ, ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସେପ୍ଟେମ୍ୱର ୨୫ ଏବଂ ତୃତୀୟ ପର୍ଯ୍ୟାୟ ମତଦାନ ଅକ୍ଟୋବର ୧ରେ ଅନୁଷ୍ଠିତ ହେବ ।
ଦିଲ୍ଲୀର ବିଜ୍ଞାନ ଭବନରେ ଶୁକ୍ରବାର ଭାରତୀୟ ନିର୍ବାଚନ ଆୟୋଗଙ୍କ ସାମ୍ୱାଦିକ ସମ୍ମିଳନୀ କରି ଜାମ୍ମୁ କାଶ୍ମୀର ଏବଂ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । ଜାମ୍ମୁ କାଶ୍ମୀରରେ ୧୦ ବର୍ଷ ପରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଶେଷ ଥର ପାଇଁ ଜାମ୍ମୁ କାଶ୍ମୀରରେ ୨୦୧୪ରେ ନିର୍ବାଚନ ହୋଇଥିଲା ।
ମୁଖ୍ୟ ନିର୍ବାଚନ ଆୟୋଗ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି ଯେ ଜାମ୍ମୁ କାଶ୍ମୀରର ୯୦ ବିଧାନସଭା ଆସନ ପାଇଁ ମତଦାନ ହେବ । ଏଥିରୁ ୧୬ଟି (ଏସଟି-୯, ଏସସି-୭) ସଂରକ୍ଷିତ ଆସନ ରହିଛି । ରାଜୀବ କୁମାର କହିଛନ୍ତି, ‘ଜାମ୍ମୁ କାଶ୍ମୀରରେ ମୋଟ ଭୋଟରଙ୍କ ସଂଖ୍ୟା ୮୭.୦୯ ଲକ୍ଷ ରହିଛି । ଏଥିରୁ ୪୪.୪୬ ଲକ୍ଷ ପୁରୁଷ ଏବଂ ୪୩.୬୨ ଲକ୍ଷ ମହିଳା ମତଦାତା ଅଛନ୍ତି । ଜାମ୍ମୁ କାଶ୍ମୀରରେ ଯୁବ ଭୋଟରଙ୍କ ସଂଖ୍ୟା ୨୦ ଲକ୍ଷ ରହିଛି ।’
ହରିୟାଣାର ୯୦ ଆସନରେ ବିଧାନସଭା ନିର୍ବାଚନ ହେବ । ଏଥିରୁ ୭୩ଟି ଜେନେରାଲ୍ ଥିବା ବେଳେ ୧୭ଟି ଅନୁସୂଚିତ (ଏସ୍ସି) ପାଇଁ ସଂରକ୍ଷିତ ରହିଛି । ସିଇସି ରାଜୀବ କୁମାର କହିଛନ୍ତି, ‘ହରିୟାଣାରେ ମୋଟ ମତଦାତାଙ୍କ ସଂଖ୍ୟା ୨.୦୧ କୋଟି । ଏଥିରୁ ପୁରୁଷ ମତଦାତାଙ୍କ ସଂଖ୍ୟା ୧.୦୬ କୋଟି, ମହିଳା ମତଦାତାଙ୍କ ସଂଖ୍ୟା ୯୫ ଲକ୍ଷ ରହିଛି ।’
୨୦୧୯ ଅଗଷ୍ଟ ୫ରେ ପରେ ଜାମ୍ମୁ କାଶ୍ମୀରର ରାଜନୈତିକ ସ୍ଥିତି ମଧ୍ୟ ବଦଳିଛି । ଅନୁଚ୍ଛେଦ ୩୭୦ ହାଟିବା ଏବଂ ରାଜ୍ୟ ପୁନର୍ଗଠନ ପରେ ଜାମ୍ମୁ କାଶ୍ମୀରକୁ କେନ୍ଦ୍ର ଶାସିତ ପ୍ରଦେଶ ଘୋଷଣା କରାଯାଇଥିଲା । ଏହା ବ୍ୟତୀତ ଏବେ ଏଠାରେ ୯୦ ବିଧାନସଭା ଆସନ ହୋଇଛି । ପୂର୍ବରୁ ଏଠାରେ ୮୭ ଆସନ ଥିଲା, ଯେଉଁଥିରୁ ୪ଟି ଆସନ ଲଦାଖ ପାଇଁ ଥିଲା । ରାଜ୍ୟ ପୁନର୍ଗଠନ ପରେ ଲଦାଖ ଅଲଗା କେନ୍ଦ୍ର ଶାସିତ ପ୍ରଦେଶ ହେବା ପରେ ଜାମ୍ମୁ କାଶ୍ମୀରରେ ୮୩ ଆସନ ରହିଥିଲା । ପରେ ନିର୍ବାଚନ ଆୟୋଗ ସୀମା ନିର୍ଦ୍ଧାରଣ ପରେ ଅଧିକ ୭ ଆସନ ଯୋଡ଼ିଥିଲେ । ଏଥିରୁ କାଶ୍ମୀର କ୍ଷେତ୍ର ପାଇଁ ୪୭ ଆସନ ଏବଂ ଜାମ୍ମୁ କ୍ଷେତ୍ର ପାଇଁ ୪୩ ଆସନ ରହିଥିଲା ।