ଖବର ଅନୁଯାୟୀ, ୨୦୨୨ ମସିହାରେ ଭୁବନେଶ୍ୱର ଉପକଣ୍ଠ ଭରତପୁର ଅଞ୍ଚଳରେ ଖେଳିଯାଇଥିଲା ଚାଞ୍ଚଲ୍ୟ । ଏହି ଅଞ୍ଚଳରେ ବାସ କରୁଥିବା ସଞ୍ଜୀବ ଦାସ ନିଜ ସ୍ତ୍ରୀଙ୍କୁ ଛୁରିରେ ଭୂଷି ହତ୍ୟା କରିଥିଲେ । ନିଶା ପାଇଁ ନିଜ ସ୍ତ୍ରୀଙ୍କୁ ଅତି ବିଭତ୍ସ ଭାବେ ୩୩ ଥର ଛୁରିରେ ଭୂଷି ହତ୍ୟା କରିଥିଲା । ମୃତକଙ୍କ ନାମ ଥିଲା ସରସ୍ୱତୀ ଦାସ । ଏହାସହିତ ନିଜ ୬ ବର୍ଷ ଝିଅର ତଣ୍ଟି କାଟି ମାରିଦେବାକୁ ଉଦ୍ୟମ କରିଥିଲା । ହେଲେ ସୌଭାଗ୍ୟବଶତଃ ବଞ୍ଚି ଯାଇଥିଲେ ଝିଅ । ଏହାପରେ ଭରତପୁର ଥାନା ପୋଲିସ ଅଭିଯୁକ୍ତ ସଞ୍ଜୀବ ଦାସଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଥିଲା । ଆଉ ଏବେ ଏହି ମାମଲାରେ ରାୟ ପ୍ରକାଶ ପାଇଛି । ଭୁବନେଶ୍ୱର ଏଡିଜେ ୨ କୋର୍ଟ ମାମଲାର ଶୁଣାଣି କରି ଅଭିଯୁକ୍ତ ସ୍ୱାମୀ ସଞ୍ଜୀବ ଦାସଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି । ଏହାସହିତ କୋର୍ଟ ନିଜ ରାୟରେ କହିଛନ୍ତି ଯେ, ଅଭିଯୁକ୍ତ ଜଣଙ୍କ ନିଜ ସ୍ତ୍ରୀକୁ ହତ୍ୟା କରିନାହିଁ ବରଂ ଦୁଇ ଜଣ କୋମଳ ଶିଶୁଙ୍କ ଠାରୁ ତାଙ୍କ ମାଆଙ୍କୁ ଛଡାଇ ନେଇଛି । ତେଣୁ ତାଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ହେବା ଦରକାର । ଭାରତୀୟ ଆଇନ୍ ଅନୁସାରେ ତାଙ୍କୁ ଫାଶୀ ଦଣ୍ଡାଦେଶରେ ଏହି କୋର୍ଟ ଦଣ୍ଡିତ କରୁଛନ୍ତି । ଭୁବନେଶ୍ୱର ରୁ ଶିବ କେତନ ମହାନ୍ତି ଙ୍କ ରିପୋର୍ଟ