ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଅନ୍ତର୍ଗତ ବି. ନୂଆଗାଁ ଗ୍ରାମ ପରିସରରେ ଥିବା କେନାଲ ବ୍ରିଜ ତଳେ ଆଜି ସକାଳ ସାଢେ ଦଶଟା ସମୟରେ ନବ ଜାତ ଶିଶୁ କନ୍ୟା ଉଦ୍ଧାର କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ ପାତ୍ରପୁର ବି ନୂଆଗାଁ ପୂର୍ତ୍ତ ବିଭାଗ ରାସ୍ତା କଡ଼ରେ ଥିବା ଇଟାଭାଟି ଶ୍ରମିକ ମାନଙ୍କୁ ହଠାତ୍ ଶିଶୁ କନ୍ୟା କାନ୍ଦଣା ଶୁଣିବାକୁ ମିଳିଥିଲା। ଇଟାଭାଟିରେ ଶ୍ରମିକ ଭାବେ କାମ କରୁଥିବା ଦୁଇ ଜଣ ମହିଳା ଶିଶୁର କାନ୍ଦଣା ଶୁଣିବାକୁ ପାଇ ତୁରନ୍ତ ବ୍ରିଜ ତଳେ ଅନୁସନ୍ଧାନ କରିବା ପରେ ସେଠାରେ ଗୋଟିଏ ନବ ଜାତ ଶିଶୁ କନ୍ୟାକୁ ଦେଖିବାକୁ ପାଇଥିଲେ। ତୁରନ୍ତ ସେଠାରୁ ନବ ଜାତ ଶିଶୁ କନ୍ୟାକୁ ଉଦ୍ଧାର କରି ପୋଛା ପୋଛି କରି ତୁରନ୍ତ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସୂଚନା ଦେଇଥିଲେ। ଖବର ପାଈ ଘଟଣା ସ୍ଥଳରେ ୧୦୮ ଆମ୍ବୁଲାନ୍ସ ପହଞ୍ଚି ନବ ଜାତ ଶିଶୁ କନ୍ୟାକୁ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଥିଲା। ସ୍ୱାସ୍ଥ୍ୟ କେନ୍ଦ୍ରରେ ଶିଶୁକୁ ଅମ୍ଳଜାନ ଦେବା ସହିତ ପ୍ରାଥମିକ ଚିକିସ୍ଛା କରିବା ସହ ପାତ୍ରପୁର ମହିଳା ଓ ଶିଶୁ ବିଭାଗ କାର୍ଯ୍ୟାଳୟକୁ ଖବର ଦିଆଯାଇଥିଲା। ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପାତ୍ରପୁର ମହିଳା ଓ ଶିଶୁ ବିଭାଗ ତରଫରୁ ସିଡିପିଓ ପହଞ୍ଚି ନବ ଜାତ ଶିଶୁ କନ୍ୟାକୁ ଉଦ୍ଧାର କରିଥିବା ଦୁଇ ଜଣ ମହିଳାଙ୍କ ସହ ଯୋଗାଯୋଗ କରି ଉକ୍ତ ଘଟଣା ବିଷୟରେ ପଚାରିଥିଲେ। ନବ ଜାତ ଶିଶୁ କନ୍ୟାକୁ ଉଦ୍ଧାର କରିଥିବା ଦୁଇ ଜଣ ମହିଳା ହେଲେ ଜଶ ପନ୍ଥି, ସବିତା ମାନ ବୋଲି ଜଣାପଡିଛି। ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ନବ ଜାତ ଶିଶୁ କନ୍ୟାକୁ ଆମ୍ବୁଲାନ୍ସ ଦ୍ଵାର ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରିଥିବା ସିଡିପିଓ ସୁଚନା ଦେଇଛନ୍ତି।