ରାୟଗଡା ସ୍ଥିତ ଜେକେ ପେପେର ମିଲ ଏହାର କେମିକାଲ ପ୍ଲାଣ୍ଟ ପରିସରରେ ସିଲିଣ୍ଡର ଓ ପାଇପଲାଇନରୁ କ୍ଲୋରିନ୍ ଗ୍ୟାସ ନିର୍ଗତ ହେବା ଯୋଗୁଁ ସମ୍ଭାବିତ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା କରିବାପାଇଁ ନିଜର ପ୍ରସ୍ତୁତିର ସମୀକ୍ଷା କରିବା ପାଇଁ ଜିଲ୍ଲା ପ୍ରଶାସନର ଅଧିକାରୀ ମାନଙ୍କ ଉପସ୍ଥିତିରେ ଏକ ପୂର୍ଣ୍ଣବିକଶିତ ମକ୍ ଡ୍ରିଲ୍ ର ଆୟୋଜନ କରିଥିଲା । ଜେକେ ପେପରମିଲ ର ସିନିୟର ଜି.ଏମ୍ ଶ୍ରୀ ଏମ୍ ଆର କେ ଏମ୍ ରୟ କାରଖାନା ଓ ବାଷ୍ପୀତ୍ର ବିଭାଗର ରାୟଗଡା ଡିଭିଜନର ଉପନିର୍ଦ୍ଧେଶକ ଶ୍ରୀ ଏସ ଏନ ସେଠି ଓ ରାୟଗଡା ପ୍ରଦୂଷଣ ବିଭାଗର ଉପଯନ୍ତ୍ରୀ ଶ୍ରୀ ରିପୁକୁମାର ସାହୁଙ୍କ ସମେତ ଜିଲ୍ଲାର ପ୍ରମୁଖ ଉଦ୍ୟୋଗ ତଥା ଉତ୍କଳ ଆଲୁମିନା, ଇମ୍ଫା, ହିନ୍ଦୁସ୍ଥାନ ପେଟ୍ରୋଲିଅମ, ସତ୍ୟମ ପ୍ୟାକର, ଫିମାକେମ ଓ ପରିପାର୍ଶ୍ଵିକ ଗ୍ରାମଗୁଡିକର ପ୍ରତିନିଧିମାନଙ୍କୁ ପୁଷ୍ପଗୁଚ୍ଛସହିତ ସ୍ୱାଗତ କରିଥିଲେ । ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ନିମନ୍ତେ ଆବଶ୍ୟକ ସମସ୍ତ ପ୍ରସ୍ତୁତି ଓ ପଦ୍ଧତି ବିଷୟରେ ନିମନ୍ତ୍ରିତ ସମସ୍ତ ଅତିଥିମାନଙ୍କୁ ପ୍ରୋଜେକ୍ଟର ମାଧ୍ୟମରେ ବିସ୍ତୃତ ବିବରଣୀ ଦିଆଯାଇଥିଲା । ଜେକେ ପେପରମିଲ୍ ର ପ୍ରଶିକ୍ଷିତ ଜରୁରୀକାଳୀନ ଦଳ ତାଙ୍କ କାର୍ଯ୍ୟନିର୍ବାହୀ ୱାର୍କ୍ସମ୍ୟାନ କଣ୍ଟ୍ରୋଲର ଶ୍ରୀ ଏମ୍ ଆର କେ ଏମ୍ ରୟ, ସାଇଟ ଇଂସିଡେଣ୍ଟ କଣ୍ଟ୍ରୋଲର ଶ୍ରୀ ସି. ଏସ. ଆର ଆପ୍ପାରାଓ, ସୁରକ୍ଷା ସଂଯୋଜକ ମୁଖ୍ୟ ଶ୍ରୀ ସତ୍ୟଜିତ ମହାନ୍ତିଙ୍କ ମାର୍ଗଦର୍ଶନରେ ଉଭୟ ସିଲିଣ୍ଡର ଓ ପାଇପଲାଇନରୁ କ୍ଲୋରିନ୍ ଗ୍ୟାସର ନିର୍ଗମନକୁ ରୋକିବା ସହିତ ଉଦ୍ଧାର କାର୍ଯ୍ୟକୁ ଯଥାଶୀଘ୍ର ସମ୍ପାଦନ କରିବାର କୌଶଳ ବହୁତ ସୁନ୍ଦର ଭାବରେ ମକ୍ ଡ୍ରିଲ୍ ଜରିଆରେ ପ୍ରଦର୍ଶନ କରିଥିଲେ । ମକ୍ ଡ୍ରିଲ୍ ସନ୍ଧ୍ୟା ୫ଟା ବାଜି ୨୦ ମିନିଟ ରେ ଆରମ୍ଭ ହୋଇ ୫ଟା ବାଜି ୪୫ ମିନିଟରେ ଶେଷ ହୋଇଥିଲା । କାରଖାନା ଓ ବାଷ୍ପୀତ୍ର ବିଭାଗର ରାୟଗଡା ଡିଭିଜନର ଉପନିର୍ଦ୍ଧେଶକ ଶ୍ରୀ ଏସ ଏନ ସେଠିଙ୍କ ସମେତ ମକ୍ ଡ୍ରିଲ୍ ର ଅନ୍ୟାନ୍ୟ ସାକ୍ଷମାନେ ଜେକେ ପେପରମିଲ୍ ର ଏହି ଜରୁରୀକାଳୀନ ପରିସ୍ଥିତିପାଇଁ ପ୍ରସ୍ତୁତି ଓ ଉନ୍ନତ ପଦ୍ଧତିର ଭୂୟଶୀ ପ୍ରଶଂସା କରିଥିଲେ । ପରିଶେଷରେ ଗୁଣବତ୍ତା ନିୟନ୍ତ୍ରଣ ବିଭାଗର ଜେନେରାଲ ମ୍ୟାନେଜେର ଶ୍ରୀ ଜି.ଏସ.ପଟନାୟକ ଉପସ୍ଥିତ ସମସ୍ତ ଅଧିକାରୀବୃନ୍ଦ ଓ ଗ୍ରାମବାସୀଙ୍କୁ ଧନ୍ୟବାଦ ଅର୍ପଣ କରି ମକ୍ ଡ୍ରିଲ୍ କାର୍ଯ୍ୟକ୍ରମର ସମାପ୍ତି ଘୋଷଣା କରିଥିଲେ ।