ଋଣ ନାଁରେ ରାଜଧାନୀସ୍ଥିତ ଏସ୍ବିଆଇର ୪ ଶାଖାକୁ ୧୬ କୋଟି ୭୧ଲକ୍ଷ ଟଙ୍କାର ଚୂନ ଲଗାଇ ୬ ଧୂର୍ତ୍ତ ଗିରଫ ହୋଇଛନ୍ତି। ଫୋନ୍ପେ’ ନାଁରେ ନକଲି କମ୍ପାନି ଦର୍ଶାଇ ୧୬୧ ଜଣ ନକଲି କର୍ମଚାରୀଙ୍କ ନାଁରେ ଋଣ ନେଇଥିବା ମାଷ୍ଟରମାଇଣ୍ଡ ଦମ୍ପତିଙ୍କ ସମେତ ୬ଜଣଙ୍କୁ ଆଜି କ୍ରାଇମ୍ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଭୁବନେଶ୍ବରର ଅନିର୍ବାଣ ପଟ୍ଟନାୟକ ଓ ତାଙ୍କ ସ୍ତ୍ରୀ ଅନୁପମା ଦାଶ, ଖଣ୍ଡପଡ଼ାର ୨ ଭାଇ ତପନ ରାଉତ ଓ ସତ୍ୟବାନ ରାଉତ, କଟକ ବଡ଼ମ୍ବାର ଟୁକୁନା ମଲ୍ଲିକ ଓ ପୁରୀ କାକଟପୁରର ଫିରୋଜ୍ ଖାଁ। ଠକେଇ, ଜାଲିଆତି, ମିଥ୍ୟା ତଥ୍ୟ ଓ ଆପରାଧିକ ଷଡ଼୍ଯନ୍ତ୍ର ଭଳି ସଂଗିନ୍ ଦଫାରେ ଏହି ଅଭିଯୁକ୍ତମାନଙ୍କୁ କଟକ ଓପିଆଇଡି ଡେଜିଗ୍ନେଟେଡ୍ କୋର୍ଟକୁ ଚାଲାଣ କରାଯାଇଛି। ଏହି ମାମଲାରେ ବ୍ୟାଙ୍କ୍ର କୌଣସି ଅଧିକାରୀମାନଙ୍କ ସମ୍ପୃକ୍ତି ଥିବା ସନ୍ଦେହରେ ମଧ୍ୟ ଛାନ୍ଭିନ ଜାରି ରହିଛି।
ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଭୁବନେଶ୍ବର ରିଜିଓନାଲ୍ ମ୍ୟାନେଜର ଶିବସୁନ୍ଦର ସାହୁଙ୍କ ଅଭିଯୋଗ ଅନୁସାରେ ଇଓଡବ୍ଲ୍ୟୁ ଏହି ମାମଲାର ଖୋଳତାଡ଼ କରିଥିଲା। ତତନ୍ତରୁ ଜଣାପଡ଼ିଥିଲା ଯେ ଏହି ରୢାକେଟ୍ର ମାଷ୍ଟରମାଇଣ୍ଡ ଥିଲା ଅନିର୍ବାଣ ପଟ୍ଟନାୟକ। ପଟିଆସ୍ଥିତ ଡିଏଲ୍ଏଫ୍ରେ ଭଡ଼ା ନେଇ ସେ ପୂର୍ବି ଭେନ୍ଚର୍ ପ୍ରାଇଭେଟ୍ ଲିମିଟେଡ୍ ନାଁରେ କାର୍ଯ୍ୟାଳୟ ଖୋଲିଥିଲା। ଉକ୍ତ କାର୍ଯ୍ୟାଳୟରେ ଫୋନ୍ପେ’ ସାଇନ୍ ବୋର୍ଡ, ଷ୍ଟିକର୍ ଓ ହୋର୍ଡିଂ ଲଗାଇଥିଲା। ଏହା ଫୋନ୍ପେ’ର ଆଞ୍ଚଳିକ କାର୍ଯ୍ୟାଳୟ ବୋଲି ପ୍ରଦର୍ଶନ କରୁଥିଲା। ଏହି କାର୍ଯ୍ୟାଳୟରେ ୧୬୧ ଜଣ କର୍ମଚାରୀ କାମ କରୁଛନ୍ତି ବୋଲି ଜାଲ ରେକର୍ଡପତ୍ର କରିଥିଲା। ଏମିତିକି କାର୍ଯ୍ୟାଳୟର ଇ-ମେଲ୍, କର୍ମଚାରୀମାନଙ୍କ ଦରମା ରେକର୍ଡ ସବୁ ଜାଲିଆତି କରି ପ୍ରଦର୍ଶନ କରୁଥିଲା। ନକଲି କର୍ମଚାରୀମାନଙ୍କୁ ଅସଲି ବୋଲି ଦର୍ଶାଇବାକୁ ଯାହା ଯାହା ରେକର୍ଡପତ୍ର ଆବଶ୍ୟକ, ସେସବୁକୁ ଏହି ରୢାକେଟ୍ ଜାଲ୍ ରେକର୍ଡପତ୍ର ବଳରେ ପ୍ରଦର୍ଶନ କରୁଥିଲେ। ଏହାପରେ କମ୍ପାନି ପକ୍ଷରୁ ଏସ୍ବିଆଇର ଜୟଦେବବିହାର, ପଟିଆ, ଝାରପଡ଼ା ଓ ରଘୁନାଥପୁର ଶାଖାରେ ଏକ୍ସପ୍ରେସୋ କ୍ରେଡିଟ୍ ଲୋନ୍(କମ୍ପାନି କର୍ମଚାରି ହିସାବରେ ବ୍ୟକ୍ତିଗତ ଋଣ) ପାଇଁ ଆବେଦନ କରାଯାଇଥିଲା। ୨୦୨୨ ମସିହାରୁ ୨୦୨୩ ମଧ୍ୟରେ ଏସବୁ ଋଣ ପାଇଁ ଆବେଦନ କରାଯାଇଥିଲା।
ବନ୍ଧାହେଲେ ଦମ୍ପତିଙ୍କ ସମେତ ୬
ନକଲି କମ୍ପାନିର ୧୬୧ ନକଲି କର୍ମଚାରୀଙ୍କ ନାଁରେ ଋଣ
ଋଣ ମଞ୍ଜୁର କରିବା ପୂର୍ବରୁ ବ୍ୟାଙ୍କ୍ ଅଧିକାରୀମାନେ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ ହେଁ ଡିଏଲ୍ଏଫ୍ ସ୍ଥିତ ଫୋନ୍ପେ’ର ନକଲି କାର୍ଯ୍ୟାଳୟର ଥାଟବାଟରୁ କିଛି ଠଉରାଇପାରି ନଥିଲେ। ଖୋଦ ରାଜଧାନୀରେ ଏଭଳି ଏକ ନକଲି କାର୍ଯ୍ୟାଳୟରେ ଏତେ ସଂଖ୍ୟକ ନକଲି କର୍ମଚାରୀ ଥିବା ନେଇ ସେମାନେ ସନ୍ଦେହ କରି ନଥିଲେ। ତେଣୁ ଋଣ ମଞ୍ଜୁର କରାଯାଇଥିଲା। ନକଲି କର୍ମଚାରୀମାନଙ୍କ ୫ ମାସର ଦରମା ତଥ୍ୟ ଯାଞ୍ଚ କରି ଋଣ ପ୍ରଦାନ କରାଯାଇଥିଲା। କିନ୍ତୁ ଋଣ ପରିଶୋଧ ସମୟ ହେବା ପରେ କୌଣସି କର୍ମଚାରୀଙ୍କ ପକ୍ଷରୁ ବ୍ୟାଙ୍କ୍କୁ ପାହୁଲାଟିଏ ମିଳିନଥିଲା। ନକଲି କର୍ମଚାରୀ ତଥା ଅସଲି ଋଣଗ୍ରହୀତାମାନଙ୍କ ଅଦୃଶ୍ୟ ଦରମାରୁ କିସ୍ତି କଟିବା ସମ୍ଭବ ହୋଇନଥିଲା। ଏଣୁ ବ୍ୟାଙ୍କ ପକ୍ଷରୁ ଏକ ତଦନ୍ତ କରାଯାଇଥିଲା। ଖୋଳତାଡ଼ରୁ ଏହି ବଡ଼ଧରଣର ଠକେଇ ପଦାକୁ ଆସିଥିଲା। ଫୋନ୍ପେ’ର ନକଲି କର୍ମଚାରୀଙ୍କ ନାଁରେ ଏକାଧିକ ଶାଖାରୁ ଋଣ ମଞ୍ଜୁର ହୋଇଥିବା ଜଣାପଡ଼ିଥିଲା। ବ୍ୟାଙ୍କ ନିୟମାନୁସାରେ ଏହା ବେଆଇନ। କିନ୍ତୁ ଏହି ରୢାକେଟ୍ ଏଭଳି ବେଆଇନ କାମ କରାଇବାରେ ବି ସଫଳ ହୋଇଥିଲା। କେବଳ ସେତିକି ନୁହେଁ, ଏହା ଭିତରେ ଡିଏଲ୍ଏଫ୍ ବିଲ୍ଡିଂରୁ ଫୋନ୍ପେ’ କାର୍ଯ୍ୟାଳୟ ଉଭାନ ହୋଇଯାଇଥିଲା। ଏନେଇ ବ୍ୟାଙ୍କ ଅଧିକାରୀମାନେ ଫୋନ୍ପେ’ ମୁଖ୍ୟାଳୟ ସହ ଯୋଗାଯୋଗ କଲେ। ପଟିଆସ୍ଥିତ ଡିଏଲ୍ଏଫ୍ ବିଲ୍ଡିଂରେ କମ୍ପାନିର କୌଣସି କାର୍ଯ୍ୟାଳୟ ନାହିଁ କି ଅନିର୍ବାଣ ଓ ଅନୁପମାଙ୍କ ଭଳି ଅଧିକାରୀ ନାହାନ୍ତି ବୋଲି ଫୋନ୍ପେ’ ମୁଖ୍ୟାଳୟ ଜଣାଇଥିଲା। ଏହାପରେ ଏସ୍ବିଆଇ ପକ୍ଷରୁ କ୍ରାଇମ୍ବ୍ରାଞ୍ଚରେ ଅଭିଯୋଗ କରାଯାଇଥିଲା।
କ୍ରାଇମ୍ବ୍ରାଞ୍ଚ ଇଓଡବ୍ଲ୍ୟୁ ଏସ୍ପି ଦିଲୀପ ତ୍ରିପାଠୀଙ୍କ କହିବା କଥା ଋଣ ମଞ୍ଜୁର କରିଥିବା ବ୍ୟାଙ୍କ ଅଧିକାରୀମାନଙ୍କ ଯାଞ୍ଚ ପ୍ରକ୍ରିୟାକୁ ନେଇ ସନ୍ଦେହ ରହିଛି। ଏନେଇ ଖୋଳତାଡ଼ ଚାଲିଛି। ଭଲ ଭାବେ ଯାଞ୍ଚ ନକରି ଋଣ ମଞ୍ଜୁର କରିଥିବା ବ୍ୟାଙ୍କ ଅଧିକାରୀ କିଭଳି ଠକ ରୢାକେଟ୍କୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରିଥିଲେ, ତାହା ଉପରେ ତଦନ୍ତ ଜାରି ରହିଛି। ସେହିଭଳି ମାଷ୍ଟରମାଇଣ୍ଡ ଅନିର୍ବାଣର ସହଯୋଗୀମାନେ ଧରାପଡ଼ିଥିଲେ ହେଁ ଆହୁରି କିଛି ନକଲି କର୍ମଚାରୀଙ୍କ ସିଧାସଳଖ ସମ୍ପୃକ୍ତି ରହିଛି। ସେମାନଙ୍କୁ ମଧ୍ୟ ଗିରଫ କରାଯିବ।ଭୁବନେଶ୍ୱର ରୁ ଶିବ କେତନମହାନ୍ତି ଙ୍କ ରିପୋର୍ଟ