ଯୋଡ଼ା/ବଡ଼ବିଲ:୧୩/୦୯(ସଂଘର୍ଷ ରମେଶ) ଯୋଡ଼ା ଜିନ୍ଦଲ ଷ୍ଟିଲ ଆଣ୍ଡ ପାଓ୍ୱାର (ଜେଏସପି) ର ସାମାଜିକ ସଂସ୍ଥା ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଜାତୀୟ ପୋଷଣ ସପ୍ତାହ ପାଳିତ ହୋଇଯାଇଛି। କାଶିଆ ଖଣି ଅଞ୍ଚଳରେ ଥିବା ୧୫ଟି ଅଙ୍ଗନବାଡ଼ିର ୪୭୧ ଶିଶୁ ୧୨୦ ମା’ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ସ୍ୱାସ୍ଥ୍ୟକର ଓ ପୁଷ୍ଟିକର ଖାଦ୍ୟର ଉପାଦେୟତା ସମ୍ପର୍କରେ ସଚେତନ କରାଯାଇଥିଲା । ୧୫ଟି ଅଙ୍ଗନବାଡ଼ି କେନ୍ଦ୍ରରେ ପରିବା ବଣ୍ଟନ କରାଯିବା ସହ ପୁଷ୍ଟିକର ଥାଳି ପ୍ରଦର୍ଶିତ ହୋଇଥିଲା । କିପରି ମାଆମାନେ ପୁଷ୍ଟିକର ଖିଚିଡ଼ି ପ୍ରସ୍ତୁତ କରିବେ ତାହା ଶିଖାଯାଇଥିଲା । ବିଭିନ୍ନ କ୍ରୀଡ଼ା ମାଧ୍ୟମରେ ମାଆମାନଙ୍କୁ ପୁଷ୍ଟିକର ଖାଦ୍ୟ ସମ୍ପର୍କରେ ସଚେତନ କରାଯାଇଥିଲା। ଏହା ସହିତ ଅଙ୍ଗନବାଡ଼ିଗୁଡ଼ିକୁ ଓଜନ ମାପିବା ମେସିନ, ଜ୍ୱର ମାପିବା ଯନ୍ତ୍ର ଏବଂ ଚଟାଣରେ ବିଛାଇବା ପାଇଁ ଗାଲିଚା ପ୍ରଦାନ କରାଯାଇଥିଲା ।ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ସେରେଣ୍ଡା ଓ ଭଦ୍ରାସାହି ପଞ୍ଚାୟତର ୧୫ଟି ଅଙ୍ଗନବାଡ଼ି କେନ୍ଦ୍ରକୁ ସହାୟତା ପ୍ରଦାନ ପାଇଁ ଉଲ୍ଲେଖନୀୟ ପଦକ୍ଷେପ ନିଆଯାଉଛି । ପୋଷଣ ସପ୍ତାହ ପାଳନ କାର୍ଯ୍ୟକ୍ରମରେ ଜିନ୍ଦଲ ଫାଉଣ୍ଡେସନର ସ୍ଥାନୀୟ ଅଞ୍ଚଳରେ ଉନ୍ନତ ଶିକ୍ଷାର ପ୍ରସାର ସହ ସାମାଜିକ ଉନ୍ନତିର ପ୍ରତିଶ୍ରୁତିବଦ୍ଧତା ପ୍ରତିଫଳିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଯୋଗଦେଇ କାଶିଆ ମାଇନ୍ସର ୟୁନିଟ ହେଡ୍ ଶ୍ରୀ ପ୍ରମୋଦ କୁମାର ପାତ୍ର କହିଥିଲେ ଯେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାଓ୍ୱାର ପାରିପାର୍ଶ୍ୱିକ ଅଞ୍ଚଳର ଜୀବନଧାରଣର ମାନରେ ବିକାଶ ଓ ଶିଶୁମାନଙ୍କ ଉନ୍ନତ ସ୍ୱାସ୍ଥ୍ୟ ପାଇଁ ସମର୍ପିତ ଭାବେ କାର୍ଯ୍ୟକରୁଛି ।ଯୋଡ଼ା ଶିଶୁ ଉନ୍ନୟନ ପ୍ରକଳ୍ପ ଅଧିକାରୀ ସୁକାନ୍ତୀ ପାତ୍ର ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ପାରିପାର୍ଶ୍ୱିକ ଅଞ୍ଚଳର ସମନ୍ୱିତ ବିକାଶ ପାଇଁ ଜିନ୍ଦଲ ଫାଉଣ୍ଡେସନର ଉଦ୍ୟମ ଓ ଅବଦାନକୁ ପ୍ରଶଂସା କରିଥିଲେ । ଏହା ସହିତ ଯୋଡ଼ା ବ୍ଲକ ଅଞ୍ଚଳରେ ସମସ୍ତମାଆଙ୍କୁ ସ୍ୱାସ୍ଥ୍ୟକର ତଥା ପୁଷ୍ଟିକର ଖାଦ୍ୟ ସମ୍ପର୍କରେ ସଚେତନ କରାଯାଉଥିବା ସେ କହିଥିଲେ । ସମ୍ମାନିତ ଅତିଥିଭାବେ ଭଦ୍ରାସାହି ସରପଞ୍ଚ ଶ୍ରୀମତି ପ୍ରମିଳା ନାଏକ, ଜିନ୍ଦଲ ଷ୍ଟିଲ ଆଣ୍ଡ ପାଓ୍ୱାରର ମାନବ ସମ୍ବଳ ବିଭାଗ ମୁଖ୍ୟ ଶ୍ରୀ ଆଶିଷ ରଞ୍ଜନ ମହାନ୍ତି, ସିଏସଆର୍ ମୁଖ୍ୟ ଶ୍ରୀ ଭର୍ଜିଲ ଲାକ୍ରା, ଅଙ୍ଗନବାଡ଼ି କର୍ମୀ ଶ୍ରୀମତି ଅବନ୍ତୀ ପଲାଇ, ଏଏନଏମ୍ ଶ୍ରୀମତି ଶାନ୍ତିଲତା ମହାନ୍ତ, ଜଳ କମିଟି ମୁଖ୍ୟ ଶ୍ରୀମତି ଶୁଭଶ୍ରୀ ପଲାଇ, ୧୫ଟି ଅଙ୍ଗନବାଡ଼ି କେନ୍ଦ୍ରର କର୍ମୀ ଜିନ୍ଦଲ ଫାଉଣ୍ଡେସେନକୁ ଧନ୍ୟବାଦ ଦେବା ସହ ପାରିପାର୍ଶ୍ୱିକ ଅଞ୍ଚଳରେ ଏହାର ବିକାଶ କାର୍ଯ୍ୟକ୍ରମ ଜାରି ରହିବ ବୋଲି ଆସ୍ଥା ପ୍ରକଟ କରିଥିଲେ । ବଡ଼ବିଲ ଠାରେ ଥିବା ଜେଏସପି ପେଲେଟ ପ୍ଲାଣ୍ଟ ଦ୍ୱାରା ମଧ୍ୟ ଦେଓଝାର ଗ୍ରାମ ପଂଚାୟତ ରେ ଜାତୀୟ ପୋଷଣ ସପ୍ତାହ ପାଳିତ ହୋଇଯାଇଛି । ପଂଚାୟତର ସମସ୍ତ – ୧୩ ଟି ଅଙ୍ଗନବାଡିରେ ଏହି କାର୍ଯ୍ୟକ୍ରମ ପାଳିତ ହୋଇଥିଲା । ଏହାଦ୍ୱାରା ୭ ଟି ଗ୍ରାମର ୩୨୫ ଶିଶୁ ଓ ୪୧୬ ମହିଳା ଉପକୃତ ହୋଇଛନ୍ତି । ସପ୍ତାହ ବ୍ୟାପି ଏହି କାର୍ଯ୍ୟକ୍ରମକୁ ଅଙ୍ଗନବାଡି କର୍ମୀ, ଆଶା କର୍ମୀ ଓ ଫାଉଣ୍ଡେସନର ୧୦ ଜଣ ସ୍ୱାସ୍ଥ୍ୟ ସଙ୍ଗିନୀ ସଫଳତାର ସହ ସଂଚାଳନ କରିଥିଲେ । ଫାଉଣ୍ଡେସନ ତରଫରୁ ସିଏସର ମୁଖ୍ୟ ଶ୍ରୀ ଭର୍ଜିଲ ଲାକ୍ରା ଓ କାର୍ଯ୍ୟକ୍ରମର ସଂଯୋଜକ ଶ୍ରୀ ଯଦୁମଣି ମହାନ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଜିନ୍ଦଲ ଫାଉଣ୍ଡେସନ ଦ୍ୱାରା ଅନୁଷ୍ଠିତ ହୋଇଯାଇଥିବା ଜାତୀୟ ପୋଷଣ ସପ୍ତାହ କାର୍ଯ୍ୟକ୍ରମ ଗ୍ରମବାସୀ ଏବଂ ସରକାରୀ ଅଧିକାରୀ ମାନଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଛି । ଜାତୀୟ ପୋଷଣ ସପ୍ତାହ ହେଉଛି ପୋଷଣ ଆଧାରିତ ଏକ ବୈଶ୍ୱିକ ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମ ପ୍ରତି ବର୍ଷ ସେପ୍ଟେମ୍ବର ପ୍ରଥମ ସପ୍ତାହ, ୧ ରୁ ୭ ତାରିଖ ଯାଏ ପାଳିତ ହୁଏ । ଚଳିତ ବର୍ଷ ପୋଷଣ ସପ୍ତାହର ଥିମ୍ ବା ବିଷୟବସ୍ତୁ ରହିଛି – ‘ସମସ୍ତଙ୍କ ପାଇଁ ପୁଷ୍ଟିକର ଖାଦ୍ୟ’