ବ୍ରହ୍ମପୁର(୧୯/୦୮/୨୦୨୪) ପବିତ୍ର ରକ୍ଷା ବନ୍ଧନ ଅବସରରେ ବ୍ରହ୍ମପୁର ସବୁଜ ବାହିନୀ ପକ୍ଷରୁ ଖଲ୍ଲିକୋଟ କଲେଜ ଖେଳପଡ଼ିଆରେ ଥିବା ଵୃକ୍ଷଗୁଡିକୁ ରାକ୍ଷୀ ବାନ୍ଧି ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା। କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରାତଃଭ୍ରମଣ ପାଇଁ ଆସୁଥିବା ସାଧାରଣ ଲୋକଙ୍କୁ ବର୍ତ୍ତମାନ ସମୟରେ ବୃକ୍ଷର ଆବଶ୍ୟକତା ଏବଂ ପ୍ରତ୍ୟେକ ବ୍ୟକ୍ତିର ପରିବେଶ ପ୍ରତି କର୍ତ୍ତବ୍ୟ ବିଷୟରେ ଅବଗତ କରାଯାଇ ବୃକ୍ଷକୁ ରାକ୍ଷୀ ବାନ୍ଧିବା ପାଇଁ କୁହାଯାଇଥିଲା।
ଭାରତର ବିଶିଷ୍ଟ ବୈଜ୍ଞାନିକ ତଥା ନୋବେଲ ପୁରସ୍କାର ପ୍ରାପ୍ତ ସାର ଜଗଦୀଶ ଚନ୍ଦ୍ର ବୋଷଙ୍କ ମତରେ ବୃକ୍ଷର ମଧ୍ୟ ଏଭଳି ସମ୍ବେଦନଶୀଳ ସ୍ନାୟୁ ତନ୍ତ୍ର ଥାଏ ଯାହାଦ୍ୱାରା ଵୃକ୍ଷ ବିଭିନ୍ନ ଭାବନାରେ ଯୁକ୍ତ ହୋଇଥାଏ। ପ୍ରେମ,ଘୃଣା, ଆନନ୍ଦ, ଭୟ,ମୂର୍ଛିତ ହେବା ଭଳି ଅସଂଖ୍ୟ ଭାବନୁଭୁତି ଥାଏ ଯାହା ପୃଥିବୀର ସମସ୍ତ ପ୍ରାଣୀଙ୍କ ଭିତରେ ନିହିତ ଥାଏ। ତେଣୁ ବୃକ୍ଷର ସୁରକ୍ଷା ପାଇଁ ସାଧାରଣ ଲୋକଙ୍କୁ ସଂଗଠନର “ମୁଁ ବି ବଞ୍ଚିବାକୁ ଚାହେଁ” ଅଭିଯାନ ମାଧ୍ୟମରେ ବୃକ୍ଷରେ କଣ୍ଟା ନ ମାରିବା, ଲୁହା ତା’ର ନ ବାନ୍ଧିବା, ବୃକ୍ଷର ମୂଳକୁ ସିମେଣ୍ଟରେ ଅବର୍ଦ୍ଧ ନ କରିବା ପାଇଁ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନ କରାଯାଇଥିଲା। ଉପସ୍ଥିତ ବ୍ୟକ୍ତି ସମୂହ କାର୍ଯ୍ୟକ୍ରମକୁ ପୂର୍ଣ୍ଣ ସହଯୋଗ କରିବା ସହ ବୃକ୍ଷକୁ ରାକ୍ଷୀ ବାନ୍ଧିଥିଲେ। ବିଭିନ୍ନ ପର୍ବପର୍ବାଣୀରେ ସମାଜର ପ୍ରତ୍ୟେକ ବ୍ୟକ୍ତିଙ୍କୁ ପରିବେଶ ସହିତ ଯୋଡିବା ପାଇଁ ବିଗତ ଦିନରେ ସଂଗଠନ ପ୍ରୟାସ କରି ଆସୁଥିବା ବେଳେ ଆଗାମୀ ଦିନରେ ମଧ୍ୟ ଏଭଳି କାର୍ଯ୍ୟକ୍ରମ ଜାରି ରହିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବି.ଡି.ଏ ଅଧକ୍ଷ ଓ ପରିବେଶ ପ୍ରେମି ସୁବାସ ମହାରଣା ଏବଂ ସମ୍ମାନିତ ଅତିଥି ଭାବେ ଆର୍ଯଭଟ୍ଟ ମୁଖ୍ୟ ସୁଧୀର ରାଉତ ଯୋଗଦେଇଥିଲେ । ସେହିଭଳି ବ୍ରହ୍ମପୁର ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀ, ସମ୍ପାଦକ ଏ ପ୍ରକାଶ,ସାଗର ପ୍ରସାଦ ପତ୍ର,ପି ବିନୋଦ, ଶିବରାମ ବେହେରା,ଅନିଲ କୁମାର ଚୌଧୁରୀ, ପ୍ରବୀଣ ନାୟକ, ସିମଞ୍ଚଳ ପାଣିଗ୍ରାହୀ, ରବୀନ୍ଦ୍ର ସାହାଣୀ, ସୂର୍ଯ୍ୟ ନାରାୟଣ ପାତ୍ର, ବନମାଳୀ ପ୍ରଧାନ ସମେତ ସଂଗଠନର ସମସ୍ତ ସଦସ୍ୟ ଓ ବହୁ ପରିବେଶବିତ ତଥା ବାଲୁକା ଶିଳ୍ପୀ ସତ୍ୟ ମହାରଣା, ସମାଜସେବୀ କେ ଭେଙ୍କଟ ନାରାୟଣ ପ୍ରମୁଖ ଉପସ୍ଥିତ ଥିଲେ।