ପ୍ରେସମିଟ୍ କରି ପର୍ଦ୍ଦାଫାସ କଲେ ପୁଲିସ କମିଶନର ସଞ୍ଜୀବ ପଣ୍ଡା ମହିଳା ପୁଲିସ ସହ ଚାଟିଂ କରି ଦୁବାଇରୁ ଭୁବନେଶ୍ବର ଫେରି ଫସିଲେ ବିଧବା ମହିଳା ଓ ଡିଭର୍ସିଙ୍କୁ ଟାର୍ଗେଟ୍ କରି ଟଙ୍କା ଠକେଇ କରୁଥିଲେ | ମିଛ କହି ଛାଡ଼ପତ୍ର ପାଇଥିବା ମହିଳାଙ୍କୁ ବିବାହ କରି ସେମାନଙ୍କଠାରୁ ଟଙ୍କା ନେଇ ତଥା ସେମାନଙ୍କ ନାଁରେ ଲୋନ୍ ଉଠାଇ ବ୍ୟବସାୟ ସହିତ ମଉଜ କରୁଥିବା ଜଣେ ଠକଙ୍କୁ ଗିରଫ କରିଛି କମିଶନରେଟ୍ ପୁଲିସ୍। ତାଙ୍କ ନାଁ ସତ୍ୟଜିତ ମାନଗୋବିନ୍ଦ ସାମଲ (୩୪)। ତାଙ୍କ ଘର ଯାଜପୁର ଜିଲ୍ଲା ବିଞ୍ଝାରପୁର ଅଞ୍ଚଳରେ। ଏବେ ସେ ଭୁବନେଶ୍ୱରର ଚନ୍ଦ୍ରଶେଖରପୁରରେ ରହୁଥିଲେ।
କଟକ-ଭୁବନେଶ୍ୱର ପୁଲିସ୍ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି, ଅଭିଯୁକ୍ତଙ୍କ ନାଁରେ କ୍ୟାପିଟାଲ ଥାନାରେ ଦୁଇ ଜଣ ମହିଳା ଏତଲା ଦେଇଥିଲେ। ଜୀବନସାଥୀ ମାଟ୍ରିମୋନିଆଲ ସାଇଟ୍ ଜରିଆରେ ଅଭିଯୁକ୍ତଙ୍କ ସହିତ ସେମାନଙ୍କର ପରିଚୟ ହୋଇଥିଲା। ସେମାନଙ୍କ ସହିତ ଚାଟିଂ କରିବା ପରେ ସେ ସେମାନଙ୍କୁ ବାହା ହେବାକୁ ରାଜି ହୋଇଥିଲେ। ଏହା ପରେ ଅଭିଯୁକ୍ତ ସେମାନଙ୍କ ସହିତ ସଂପର୍କ ରଖିଥିଲେ ଓ ସେମାନଙ୍କଠାରୁ ପଇସାପତ୍ର ସହିତ ଗାଡ଼ି ନେଇଥିଲେ। ଏହି ଦୁଇ ମହିଳାଙ୍କ ମଧ୍ୟରୁ ଅଭିଯୁକ୍ତ ଜଣଙ୍କଠାରୁ ୩୬ ଲକ୍ଷ ଟଙ୍କା ଓ ବୋଲେନୋ କାର ନେଇଥିବା ବେଳେ ଅନ୍ୟ ଜଣଙ୍କଠାରୁ ୮ ଲକ୍ଷ ଟଙ୍କା ଓ ଏକ ବୁଲେଟ ନେଇଛନ୍ତି। ଏହି ଦୁଇ ମହିଳାଙ୍କ ଏତଲା ଆଧାରରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ମାଟ୍ରିମୋନିଆଲ ସାଇଟ୍ରେ ଯାଞ୍ଚ କଲା ପରେ ଆମେ ଜାଣିବାକୁ ପାଇଲୁ ଯେ ମୋଟ ୪୯ ଜଣ ମହିଳାଙ୍କ ସହ ଚାଟିଂ ବା ବିଭିନ୍ନ ସ୍ତରରେ ସଂପର୍କରେ ଅଛନ୍ତି। ଦୁଇ ଜଣ ଆନୁଷ୍ଠାନିକ ଭାବେ ଏତଲା ଦେଇଥିବା ବେଳେ ଆମେ ଫୋନ୍ କରି ଆଉ ଦୁଇ ଜଣ ମହିଳାଙ୍କୁ ପଚାରିବାରେ ଅଭିଯୁକ୍ତ ସେମାନଙ୍କ ସହିତ ଏଗ୍ରିମେଣ୍ଟ କରି ବାହା ହୋଇଥିବା ଜଣାପଡ଼ିଛି। ଏହି ଦୁଇ ମହିଳାଙ୍କ ମଧ୍ୟରୁ ଜଣେ କୋଲାକାତାର ଓ ଅନ୍ୟ ଜଣେ ଦିଲ୍ଲୀର।
ପୁଲିସ କମିଶନର ଶ୍ରୀ ପଣ୍ଡା କହିଛନ୍ତି ଯେ ଅଭିଯୁକ୍ତ ବିଶେଷ କରି ଛାଡ଼ପତ୍ର ପାଇଥିବା ମହିଳାମାନଙ୍କୁ ଟାର୍ଗେଟ କରୁଥିଲେ। ମାଟ୍ରିମୋନିଆଲ ସାଇଟ୍ ଜାରଆରେ ସେମାନଙ୍କୁ ଜାଣିବା ପରେ ସେମାନଙ୍କ ସହିତ ଚାଟିଂ କରୁଥିଲେ ଓ ବିବାହ କରିବାକୁ ପ୍ରତିଶ୍ରୁତି ଦେଉଥିଲେ। ଏନେଇ ଏଗ୍ରିମେଣ୍ଟ ମଧ୍ୟ କରୁଥିଲେ। ଏଗ୍ରିମେଣ୍ଟ କଲା ପରେ ଅଭିଯୁକ୍ତ ସେମାନଙ୍କଠାରୁ ପଇସା ଓ ଗାଡ଼ି ନେଉଥିଲେ। ଗାଡ଼ିଗୁଡ଼ିକୁ ଟ୍ରାଭେଲ୍ ଏଜେନ୍ସୀ ଜରିଆରେ ଭଡ଼ାରେ ଲଗାଉଥିଲେ। ଯେତେବେଳେ ପୀଡ଼ିତାମାନେ ତାଙ୍କୁ ଟଙ୍କା ଫେରସ୍ତ କରିବାକୁ କହୁଥିଲେ, ସେତେବେଳେ ସେ ଦୁବାଇ ପଳାଉଥିଲେ। ସେଠାରେ ବୁଲାବୁଲି କରି ଫେରି ଆସୁଥିଲେ। ଯେଉଁ ଦୁଇ ଜଣ ମହିଳା ଅଭିଯୋଗ କରିଛନ୍ତି, ସେମାନେ କହିଛନ୍ତି ଯେ ଅଭିଯୁକ୍ତ ସେମାନଙ୍କୁ ବନ୍ଧୁକ ଦେଖାଇ ଧମକ ମଧ୍ୟ ଦେଇଥିଲେ। ଯେହେତୁ ଅଭିଯୁକ୍ତ ୪୯ ଜଣ ମହିଳାଙ୍କ ସହିତ ସଂପର୍କରେ ଥିଲେ, ତେଣୁ ଅନ୍ୟ ପୀଡ଼ିତାମାନଙ୍କୁ ସହିତ ଆମେ ଯୋଗାଯୋଗ କରିଛୁ। ତାଙ୍କ ଦ୍ୱାରା ଠକେଇର ଶିକାର ହୋଇଥିବା ମହିଳାଙ୍କ ସଂଖ୍ୟା ଆହୁରି ବଢ଼ିବ ବୋଲି ଆଶା କରାଯାଉଛି। ଏହି ୪୯ ଜଣଙ୍କ ମଧ୍ୟରେ ରାଜ୍ୟ ତଥା ରାଜ୍ୟ ବାହାରର ମହିଳା ଅଛନ୍ତି। ଏ ନେଇ ଆହୁରି ତଦନ୍ତ ହେବ। ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରାଯିବ।
ସତ୍ୟଜିତଙ୍କ କଳାକାରନାମା ନେଇ ଅଭିଯୋଗ ପାଇବା ପରେ କମିଶନରେଟ ପୁଲିସ ତାଙ୍କୁ ଧରିବା ପାଇଁ ଫାସ ପକାଇଥିଲା। କାରଣ ସେ ଏମିତି ଠକେଇ କରିବା ପରେ ଦୁବାଇ ପଳାଉଥିଲେ। ସେ ସେଠାରେ ଷ୍ଟାର ବକ୍ସରେ ଚାକିରି ମଧ୍ୟ କରୁଥିଲେ।