ପଡିଆ, ୩୦/୦୭ : ଆବାସ ଗୃହ ଯୋଗାଇ ଦେବା ବେଳେ ସହଯୋଗ କରିଥିବା କହି ଲାଞ୍ଚ ନେଇଥିବା ଓ ପରେ ଏହି ଘଟଣାର ଉନ୍ମୋଚନ ଭୟରେ ଫେରାଇଦେବା ଘଟଣାରେ ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ସଦର ମହକୁମା ପଂଚାୟତର ଗ୍ରାମ୍ୟ ରୋଜଗାର ସେବକଙ୍କ ଏକ ବାର୍ତ୍ତାଳାପ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିଲା। ଏହାର ମାତ୍ର ଦିନ କେଇଟା ଯାଇନାହିଁ ଉକ୍ତ ଗ୍ରାମୀଣ ରୋଜଗାର ସେବକଙ୍କ ବିରୋଧରେ ପୁଣି ଆବାସ ଗୃହ ଯୋଗାଇ ଦେବା ବେଳେ ଅର୍ଥ ନେଇଥିବା ନେଇ ଅଭିଯୋଗ ଆଣିଛନ୍ତି ଗ୍ରାମ ର ହିତାଧିକାରୀ। ସୂଚନା ମୁତାବକ ଗତ ୨୦୨୧-୨୨ ଆର୍ଥିକ ବର୍ଷ ଲାଗି ପଡିଆ ପଞ୍ଚାୟତର ହିତାଧିକାରୀଙ୍କ ଲାଗି ମୋଟ ୨୪୧ ଟି ଆବାସ ଗୃହ ଅନୁମୋଦନ ହୋଇଥିଲା। ଆର୍ଥିକ ଅନଗ୍ରସର, ଗରିବ, ଅସହାୟ ଓ ବାସଗୃହ ହୀନ ବ୍ୟକ୍ତିଙ୍କୁ ଏହି ଆବାସ ଗୃହ ଯୋଗାଇ ଦେବାକୁ ଥିବା ବେଳେ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ଦେବା ପରେ ବିଭିନ୍ନ ଆଳ ଦେଖାଇ ପଡିଆ ଗ୍ରାମ୍ୟ ରୋଜଗାର ସେବକ ହଜାର ହଜାର ଟଙ୍କା ନେଇ ଯାଇଥିବା ଜଣାପଡ଼ିଛି। ଆବାସ ଗୃହ ନିର୍ମାଣ ସମୟରେ ଗ୍ରାମ୍ୟ ରୋଜଗାର ସେବକ ଜଣଙ୍କ ହିତାଧିକାରୀଙ୍କ ଆକାଉଣ୍ଟ୍ କୁ ମନରେଗାର ଟଙ୍କା ଛାଡିବା, ବୋନସ ଟଙ୍କା ପ୍ରଦାନ କରିବା ସହ ହିତାଧିକାରୀଙ୍କ ଚୟନରେ ସହଯୋଗ କରିଥିବା କହି ୨୦ ହଜାର ଟଙ୍କା ନେଇଥିବା ଗୋଲାଗୁଡା ଗ୍ରାମର ଲଖମୁ କସରିଆ କହିଥିବା ବେଳେ ନାକାମୁଣ୍ଡା ଗ୍ରାମର ଗୋବିନ୍ଦ କସ ରିଆ ଙ୍କ ଠାରୁ ୮ ହଜାର ଟଙ୍କା ନେଇଥିବା ଖୋଦ୍ ହିତାଧୀକାରି କହିଛନ୍ତି। ସେହିପରି ଭେଞ୍ଚନପଲ୍ଲୀ, କୁଞ୍ଚନପଲ୍ଲୀ, ଗୋଲାଗୁଡା ଓ ନାକାମୁଣ୍ଡା ଗ୍ରାମର ଏକାଧିକ ହିତାଧୀକାରିଙ୍କ ଠାରୁ ହଜାର ହଜାର ଟଙ୍କା ଏଭଳି ପ୍ରକାରେ ଗ୍ରାମ୍ୟ ରୋଜଗାର ସେବକ ନେଇଥିବା ନେଇ ଅଭିଯୋଗ ହୋଇଛି। ଏ ନେଇ ଗ୍ରାମ୍ୟ ରୋଜଗାର ସେବକଙ୍କୁ ଯୋଗାଯୋଗ କରିବାରୁ ସେ କୌଣଷି କାର୍ଯ୍ୟରେ ବ୍ଲକ ବାହାରକୁ ଯାଇଥିବା କହିଥିଲେ। ଏ ନେଇ ପଡିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପଚାରିବାରୁ ସେ ଏ ପର୍ଯ୍ୟନ୍ତ କୌଣଷି ବ୍ୟକ୍ତି କିମ୍ବା ହିତାଧିକାରୀ ଲିଖିତ ଅଭିଯୋଗ କରି ନଥିବା କହିଛନ୍ତି। ଅନ୍ୟପଟେ ଗତ ଦିନରେ ଜଣେ ଗ୍ରାମ୍ୟ ରୋଜଗାର ସେବକଙ୍କ ଅଡ଼ିଓ ରେକର୍ଡ଼ିଂ ଭାଇରାଲ୍ ହେବା ପରେ ଗଣମାଧ୍ୟମରେ ମଧ୍ୟ ଏ ନେଇ ଖବର ପ୍ରକାଶ ପାଇଥିଲେ ମଧ୍ୟ ବ୍ଲକ ପ୍ରଶାସନ ପକ୍ଷରୁ ଏ ଦିଗରେ ଦୃଷ୍ଟି ନଦେବା କିମ୍ବା ଘଟଣାର ତଦନ୍ତ କରାନଯିବା, ବ୍ଲକ ପ୍ରଶାସନ ପକ୍ଷ୍ୟରୁ ଘଟଣାକୁ ଘଣ୍ଟ ଘୋଡାଇବାକୁ ଉଦ୍ୟମ କରାଯାଉଥିବା ସାଧାରଣରେ ଆଲୋଚନା ହେଉଛି। ଏପରି ସ୍ଥିତିରେ ତୁରନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଘଟଣାର ଉଚିତ୍ ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ମତ ପ୍ରକାଶ ପାଇଛି।