ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ୍ ମାମଲାରେ ସୁପ୍ରିମ୍କୋର୍ଟ ବଡ଼ ଆଦେଶ ଦେଇଛନ୍ତି । ସୁପ୍ରିମ୍କୋର୍ଟ କହିଛନ୍ତି ଯେ ଏହି ପରୀକ୍ଷା ପୁନଃ ଆୟୋଜିତ ହେବ ନାହିଁ, କାରଣ, ପରୀକ୍ଷାରେ ବଡ଼ ଅନିୟମିତତା ପ୍ରମାଣିତ ହୋଇପାରି ନାହିଁ । ପରୀକ୍ଷାରେ ନିୟମ ଉଲ୍ଲଂଘନ ଦର୍ଶାଇବା ନେଇ କୌଣସି ପର୍ଯ୍ୟାପ୍ତ ପ୍ରମାଣ ମିଳିନାହିଁ ।
ସର୍ବୋଚ୍ଚ ଅଦାଲତ କହିଛନ୍ତି, ଆଉଥରେ ପରୀକ୍ଷା କରାଇବା ଠିକ୍ ହେବ ନାହିଁ ଏବଂ ଏହା ୨୪ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତର କଥା ।
ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ଼ଙ୍କ କୋର୍ଟ କହିଛନ୍ତି ଯେ ଏହି ମାମଲାରେ ବ୍ୟବସ୍ଥାଗତ ତ୍ରୁଟି କଥା ପ୍ରମାଣିତ ହୋଇନାହିଁ । ଏଥିପାଇଁ ପୁନଃ ପରୀକ୍ଷା କରାଇବାକୁ ଆଦେଶ ଦିଆଯାଇ ପାରିବ ନାହିଁ ।
ଆଉଥରେ ପରୀକ୍ଷା କରାଇବା ନେଇ ଆଦେଶ ଦେବା ୨୪ ଲକ୍ଷ ପିଲାଙ୍କ ପାଇଁ କଷ୍ଟସାଧ୍ୟ ହେବ । ଏହାଦ୍ୱାରା ନାମଲେଖା କାର୍ଯ୍ୟସୂଚୀ ମଧ୍ୟ ବାଧାପ୍ରାପ୍ତ ହେବ । ଡାକ୍ତରୀ ଶିକ୍ଷା ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପଡ଼ିବ, ଭୁବନେଶ୍ୱର ରୁ ଶିବ କେତନ ମହାନ୍ତି ଙ୍କ ରିପୋର୍ଟ