ଯୋଡ଼ା:(ସଂଘର୍ଷ ରମେଶ):୧୩/୦୭: ରକ୍ତ ଦାନ ମହତ ଦାନ । ମଣିଷ ତଥା ଜୀବଜନ୍ତୁଙ୍କ ଦେହରେ ରକ୍ତ ପ୍ରବାହିତ ଯୋଗୁଁ ଜୀବନ ଧାରଣ ସମ୍ଭବ ହୋଇ ପାରିଛି । ଶରୀରରେ ରକ୍ତ ନଥିଲେ ମଣିଷ କିମ୍ବା ଜୀବଜନ୍ତୁ ବଞ୍ଚିବା ସମ୍ଭବ ନୁହଁ । ସମୟେ ସମୟେ କୌଣସି କାରଣରୁ ଶରୀରରେ ରକ୍ତ ହୀନତା ଦେଖା ଦେଇଥାଏ । ଫଳରେ ମଣିଷ ଟିଏ ଚଳପ୍ରଚଳ କରିବା ସମ୍ଭବ ହୋଇ ନଥାଏ । ଯାହାଦ୍ୱାରା ମଣିଷ ରୋଗାଗ୍ରସ୍ତ ହୋଇ ଗୋଟିଏ ସ୍ଥାନରେ ପଡିରହେ । ଏଭଳି ଏକ ବିରଳ ରୋଗ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଗଣୁଆ ଗ୍ରାମର ରାବଣ ମୁଣ୍ଡାଙ୍କ ଠାରେ । ରାବଣ ମୁଣ୍ଡା ପ୍ରତିଦିନ କାମଧନ୍ଦା କରି ନିଜର ପରିବାର ପ୍ରତିପୋଷଣ କରିଥାନ୍ତି । ହଠାତ ତାଙ୍କ ଦେହ ଅସୁସ୍ଥ ହୋଇ ଯିବାରୁ ପରିବାର ଲୋକେ ତାଙ୍କୁ ତୁରନ୍ତ ଯୋଡ଼ା ସ୍ଥିତ ଟାଟାଷ୍ଟିଲ ମେଡ଼ିକାଲ କୁ ନେଇ ଆସିଥିଲେ । ସେଠାରେ ସମସ୍ତ ପରୀକ୍ଷା ନିରୀକ୍ଷା କରିବା ପରେ ଡାକ୍ତର ଜାଣିବାକୁ ପାଇଥିଲେ ତାଙ୍କ ଦେହରେ ରକ୍ତର ଅଭାବ ରହିଛି । ତାଙ୍କୁ ତୁରନ୍ତ A+ve ରକ୍ତ ଯୋଗାଡ଼ କରିବାକୁ କହିଥିଲେ । ସେ ଜଣେ ଦିନ ମଜୁରିଆ ହୋଇଥିବାରୁ ରକ୍ତ କିଣିବା ତାଙ୍କ ପକ୍ଷରେ ସମ୍ଭବ ନଥିଲା । ସେ ସ୍ୱେଚ୍ଛାସେବୀ ମାଧ୍ୟମରେ ଏକ ନିର୍ଦ୍ଧିଷ୍ଟ ସାମାଜିକ ଗଣମାଧ୍ୟମ ଗ୍ରୁପରେ ରକ୍ତ ପାଇଁ ନିବେଦନ କରିଥିଲେ । ଏହି ଖବର ପ୍ରଚାର ହେବା ପରେ ଭଦ୍ରାସାହି ପଂଚାୟତରେ ଅବସ୍ଥିତ ନର୍ଭେରାମ ପାୱାର ଏଣ୍ଡ ଷ୍ଟିଲ କମ୍ପାନୀର ମାନବ ସମ୍ବଳ ଅଧିକାରୀ ପିୟୁସ ପାଣ୍ଡେଙ୍କ ନଜରକୁ ଆସିଥିଲା । ଶ୍ରୀ ପାଣ୍ଡେ ତାଙ୍କ କମ୍ପାନୀର କର୍ମଚାରୀ ମାନଙ୍କୁ ପଚାରି ବୁଝିବାରୁ ଦିନେଶ୍ ରାଜ ନାମକ ଯୁବକଙ୍କର A+ve ରକ୍ତ ଥିବା ଜାଣିବାକୁ ପାଇଥିଲେ । ସେ ତୁରନ୍ତ ରୋଗୀଙ୍କୁ ଯୋଗାଯୋଗ କରିବା ସହିତ ଦିନେଶଙ୍କୁ ଟାଟାଷ୍ଟିଲ ମେଡିକାଲକୁ ପଠାଇଥିଲେ । ଦିନେଶ୍ ମେଡ଼ିକାଲ ରେ ପହଞ୍ଚି ରକ୍ତଦାନ କରିଥିଲେ । ଦିନେଶ୍ କହନ୍ତି ଜୀବନରେ ମୁଁ କାହାକୁ ଖାଇବାକୁ ଦେଇ ନପାରେ କିନ୍ତୁ ମୋ ଦେହରେ ଜୀବନ ଥିବାଯାଏ ଯେତେବେଳେ ଆବଶ୍ୟକ ମୁଁ ରକ୍ତ ଦାନ କରି ରୋଗୀ ମାନଙ୍କୁ ବଞ୍ଚାଇବାକୁ ପଛଘୁଞ୍ଚା ଦେବୀନାହିଁ ।ମୁଁ ରକ୍ତ ଦାନ କଲେ ମତେ ଆନନ୍ଦ ମିଳେ । ଉକ୍ତ କମ୍ପାନୀର ମାନବ ସମ୍ବଳ ଅଧିକାରୀ କହନ୍ତି ଆମେ ସବୁ ସମୟରେ ଲୋକଙ୍କ ସହିତ ଅଛୁ , ରହିଥିବୁ ମଧ୍ୟ । ଜଣେ ମଣିଷ ହିସାବରେ ଆମେ କେବେ କର୍ତ୍ତବ୍ୟ ରେ ହେଳା କରି ନାହୁଁ ଆଗକୁ ମଧ୍ୟ କରିବୁ ନାହିଁ । ଆବଶ୍ୟକ ପଡ଼ିଲେ କମ୍ପାନୀର ସମସ୍ତ ଅଧିକାରୀ ଏକ ହୋଇ ଜନ କଲ୍ୟାଣ ନିମନ୍ତେ ନିଜକୁ ସମର୍ପିତ କରିଦେବୁ ।