ଆସିକା-୭/୭୨୪ଆସିକାର ବିଭିନ୍ନ ସ୍ଥାନରେ ପବିତ୍ର ରଥଯାତ୍ରା ଅନୁଷ୍ଠିତ। ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କ ଗହଳିରେ ପରିପୂର୍ଣ୍ଣ ହୋଇଥିଲା ସମ୍ପୂର୍ଣ୍ଣ ଆସିକା ସହର। ସହରର ବିଭିନ୍ନ ସାହିରେ ଆଡମ୍ବର ସହକାରେ ପ୍ରଭୁ ଜଗନ୍ନାଥଙ୍କ ଘୋଷଯାତ୍ରାକୁ ନେଇ ବେଶ ଉତ୍ସାହ ପରିଲକ୍ଷିତ ହୋଇଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ପ୍ରଶାସନ ସମ୍ପୂର୍ଣ୍ଣ ରୂପରେ ଏହି ରଥଯାତ୍ରାରେ ଭିଡ଼ ନିୟନ୍ତ୍ରଣ ସହିତ ସୁରୁଖୁରୁରେ ରଥଯାତ୍ରା ସମ୍ପାଦନ ପାଇଁ ସଜାଗ ଥିଲେ। ସୁନାମ୍ବ ସାହି ସ୍ଥିତ ଜଗନ୍ନାଥ ମନ୍ଦିରର ରଥଯାତ୍ରା ବରିଷ୍ଠ ଓକିଲ ନାରାୟଣ ମୁନିଙ୍କ ନେତୃତ୍ୱରେ ସ୍ଥାନୀୟ ପ୍ରଶାସନର ସହଯୋଗ କ୍ରମେ ହୋଇଥିବା ବେଳେ ମୁଖ୍ୟ ଅତିଥି ରୂପେ ବିଧାୟକ ସରୋଜ କୁମାର ପାଢ଼ୀ ଯୋଗଦେଇଥିଲେ। ଖମ୍ବେଶ୍ବରୀ ପାଟଣା ସ୍ଥିତ ଜଗନ୍ନାଥ ମନ୍ଦିରର ରଥଯାତ୍ରା ଏନ ଏ ସି ଅଧ୍ୟକ୍ଷା ବିନେତା ସ୍ୱାଇଁଙ୍କ ଉପସ୍ଥିତିରେ ହୋଇଥିବା ଦେଖିବାକୁ ମିଳିଛି। ସେହିଭଳି ବଜାର ସାହି, ଚିନିଶିଳ୍ପ ନୂଆଗାଁ, ନିରାଳ, ରାଇପଲ୍ଲୀ, ହରିଡ଼ାପଦର, ବାଲିଛାଇ, କାଳଷଣ୍ଢପୁର, କେନ୍ଦୁପଦର ଆଦି ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ ହେବା ସହିତ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ସମଗ୍ର ଆସିକା ଅଞ୍ଚଳ ଆଧ୍ୟାତ୍ମିକମୟ ହେବା ସହିତ ଜଗନ୍ନାଥଙ୍କ ନାମରେ ପ୍ରକମ୍ପିତ ହେଉଥିଲା।ଆସିକା ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶିନୀ, ବିଡ଼ିଓ ଫକୀର ଚରଣ ପରିଡା, ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ବେଜ, ଏସ ଡି ପି ଓ ସଞ୍ଜୟ କୁମାର ମହାପାତ୍ର, ଥାନା ଅଧିକାରୀ ରାଜେନ୍ଦ୍ର ନାରାୟଣ ପଟ୍ଟନାୟକ, ଅଗ୍ନିଶମ ଅଧିକାରୀ ସମେତ ଆଗଧାଡିର ନେତୃ ସ୍ଥାନୀୟ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ରଥଯାତ୍ରା ପରିଚାଳନା କରିଥିଲେ।