ଜୁଲାଇ ୧ ରେ ଲାଗୁ ହେବାକୁ ଯାଉଛି ତିନୋଟି ନୂଆ ଆଇନ । ଏହି ନୂଆ ଆଇନରେ ଗରିବଙ୍କୁ ମିଳିବ ଆଶ୍ବସ୍ତି । ଏବେ ବିନା ଓକିଲରେ ଜେଲରୁ ବାହାରି ପାରିବେ ଗରିବ ଲୋକେ । ତେବେ ବେଳେ ବେଳେ ଟଙ୍କା ଅଭାବରୁ ଜେଲରେ ରହିଥିବା ଗରିବ ଲୋକଟିଏ ନିଜର ପକ୍ଷ ପାଇଁ ଅର୍ଥାଭାବ କାରଣରୁ ଓକିଲ ନିୟୋଜିତ କରିପାରନ୍ତି ନାହିଁ ।
ଯେଉଁ କାରଣରୁ ତାଙ୍କର ପକ୍ଷ ନ ରଖିପାରି ସେମାନଙ୍କୁ ଜେଲରେ ହିଁ ଦିନ ବିତାଇବାକୁ ପଡିଥାଏ । ତେବେ ଏବେ ଗରିବ ଲୋକଟିକୁ ଏଭଳି ସବୁ ପରିସ୍ଥିତିର ଆଉ ସାମ୍ନା କରିବାକୁ ପଡିବ ନାହିଁ । କାରଣ ଏବେ ଗରିବ ଲୋକଙ୍କୁ ବିନା ଓକିଲରେ ଜାମିନ ମିଳିପାରିବ । ଲାଗୁ ହେବାକୁ ଯାଉଥିବା ନୂଆ ଆଇନରେ କିଛି ଏମିତି ଉଲ୍ଲେଖ ରହିଛି । ଗରିବ ଲୋକଙ୍କୁ ଓକିଲଙ୍କ ବିନା ସହାୟତାରେ ଜାମିନ ମିଳିପାରିବ। ଏଭଳି ଲୋକଙ୍କୁ ଜାମିନ ଦେବା ପାଇଁ ଅଦାଲତଙ୍କୁ ଜେଲ ଅଧୀକ୍ଷକ ଅବଗତ କରାଇପାରିବେ ।
ଜୁଲାଇ ୧ରୁ ଲାଗୁ ହେବାକୁ ଯାଉଥିବା ନୂଆ ଆଇନରେ ଏଭଳି କିଛି ବ୍ୟବସ୍ଥା କରାଯାଇଛି ବୋଲି ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଭୁବନେଶ୍ୱର ପକ୍ଷରୁ ନୂଆ ଆପରାଧିକ ଆଇନକୁ ନେଇ ସ୍ଥାନୀୟ ଏକ ହୋଟେଲରେ ଏକ ପ୍ରେସମିଟ୍ ଆୟୋଜିତ ହୋଇଥିଲା। ଯେଉଁଥିରେ ଡିଜି ସୁଧାଂଶୁ କହିଛନ୍ତି, ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ ହେଉଛି ସ୍ବାଧୀନ ଭାରତର ନିଜସ୍ବ ଆଇନ। ଏଥିରେ ଦୁଇଟି ଭଲ ଦିଗ ରହିଛି। ପ୍ରଥମଟି ହେଲା ତଦନ୍ତ ଓ ନ୍ୟାୟ ପ୍ରଦାନ କ୍ଷେତ୍ରରେ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ କରିବ। ଦ୍ୱିତୀୟଟି ହେଲା ବିଭିନ୍ନ ମାମଲାରେ ସମାଧାନ ପାଇଁ ସମୟ ନିର୍ଦ୍ଧାରଣ କରିବା। ପୂର୍ବରୁ ଥିବା ବ୍ୟବସ୍ଥାରେ ନ୍ୟାୟ ପ୍ରଦାନରେ ବିଳମ୍ବ ହେଉଥିଲା। ତାରିଖ ପରେ ତାରିଖ ଗଡି ଚାଲିଥିଲା। କିନ୍ତୁ ନୂଆ ଆଇନରେ ମାମଲାର ତଦନ୍ତ ଓ ନ୍ୟାୟ ପ୍ରଦାନ ପାଇଁ ନିର୍ଦ୍ଦିଷ୍ଟ ସମୟ ନିର୍ଦ୍ଧାରଣ କରାଯାଇଛି, ଯାହା ନ୍ୟାୟ ପ୍ରଦାନ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବ। ତେବେ ନୂଆ ଆଇନକୁ ଭଲ ଭାବେ କାର୍ଯ୍ୟକାରୀ କରିବାକୁ ହେଲେ ଅଧିକ ମାନବ ସମ୍ବଳ ଆବଶ୍ୟକ ହେବ। ପୋଲିସ କର୍ମଚାରୀ ଓ ଆଇନଜୀବୀଙ୍କୁ ନୂଆ ଆଇନ ବିଷୟରେ ପ୍ରଶିକ୍ଷଣ ଦେବାକୁ ହେବ। ଫଳରେ କିଛି ମାସ ମଧ୍ୟରେ ନୂଆ ଆଇନ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇପାରିବ।
ସେହିପରି ମାମଲାର ତଦନ୍ତ ପ୍ରକ୍ରିୟାକୁ ରେକର୍ଡିଂ କରିବାର ବ୍ୟବସ୍ଥା ଫଳରେ ତଦନ୍ତ ପ୍ରକ୍ରିୟା ଅଧିକ ପ୍ରଭାବୀ ହେବ। ୭ବର୍ଷରୁ କମ୍ ଦଣ୍ଡବିଧାନ ବ୍ୟବସ୍ଥା ରହିଥିବା ଛୋଟ ଅପରାଧ ସ୍ବୀକାର କରିବା କ୍ଷେତ୍ରରେ ଦୋଷୀଙ୍କ ଜେଲ ଦଣ୍ଡାଦେଶ ହ୍ରାସ କରିବା ଲାଗି ବ୍ୟବସ୍ଥା ହୋଇଛି। ମହିଳାଙ୍କୁ କାର୍ଯ୍ୟ କ୍ଷେତ୍ରରେ ଯୌନ ନିର୍ଯାତନା, ଶିଶୁ ଓ ମହିଳା ଚାଲାଣ, ଆତଙ୍କବାଦ, ଭିଡ଼ ହିଂସା, ଏସିଡ୍ ଆକ୍ରମଣ, ସାଇବର ଅପରାଧ, ବାଲି ମାଫିଆ, ପଥର ମାଫିଆ ଭଳି ସଂଗଠିତ ଅପରାଧ ଓ ଛିନତାଇ ବିରୋଧରେ ଆଇନକୁ କଠୋର କରାଯାଇଛି। ଜିରୋ ଏଫ୍ଆଇଆର୍ ବ୍ୟବସ୍ଥା ଦ୍ୱାରା ଯେକୌଣସି ଥାନାରେ ମାମଲା ରୁଜୁ କରାଯାଇପାରିବ।
ପୂର୍ବରୁ ସିଆର୍ପିସିରେ ୪୮୪ଟି ଧାରା ରହିଥିଲାବେଳେ ନୂଆ ଆଇନର ଭାରତୀୟ ନାଗରିକ ସୁରକ୍ଷା ସଂହିତାରେ ୫୩୧ଟି ଧାରା ରହିଛି। ଆଇପିସିରେ ୫୧୧ଟି ଧାରାରୁ ଭାରତୀୟ ନ୍ୟାୟ ସଂହିତାରେ ୩୫୮ଟି ଓ ପୁରୁଣା ଇଣ୍ଡିଆନ ଏଭିଡେନ୍ସ ଆକ୍ଟରେ ୧୭୦ଟି ଧାରା ରହିଥିବାବେଳେ ଭାରତୀୟ ସାକ୍ଷ୍ୟ ଅଧିନିୟମରେ ୧୬୭ ଧାରା ରହିଛି। ଏଥିସହିତ ନୂଆ ଆଇନ ବିଷୟରେ ଅଧିକ ସଚେତନ ହେବା ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ ଡିଜି। ସେହିପରି ନୂଆ ଆଇନର ପ୍ରମୁଖ ଉଦ୍ଦେଶ୍ୟ ଦଣ୍ଡ ଦେବା ନୁହେଁ, ବରଂ ନ୍ୟାୟ ପ୍ରଦାନ କରିବା ବୋଲି ପିଆଇବି ନିର୍ଦ୍ଦେଶକ ଗିରିଶ ଚନ୍ଦ୍ର ଦାଶ କହିଥିଲେ।
ସୂଚନାଯୋଗ୍ୟ, ଜୁଲାଇ ୧ରୁ ଲାଗୁ ହେବ ତିନୋଟି ନୂଆ ଅପରାଧିକ ଆଇନ । ଦେଶରେ ଅପରାଧିକ ନ୍ୟାୟ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ ବଦଳାଇବା ପାଇଁ ତିନୋଟି ବ୍ରିଟିଶ ଆଇନ ଆଇପିସି, ସିଆରପିସି ଏବଂ ଏଭିଡେନ୍ସ ଆକ୍ଟ ଆଇନ ବଦଳରେ ଭାରତ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମକୁ ଜୁଲାଇ ୧ରୁ କାର୍ଯ୍ୟକାରୀ କରାଇବାକୁ ଯାଉଛନ୍ତି ସରକାର । ଏହି ନୂତନ ଆଇନ ବ୍ରିଟିଶ ସମୟଠାରୁ ପ୍ରଚଳିତ ହେଉଥିବା ଆଇନକୂ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିବା ସହ ଏହାଦ୍ବାରା ଆତଙ୍କବାଦ, ରାଜଦ୍ରୋହ ଏବଂ ଦେଶ ବିରୋଧରେ କାର୍ଯ୍ୟର ସଂଜ୍ଞାକୁ ଭଲ ଭାବେ ବାଖ୍ୟା କରିବାରେ ସକ୍ଷମ ହେବ। ତେବେ ଏହି ୩ଟି ନୂଆ ଆଇନକୁ ଗତ ବର୍ଷ ସେପ୍ଟେମ୍ବର ୨୧ରେ ସଂସଦରେ ପାରିତ କରାଯାଇଥିଲା । ଏହା ପରେ, ଡିସେମ୍ବର ୨୫ରେ ଏଥିରେ ରାଷ୍ଟ୍ରପତିଙ୍କ ମୋହର ବାଜି ଏହା ପୂର୍ଣ୍ଣାଙ୍ଗ ଆଇନରେ ପରିଣତ ହୋଇଥିଲା । ଯାହାକୁ ଆଗାମୀ ୧ ତାରିଖରୁ ଲାଗୁ କରାଯିବ ବୋଲି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।