ଯୋଡ଼ା, ୧୨, ୨୦୨୪ (ସଂଘର୍ଷ ରମେଶ) କେନ୍ଦୁଝର ଜିଲ୍ଲା ଯୋଡ଼ା, ବଡ଼ବିଲ ଓ କୋଇଡ଼ା ଅଂଚଳର ନିରନ୍ତର ବିକାଶ ପାଇଁ ଏକ ସମନ୍ୱିତ ରଣନୀତି ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଟାଟା ଷ୍ଟିଲ ଯୋଡ଼ା ପକ୍ଷରୁ ବୁଧବାର ଯୋଡ଼ାଠାରେ ସ୍ଥାୟୀ ଖଣି ପରିଚାଳନା ର ଅନୁସନ୍ଧାନ ଓ ଆଂଚଳିକ ବିକାଶ ପାଇଁ ଶିଳ୍ପ ସହଯୋଗୀତାର ସୁଦୃଢ଼ୀକରଣ ଉପରେ ‘ଇକୋଭିଷ୍ଟା-୨୦୨୪ କନ୍କ୍ଲେଭ’ ଅନୁଷ୍ଠିତ ହୋଇଯାଇଛି ।ମାଇନିଂ ଇଞ୍ଜିନିୟର୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ (ଏମ୍ଇଏଆଇ), ବଡ଼ାଜାମଦା ଶାଖା ଆନୁକୂଲ୍ୟରେ ଆୟୋଜିତ ଏହି ଦିବସବ୍ୟାପୀ କାର୍ଯ୍ୟକ୍ରମରେ ଆଖପାଖ ଅଞ୍ଚଳର ୨୫ଟି ଖଣି, ଶିଳ୍ପ ସଂସ୍ଥା ଏବଂ ପ୍ରଯୁକ୍ତି ସମାଧାନ ପ୍ରଦାନକାରୀଙ୍କ ପ୍ରାୟ ୨୦୦ ଉତ୍ସାହୀ ପ୍ରତିନିଧି ଯୋଗ ଦେଇଥିଲେ ।କାର୍ଯ୍ୟକ୍ରମରେ ଟାଟା ଷ୍ଟିଲର ଖଣି ଓ କୁଆର୍ରିଏସ ଡିଭିସନ ର ମହାପ୍ରବନ୍ଧକ ଅତୁଲ କୁମାର ଭଟ୍ଟନାଗର, ଟାଟା ଷ୍ଟିଲ ଯୋଡା ମୁଖ୍ୟ ରାଜେଶ କୁମାର, ସ୍ଲରି ପ୍ରକଳ୍ପ ମୁଖ୍ୟ ପ୍ରବିଣ ଶ୍ରୀବାସ୍ତବ, କଳମଙ୍ଗ ଓ ଗନ୍ଧଲପଡ଼ା ପ୍ରକଳ୍ପ ମୁଖ୍ୟ ଦୀପକ ବେହେରା, ଓଡ଼ିଶା ଖଣି ନିଗମ (ଓଏମସି)ର ଆଂଚଳିକ ପ୍ରବନ୍ଧକ ଅନୁରାଗ ଓଝା, ଓଏମସିର ଆଂଚଳିକ ପ୍ରବନ୍ଧକ ଅବନୀକାନ୍ତ ପ୍ରଧାନ, ଜେଏସଡବ୍ଲ୍ୟୁର ସହକାରୀ ଉପାଧ୍ୟକ୍ଷ (ଖଣି) ଅନୁକୁଳ ବିଶ୍ୱାଳ, ଜେଏସ୍ପିଏଲ୍ କାସିଆ ଖଣିର ୟୁନିଟ୍ ମୁଖ୍ୟ ପ୍ରମୋଦ କୁମାର ପାତ୍ର ଓ ଆଦାନୀ ଗ୍ରୁପର ଲୁହା ପଥର ଖଣିର କ୍ଲଷ୍ଟର ମୁଖ୍ୟ ଅଜିତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ବିଶିଷ୍ଟ ସମାଜସେବୀ ତଥା ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଓ ଓଡ଼ିଶାର କେନାଲ ମ୍ୟାନ୍ ଭାବେ ପରିଚିତ ପଦ୍ମଶ୍ରୀ ଦୈତାରୀ ନାୟକଙ୍କୁ ସମାଜ ପ୍ରତି ଅତୁଳନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ଟାଟା ଷ୍ଟିଲର କଂଚାମାଲ ଉପସଭାପତି-୧ ଏମଇଏଆଇର ଉପାଧ୍ୟକ୍ଷ ଡିବି ସୁନ୍ଦର ରାମମ୍, ଏମଇଏଆଇର ସଭାପତି ଏସ୍ ଏନ୍ ମାଥୁର, ଏମ୍ଇଏଆଇର ଉପସଭାପତି-୩ ଲକ୍ଷ୍ମଣ ସିଂହ ଶେଖାୱତଙ୍କ ଭିଡିଓ ବାର୍ତା ପ୍ରଦାନ କରାଯାଇଥିଲା । ଏଥିସହ କଳମଙ୍ଗ ଓ ଗନ୍ଧଲପଡ଼ା ପ୍ରକଳ୍ପର ମୁଖ୍ୟ ଦୀପକ ବେହେରା ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଖଣିରେ ସବୁଜ ଶକ୍ତି ଏବଂ ରିମୋଟ୍ ଡ୍ରିଲିଂ ପ୍ରଯୁକ୍ତିର ବ୍ୟବହାର, ବିସ୍ଫୋରଣ ମୁକ୍ତ ଖଣି, ଖଣି ଡିଜିଟାଲାଇଜେସନ୍ ଏବଂ ଅଟୋମେସନ୍ ଏବଂ ପ୍ରଭାବଶାଳୀ ନୀତି କାର୍ଯ୍ୟକାରିତା ଏବଂ ସମ୍ପ୍ରଦାୟର ସଶକ୍ତୀକରଣ ଦ୍ୱାରା ଏହି ଅଚଂଳର ସାମାଜିକ ଅର୍ଥନୈତିକ ବିକାଶ ସମେତ ବିଭିନ୍ନ ବିଷୟ ଉପରେ ଶିଳ୍ପ ଜଗତର ବିଶିଷ୍ଟ ବକ୍ତାମାନେ ଆଲୋକପାତ କରିଥିଲେ । ଉତ୍ତମ ପରିବେଶ, ସାମାଜିକ ଏବଂ ଶାସନ (ଇଏସଜି) ରଣନୀତି କାର୍ଯ୍ୟକାରୀ କରିବା ଦ୍ୱାରା ଖଣି କମ୍ପାନୀଗୁଡିକ ବିପଦ ହ୍ରାସ କରିବାରେ ସାହାଯ୍ୟ କରିପାରିବେ ଏବଂ ସମୁଦାୟର ଅର୍ଥନୈତିକ ଅଭିବୃଦ୍ଧି ଏବଂ ସାମାଜିକ ଅନ୍ତର୍ଭୁକ୍ତୀକରଣ ସହିତ ଦୀର୍ଘସ୍ଥାୟୀତ୍ୱ ଲକ୍ଷ୍ୟ ହାସଲ କରିପାରିବେ ବୋଲି ଅଧିବେଶନରେ ଆଲୋଚନା କରଯାଇଥିଲା ।ଏହାବ୍ୟତୀତ ସମସ୍ତ ଶିଳ୍ପ, ବିଶେଷ କରି ଖଣି କଂପାନିଗୁଡ଼ିକରେ ଭବିଷ୍ୟତରେ ବିକାଶ ପାଇଁ ଡିଜିଟାଲ୍ ପରିବର୍ତନ ଏବଂ ଆପ୍ଲିକେସନ୍ ଗ୍ରହଣ କରିବା ଉପରେ ଅଂଶଗ୍ରହଣକାରୀମାନେ ଗୁରୁତ୍ୱାରୋପ କରିଥିଲେ ।ଏହି ଅବସରରେ କଳମଙ୍ଗ ଓ ଗନ୍ଧଲପଡ଼ା ପ୍ରକଳ୍ପରେ କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ସମ୍ପର୍କିତ ବାର୍ଷିକ ରିପୋର୍ଟ ‘କମ୍ୟୁନିଟି କନେକ୍ଟ’କୁ ଉନ୍ମୋଚନ କରାଯାଇଥିଲା ।