ଆସିକା, ୩୦/୫- ଆସିକା ସହରର୧୩ ନମ୍ବର ୱାର୍ଡ ତଥା ସହରର କେନ୍ଦ୍ରସ୍ଥଳରେ ଥିବା ୧୨୧ ବର୍ଷ ପୁରାତନ କରୋନେସନ୍ ପାର୍କ ପ୍ରାୟ ଏକ କୋଟି ଟଙ୍କାବ୍ୟୟ ଅଟକଳରେ ୨୦୨୧ ମସିହା ଅଗଷ୍ଟ ୩୧ ତାରିଖରେ ଏହି ଉଦ୍ୟାନର ପୁନରୁଦ୍ଧାର ଏବଂ ନବୀକରଣ ହେବା ପରେ ତାହା ସମସ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା । ଉକ୍ତବର୍ଷ ଉଦ୍ଘାଟନ ପରେ ଆସିକା ସହରକୁ ଏହି ପାର୍କ ଏକ ନୂଆ ପରିଚୟ ଦେଇଥିଲା। କିନ୍ତୁ ଉଚିତ ରକ୍ଷଣାବେକ୍ଷଣ ଅଭାବରୁ ବର୍ତ୍ତମାନ ଏହି ପୁରାତନ ପାର୍କ ରୁଗ୍ନ ଅବସ୍ଥା ଆଡ଼କୁ ଗତି କରିବାରେ ଲାଗିଛି! ଆଉ ଧୀରେ ଧୀରେ ଲୋକଙ୍କ ସଂଖ୍ୟା କମିବାରେ ଲାଗିଛି!ପ୍ରକାଶ ଥାଉକି ୧୯୦୩ ମସିହାରେ ଆନ୍ଧ୍ରପ୍ରଦେଶର ଟି.ଭି. ଜୋଶୁଲ୍ ରାଓ ପାରୁଲୁଗାରୁ ଏବଂ ତାଙ୍କ ସ୍ତ୍ରୀ ମୁନ୍ଦରାଜାଙ୍କ ପ୍ରଚେଷ୍ଟାରେ ୪ଏକର ଜମି ଉପରେ ଏହି ପାର୍କ ନିର୍ମାଣ କରାଯାଇଥିଲା । କିଛି ସହୃଦୟ ବ୍ୟକ୍ତିଙ୍କ ସହାୟତାରେ ପାର୍କକୁ ବିଦ୍ୟୁତ୍ ସଂଯୋଗୀକରଣ ହୋଇଥିଲା। ପାର୍କକୁ ଆକର୍ଷଣୀୟ କରିବା ପାଇଁ ଭିତରେ ମହାତ୍ମାଗାନ୍ଧୀ, ସୁଭାଷ ଚନ୍ଦ୍ର ବୋଷ, କସ୍ତୁରବା ଗାନ୍ଧି ଏବଂ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଭଳି ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଗଲା ।ନିର୍ମାଣ କାମ ସରିଯିବା ପରେ ଏହା ୧୯୫୭ ମସିହା ପର୍ଯ୍ୟନ୍ତ ଜନସାଧାରଣଙ୍କ ଦ୍ବାରା ପରିଚାଳିତ
ହେଉଥିଲା। ୧୯୫୭ରେ ଆସିକା ଏନ୍ଏସି ଗଠନ ହେବା ପରେ ପାର୍କର ରକ୍ଷଣାବେକ୍ଷଣ ଦାୟିତ୍ଵ ହାତକୁ ନେଲା! କିନ୍ତୁ ସମୟ ଗଡ଼ିବା ମାଙ୍ଗକୁ ଏହି ପାର୍କପରିତ୍ୟକ୍ତ ଅବସ୍ଥା ଆଡ଼କୁ ଗତି କରିଥିଲା। ତେବେ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଓ ଦାବି ପରେ ୨୦୧୯ରେ ଏହାର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇ ୨୦୨୧ରେ ଶେଷ ହୋଇଥିଲା। ସବୁଠୁ ବଡ଼କଥା ହେଉଛି, ଆସିକା ଏନ୍ଏସି ଗଠନର ୬୪ ବର୍ଷ ପରେ ସହରରେ ସୌନ୍ଦର୍ଯ୍ୟାକରଣ ପାଇଁ କୌଣସି ଯୋଜନା ହୋଇଥିଲା। ଶିଶୁଙ୍କ ଖେଳକୁଦ ପାଇଁ ବିଶେଷ ଧ୍ୟାନ ଦିଆଯାଇଛି। ପାର୍କ ମଧ୍ୟରେ ହାତୀ ଓ ଜିରାଫ୍ ଆଦି ପଶୁଙ୍କ ସବୁଜ ପ୍ରତିକୃତି, ୱାଟର୍ ଫାଉଣ୍ଟେନ୍, ରାତ୍ରୀ ଆଲୋକମାଳା, ଘାସପଡ଼ିଆ ସାଙ୍ଗକୁ ପାଦଚଲା ରାସ୍ତା ନିର୍ମାଣ କରାଯାଇଛି। ପ୍ରତିଦିନ ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ପାର୍କ ଖୋଲାଯାଉଛି। ସହରବାସୀଙ୍କ ପାଇଁ ଏହା ପ୍ରମୁଖ ଭ୍ରମଣସାନ ପାଲଟିଥିଲା । ତେବେ ବର୍ତ୍ତମାନ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ମ୍ୟୁଜିକାଲ୍ ୱାଟର୍ ଫାଉଣ୍ଡେନ୍ ପାର୍କ ଖୋଲିବା ଦିନରୁ କାର୍ଯ୍ୟକ୍ଷମ ହୋଇନି। ସେଥିରୁ ମାସାଧିକ ସମୟ ଧରି ପାଣି ଜମି ନିଷ୍କାମନ ହେଉ ନଥିବାରୁ ଦୁର୍ଗନ୍ଧ ବାହାରୁଛି! ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଏବେ ଖତ ଖାଉଛି! ସେପଟେ ଦୋଳି ଗୁଡ଼ିକ ଛିଣ୍ଡି ପଡ଼ିଥିବା ବେଳେ ଭାଙ୍ଗି ପଡ଼ିଥିବା କ୍ରୀଡ଼ା ଉପକରଣ ଗୁଡ଼ିକର ମରାମତି ପାଇଁ ଏନ୍ଏସି ପ୍ରଶାସନର ନିଘା ନାହିଁ। ଆଗରୁ ମାସିକ ଲକ୍ଷାଧିକ ଟଙ୍କା ରାଜସ୍ବ ଆଦାୟ ହେଉଥିବା ବେଳେ ଗତ ଜାନୁଆରୀମାସରୁ ଏକ ମହିଳା ଏସ୍ଏର୍ଜିକୁ ଦୈନିକ ମାତ୍ର ୮୫୦ ଟଙ୍କାରେ ଭଡ଼ା ଆକାରରେ ଲିଜ ଆକାରରେ ଦିଆଯାଇଛି! ପାଞ୍ଚବର୍ଷ ବୟସରୁ ଅଧିକ ସମସ୍ତ ବର୍ଗର ଜନସାଧାରଣଙ୍କଠୁ ଭିନ୍ଧାରା ଦୈନିକ ୧୦ ଟଙ୍କା ପ୍ରବେଶଶୁକ୍ଳ ଆଦାୟ କରୁଛନ୍ତି। ରକ୍ଷଣାବେକ୍ଷଣ ଦାୟିତ୍ଵ କିନ୍ତୁ ପୌର ପ୍ରଶାସନ ହାତରେ ରହିଛି। ମାସିକ ଯେତେ ଟଙ୍କା ଆଦାୟ ହେଉଛି, ତା’ଠାରୁ ଅଧିକ ଏହାର ରକ୍ଷଣାବେକ୍ଷଣରେ ଖର୍ଚ୍ଚ ହେଉଛି! ସେହିପରି ଶୌଚାଳୟ ଅବସ୍ଥା ନକହିବା ଭଲ। ତୁରନ୍ତ ଏଦିଗରେ ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକ ବୋଲି ମତପ୍ରକାଶ ପାଇଛି।