ଯୋଡା,୨୮/୦୫ (ସଂଘର୍ଷ ରମେଶ) ଯୋଡା ବ୍ଲକ କଣ୍ଡରାସ୍ଥିତ କାନପୁର ବୃହତ ଜଳସେଚନ ପ୍ରକଳ୍ପରୁ ଦିନ ଦ୍ୱିପ୍ରହରରେ ଗ୍ୟାସ୍ କଟର ଲଗାଇ ବଡ ବଡ ଯନ୍ତ୍ରପାତି, ଲୋଡର ପକଲେନ୍, ଜେସିବି, ଟାଓା୍ୱର କ୍ରେନ, ହାଇୱା, ଟ୍ରାକ୍ଟର, ଟ୍ରାନ୍ଜିଟ୍ ମେସିନ୍,
ଡମ୍ପର ଗୁଡିକୁ ସଚଳ ଅବସ୍ଥାରେ କାଟି ଅଳିଆ ଲୁହାଦରରେ କବାଡିବାଲାକୁ ବିକ୍ରି କରିଦିଆଯାଉଥିବା ଦେଖିବାକୁ ମିଳିଛି । ୧୦ରୁ ଅଧିକ ଗ୍ୟାସ କଟର ଲଗାଇ ଦିନରାତି ଏହି ମେସିନ ସବୁକୁ କଟାଯାଉଛି । ପ୍ରକଳ୍ପ ନିକଟରେ କ୍ୟାମ୍ପଟି ଜାତୀୟ ରାଜପଥ ୫୨୦ କଡରେ ଅବସ୍ଥିତ ଥିବାବେଳେ ଦୈନିକ ୪ଟ୍ରକ ଲୁହା ଚମ୍ପୁଆ ଦେଇ ଜୟନ୍ତି ବାଟେ ଝାଡଖଣ୍ଡ ରାଜ୍ୟର ଜାମସେଦପୁରକୁ ଚୋରା ଚାଲାଣ କରାଯାଉଛିା ଖୋଲାଖୋଲି ଭାବେ ନିର୍ଭୟରେ ଏହି ଚୋରା କାରବାର ହେଉଥିବାବେଳେ ଏଥିରେ ବହୁ ବଡବଡିଆଙ୍କ ହାତ ଥିବା କୁହାଯାଉଛି । କୌଣସି କାଗଜ ପତ୍ର ନଥାଇ ଏହି ଚୋରା କାରବାର ଚାଲୁଥିବାବେଳେ ପ୍ରଶାସନର ନଜର କିପରି ପଡୁନାହିଁ ତାହା ସମସ୍ତଙ୍କୁ ଚକିତ କରିଛି । ଏହି ବାଟଦେଇ ପ୍ରଶାସନୀକ ଅଧିକାରୀମାନେ ଦୈନିକ ଯାତାୟତ କରୁଥିବାବେଳେ ପୁଲିସ, ପରିବହନ ବିଭାଗ, ଜିଏସଟି ଅଧିକାରୀ ଆଖିବୁଜିଦେବା ଫଳରେ ରାଜ୍ୟ ସରକାର ମଧ୍ୟ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହରାଉଥିବା ଜଣାପଡିଛି । ପ୍ରକଳ୍ପଟି ଅସମ୍ପୁର୍ଣ୍ଣ ରହିଥିବାବେଳେ ଏପରି ଲୁଟ୍ ଠିକାଦାରଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ଖବରରୁ ଜଣାପଡିଛି, ଏହି ପ୍ରକଳ୍ପଟିକୁ ହାଇଦ୍ରାବାଦର ଏସ୍ଇଡବଲୟୁ ଇମ୍ଫ୍ରାଷ୍ଟ୍ରକଚର ଲିମିଟେଡ୍ ନାମକ ଏକ ସଂସ୍ଥାର ମାଲିକ ଏସ୍ ପ୍ରାଭାକର ରାଓ ଠିକା କାର୍ଯ୍ୟ ତୁଲାଇ ଆସୁଥିଲେ । ତେବେ ପ୍ରକଳ୍ପଟିରେ କେତେକ ଅନିର୍ବାଜ୍ୟ କାରଣ ବଶତଃ ତାଙ୍କର କାର୍ଯ୍ୟଟି ବନ୍ଦ ଥିବା ବେଳେ ସ୍ୱାସ୍ଥ୍ୟଗତ କାରଣରୁ ସେ ପ୍ରତ୍ୟେକ୍ଷ ଭାବେ କ୍ୟାମ୍ପରେ ରହି ପାରିନଥିଲେ । ତାଙ୍କର ସୁରକ୍ଷା କର୍ମୀ କ୍ୟାମ୍ପଟିକୁ ଜଗି ରହିଥିବା ବେଳେ ଏହି କମ୍ପାନୀରେ ପୂର୍ବରୁ ମାନବ ସମ୍ବଳ ଅଧିକାରୀ ଭାବେ କାର୍ଯ୍ୟରତ ଶିବ ପ୍ରସାଦ ନାଏକ ନାମକ ଜଣେ ବ୍ୟକ୍ତି ଉକ୍ତ ସୁରକ୍ଷା କର୍ମୀ ମାନଙ୍କୁ ଭୟଭୀତ କରାଇ ବାହାର କରିଦେବା ସହ ଏହି ଯନ୍ତ୍ରାଂଶ ଗୁଡିକୁ ମାଲିକଙ୍କ ଅନୁପସ୍ଥିତିରେ ବିକ୍ରି କରି ଦେଉଛନ୍ତି । ଖବର ପାଇ ମାଲିକ ପ୍ରଭାକର ରାଓ ଏକ ଲିଖିତ ଏତଲା ଗତ ୧୬.୫.୨୦୨୪ରେ ଯୋଡା ଥାନାରେ ଦେଇଥିଲେ ମଧ୍ୟ ଏହାକୁ ଗ୍ରହଣ କରାଯାଇ ନାହିଁ । ବରଂ ଏହି ୧୦ ଦିନ ମଧ୍ୟରେ ୧୫ରୁ ଉଦ୍ଧ୍ୱର୍ ଟ୍ରକ ଲୁହା ଝାଡଖଣ୍ଡ ଚାଲାଣ କରିବାରେ ଶିବ ପ୍ରସାଦ ସଫଳ ହୋଇଛନ୍ତି । ପ୍ରଭାକର ରାଓ ତାଙ୍କ ଏତଲାରେ ତାଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ଦିଆଯାଉଥିବା ଲେଖିଥିଲେ ମଧ୍ୟ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ତେବେ ଜେଏଚ-୦୨ବିଏ-୨୪୭୪,ଜେଏଚ-୦୬ଇ-୪୯୧୧,ଜେଏଚ-୦୨ଏଡବ୍ଲୁ-୯୮୯୯ରେ ୧୦ ଦିନ ମଧ୍ୟରେ ଏହିସବୁ ଲୁହାଖଣ୍ଡ ବାହାରକୁ ଚାଲାଣ ହୋଇଥିବା ବେଳେ ସୋମବାର ୨୭.୫.୨୦୨୪ ତାରିଖରେ ଜେଏଚ-୦୨ବିଏ-୨୪୭୪ରେ ଆଉ ଏକ ଲୁହାପଥର ବୋଝେଇ ଟ୍ରକ ଝାଡଖଣ୍ଡ ଚାଲାଣ କରାଯାଇଥିବା ଦେଖାଯାଇଛି । ଶିବ ପ୍ରସାଦ ନାଏକ ତାଙ୍କର ଦରମା ବାକି ଥିବା କହି କୋଟି କୋଟି ଟଙ୍କା ମୂଲ୍ୟର ବଡ ବଡ ସଚଳ ମେସିନକୁ ଅଳିଆ ଲୁହା ଦରରେ କାଟି ବିକି କୋଟି କୋଟି ଟଙ୍କା ଆତ୍ମସାତ୍ କରୁଥିବା ବେଳେ ସଂସ୍ଥାର ମାଲିକ ତାଙ୍କର କୌଣସି ବକେୟା କମ୍ପାନୀ ଉପରେ ନଥିବା ସ୍ପଷ୍ଟ କରିବା ସହ ବରଂ ସେ କମ୍ପାନୀ ଠାରୁ କାର୍ଯ୍ୟ ନକରି ୩୨ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ କରିଛନ୍ତି । ବାରମ୍ବାର କାନପୁର ପ୍ରକଳ୍ପରେ ସ୍ଥାନୀୟ ଲୋକଙ୍କ ଆନେ୍ଦାଳନ,ଧର୍ମଘଟ,କାର୍ଯ୍ୟବନ୍ଦ ଯୋଗୁଁ କମ୍ପାନୀ କ୍ଷତିଗ୍ରସ୍ତ ହୋଇ ପଡିଥିବା ବେଳେ ଏହି କମ୍ପାନୀ ଅଧୀନରେ ପେଟି ଠିକାଦାର ଭାବେ କାର୍ଯ୍ୟ କରୁଥିବା କେତେକ ଠିକାସଂସ୍ଥା ମଧ୍ୟ ସେମାନଙ୍କର ବକେୟା ପାଇ ପାରୁନାହାଁନ୍ତି । ସରକାରଙ୍କ ଉପରେ ମୁଖ୍ୟ ଠିକାଦାରଙ୍କର ପ୍ରାୟ ୨୦ କୋଟି ଟଙ୍କାରୁ ଉଦ୍ଧ୍ୱର୍ ଟଙ୍କା ବକେୟା ରହିଥିବା ବେଳେ ଏହି ଅର୍ଥ ମିଳିଲେ ପେଟି ଠିକାଦାର ମାନଙ୍କୁ ସେମାନଙ୍କର ପ୍ରାପ୍ୟ ମିଳିବ ବୋଲି କମ୍ପାନୀ ସାନ୍ତ୍ୱନା ଦେଇଛି । ତେବେ ଯନ୍ତ୍ରପାତି ବିକ୍ରି କରିଦେବା ଫଳରେ କମ୍ପାନୀ ଏକ ଦେବାଳିଆ ଅବସ୍ଥାକୁ ଆସିଯାଇଥିବାରୁ ପେଟି ଠିକାଦାର ମାନେ ସେମାନଙ୍କର ପ୍ରାପ୍ୟ ପାଇବା ନେଇ ଏକପ୍ରକାର ଅନିଶ୍ଚିତତା ସୃଷ୍ଟି ହୋଇଛି । ଏହି ଅବୈଧ କାରବାରକୁ ପ୍ରଶାସନ ତୁରନ୍ତ ଅଙ୍କୁଶ ଲଗାଇବା ନିହାତି ଆବଶ୍ୟକ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।