ଯୋଡା, ୨ା୫ : (ସଂଘର୍ଷ ରମେଶ)କମଲଜିତ୍ ସିଂ ଆଲୁୱାଲିଆଙ୍କ ରୁଗୁଡି ଥାନା ଅନ୍ତର୍ଗତ ବରପଦା ଠାରେ ଥିବା କେଜେଏସ୍ ଷ୍ଟିଲ ଏଣ୍ଡ ପାୱାର ଲିଃ ନାମକ କାରଖାନାରେ ଆଉଥରେ ଏକ ବଡଧରଣର ବିସ୍ଫୋରଣ ଘଟିଛି । ଗୁରୁବାର ଅପରାହ୍ନରେ ଏହି କାରଖାନାର ଇଣ୍ଡକସନ ଫର୍ଣ୍ଣେସ ଫାଟିଯିବାରୁ ଏହି ବିସ୍ଫୋରଣ ହୋଇଥିବା ଜଣାପଡିଛି । ତେବେ ଏହି ବିସ୍ଫୋରଣରେ ତରଳ ଧାତୁ ଛିଟିକି କାର୍ଯ୍ୟରତ ୧୦ରୁ ଅଧିକ ଶ୍ରମିକ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ଥିବା ଜଣାପଡିଛି । ତେବେ ମୃତକଙ୍କ ସମ୍ବନ୍ଧରେ କୌଣସି ତଥ୍ୟ ମିଳିପାରିନଥିବା ବେଳେ କାରଖାନା ଭିତରକୁ କାହାରିକୁ ଛଡାଯାଉନାହିଁ । ଏପରିକି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମଧ୍ୟ କୌଣସି ତଥ୍ୟ ଦିଆଯାଇନଥିବା ବେଳେ ଆହତମାନଙ୍କ ମଧ୍ୟରେ ବାବୁ ଦାସ, ଦେବେନ୍ଦ୍ର ବାକଲାରି, ଛବିଳ ମୁଣ୍ଡା, ଶଙ୍କର ସୁରେନ, ସୁରଜ ଭୂୟାଁ, ଚନ୍ଦନ ହେମ୍ବ୍ରମ, ଦାମକରା ବଦ୍ରା, ବିଜୟ ସିଂ, ଜୁନ ଦାସ, ବାବୁ ଦାସ ବୋଲି ପ୍ରାଥମିକ ସୂଚନାରୁ ଜଣାପଡିଛି । ଏମାନେ ସମସ୍ତେ ଝାଡଖଣ୍ଡ, ବିହାର, ଓଡିଶାର ବୋଲି ଜଣାପଡିଛି । ଆହତ ଶ୍ରମିକମାନଙ୍କୁ ତୁରନ୍ତ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଗୁରୁତର ୩ଜଣଙ୍କୁ ଉଚ୍ଚ ଚିକିତ୍ସା ନିମନ୍ତେ କଟକ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି । ଏଠାରେ ସୂଚନା ଯୋଗ୍ୟ, ଏହି କାରଖାନାଟି ଦୀର୍ଘ ବର୍ଷ ଧରି ଅସୁରକ୍ଷିତ ଅବସ୍ଥାରେ ଚାଲିଆସୁଥିବା ବେଳେ ପ୍ରଶାସନିକ କୋହଳ ମନବୃତ୍ତି ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟି ଶ୍ରମିକଙ୍କ ମୃତୁ୍ୟ ଘଟୁଛି । ତେବେ କାରଖାନା ପ୍ରତି ଅଦ୍ୟାବଧି ଅଙ୍କୁଶ ଲାଗିପାରିନାହିଁ । ବାରମ୍ବାର ଦୁର୍ଘଟଣା ଯୋଗୁଁ ଏହି କାରଖାନା ନାମକୁ ବଦଳାଇ ପୁନଃର୍ବାର କାର୍ଯ୍ୟକ୍ଷମ କରାଯାଉଛି । ଏହି କାରଖାନାର ନାମ ପୂର୍ବରୁ ହିମା ଇସ୍ପାତ ରହିଥିବା ବେଳେ ପୂର୍ବ ଦୁର୍ଘଟଣା ପରେ ଏହାର ନାମ ପରିବର୍ତ୍ତନ କରାଯାଇଛି । ଗତ ଜାନୁୟାରୀ ମାସ ୩ ତାରିଖରେ ଏହି କାରଖାନାରେ ବ୍ଲାଷ୍ଟ ଫର୍ଣ୍ଣେସ ଫାଟିବା ଯୋଗୁଁ ୩ରୁ ଅଧିକ ମୃତାହତ ହୋଇଥିବା ଜଣାପଡିଥିଲା । ୨୦୧୩ ମସିହାରେ ଆଉଏକ ଘଟଣାରେ କାରଖାନାରେ ବ୍ରଏଲର ଫାଟି ୩ଜଣଙ୍କର ଶୋଚନୀୟ ମୃତୁ୍ୟ ଘଟିଥିଲା । ୧୦.୦୮.୨୦୧୭ରେ ଅନୁରୂପ ଏହି କାରଖାନାରେ କନଭେୟର ବେଲ୍ଟରେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତୁ୍ୟ ଘଟିଥିଲା । ୧୩.୧୦.୨୦୧୭ରେ ପୁନଃର୍ବାର ଏହି କାରଖାନାର ବ୍ଲାଷ୍ଟ ଫର୍ଣ୍ଣେସ ଫାଟି ୧୨ଜଣ ଆହତ ହୋଇଥିବା ବେଳେ ସେଥି ମଧ୍ୟରୁ ୪ଜଣଙ୍କର ମୃତୁ୍ୟ ଘଟିଥିବା ଜଣାପଡିଥିଲା । ବାରମ୍ବାର ଶ୍ରମିକମାନଙ୍କୁ ସୁରକ୍ଷା ଉପକରଣ ଯୋଗାଇ ଦିଆଯାଉନଥିବାରୁ ଏହି କାରଖାନାରେ ଦୁର୍ଘଟଣା ଘଟି ଶ୍ରମିକଙ୍କ ମୃତୁ୍ୟ ଘଟୁଥିବା ବେଳେ ଏ ନେଇ ଶ୍ରମିକମାନେ ସୁରକ୍ଷା ଉପକରଣ ଯୋଗାଇଦେବା ଦାବିରେ ଆନେ୍ଦାଳନ, ଧର୍ମଘଟମାନ କରିଆସୁଥିଲେ ମଧ୍ୟ କମ୍ପାନୀ ଏକ ମିଥ୍ୟ ପ୍ରତିଶ୍ରୁତି ଦେଇ ପ୍ରଶାସନୀକ ସ୍ଥରରେ ସେମାନଙ୍କ ସ୍ୱରକୁ ଚାପିଦେଉଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି । ସେମାନଙ୍କ ଅଭିଯୋଗ ମୁତାବକ ଦୀର୍ଘ ଦିନ ହେବ ସେମାନେ ଅସୁରକ୍ଷୀତ ଅବସ୍ଥାରେ କାର୍ଯ୍ୟ କରୁଥିବା ବେଳେ ସେମାନଙ୍କୁ କୌଣସି ସୁରକ୍ଷା ଉପକରଣ ଯୋଗାଇଦିଆଯାଉନାହିଁ । ସେଫ୍ଟି ହେଲମେଟ, ସେଫ୍ଟି ଜୋତା ଏବଂ ନିଆଁ ଧାଁସରୁ ବର୍ତ୍ତିବା ପାଇଁ ସୁରକ୍ଷା ଉପକରଣ ଦିଆଯାଉନଥିବା ବେଳେ ସେମାନଙ୍କୁ ଅସୁରକ୍ଷିତ ଅବସ୍ଥାରେ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଛି । ଦୈନିକ ୧୨ ଘଣ୍ଟାକୁ ଅଧିକ ସମୟ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଥିବା ବେଳେ ଶ୍ରମିକମାନଙ୍କ ସମସ୍ତ ଦାବିକୁ କମ୍ପାନୀ ଉପେକ୍ଷା କରିଆସୁଅଛି । ବାରମ୍ବାର ଏହିପରି ଦୁର୍ଘଟଣା ଘଟୁଥିବାରୁ ଫ୍ୟାକ୍ଟ୍ରି ଏଣ୍ଡ ବ୍ରଏଲର ସୁରକ୍ଷା ବିଭାଗ ପକ୍ଷରୁ ଏହି କାରଖାନାଟିକୁ ନାମକୁ ମାତ୍ର କିଛି ଦିନ ପାଇଁ ସିଲ୍ କରିଦିଆଯାଇଥିଲା । ତେବେ ଏହି ବିସ୍ଫୋରଣକୁ ନେଇ ଫ୍ୟାକ୍ଟ୍ରି ଏଣ୍ଡ ବ୍ରଏଲର ସୁରକ୍ଷା ବିଭାଗର ଡେପୁଟି ଡାଇରେକ୍ଟର ଉମେଶ ଚନ୍ଦ୍ର ସୁତାରଙ୍କ ସହ ଯୋଗାଯୋଗ କରିବାରୁ ସେ ଫୋନ ଗ୍ରହଣ କରିନଥିଲେ । ତେବେ ଏହି କାରଖାନାକୁ ବିଧାନସଭା ଗୃହ କମିଟି ସଦସ୍ୟମାନେ ସମୟ ବ୍ୟବଧାନରେ ଘନ ଘନ ପରିଦର୍ଶନରେ ଆସିଥିଲେ ମଧ୍ୟ ଏହାର କୌଣସି ସୁଫଳ ଶ୍ରମିକମାନେ ପାଇପାରିନାହାନ୍ତି ।