ଯୋଡ଼ା ୧୬/୦୩ (ସଂଘର୍ଷ ରମେଶ) କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ବଡ଼ବିଲ ଥାନା, ଏନ୍ ଏଚ୍ ୫୨୦ ଭଦ୍ରାସାହି ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଆଜି ମଧ୍ୟାହ୍ନ ସମୟରେ ବୈଷ୍ଣଦେବୀ ନାମକ ଯାତ୍ରୀବାହୀ ବସ ଯୋଡ଼ାରୁ ବଡ଼ବିଲ ଅଭିମୁଖେ ଆସୁଥିଲା । ତେବେ ବସଟି ରୋଇଡ଼ା ଛକ ଠାରୁ ରାସ୍ତାର ବାମ ପାର୍ଶ୍ୱରେ ନଯାଇ ଡାହାଣ ପଟ ରାସ୍ତା ଦେଇ ଅର୍ଥାତ୍ ଏନ୍ ଏଚ୍ ରେ ରଙ୍ଗ ରୁଟରେ ଆସୁଥିବାବେଳେ ବିପରୀତ ଦିଗରୁ ଆସୁଥିବା ଏକ ଲୁହାପଥର ବୋଝେଇ ଟ୍ରେଲର ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଧକା ହେବା ପରେ ଉଭୟ ଟ୍ରେଲର ଓ ବସ୍ ରାସ୍ତା କଡ଼ରେ ଥିବା ଏକ ଟାୟାର ଦୋକାନ ପଟକୁ ମାଡ଼ିଯାଇଥିଲା । ଦୁର୍ଘଟଣାରେ ବସ୍ ଡ୍ରାଇଭର ସମେତ ୧୦ରୁ ଅଧି ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରି ତୁରନ୍ତ ବଡ଼ବିଲ ମେଡ଼ିକାଲକୁ ନିଆଯାଇଛି । ଆହତଙ୍କ ମଧ୍ୟରୁ ୩ ଜଣ ଗୁରୁତର ଥିବା ଜଣାପଡିଛି । ଘଟଣା ସ୍ଥଳରେ ପୋଲିସ ଓ ପରିବହନ ବିଭାଗ ଅଧିକାରୀ ପହଞ୍ଚିଛନ୍ତି । ତେବେ ବଡ଼ବିଲ ସହରକୁ ସକାଳ ୮ ଟା ଠାରୁ ଦିନ ଦୁଇଟା ପର୍ଯ୍ୟନ୍ତ ଭାରି ଯାନ ଗୁଡ଼ିକ ପାଇଁ ନୋ ଏଣ୍ଟ୍ରି ରହୁଥିବା କାରଣରୁ ଏନ୍ ଏଚ୍ ୫୨୦ ଭାଦ୍ରାସାହି ଛକ ନିକଟରେ ଟ୍ରେଲର ଓ ଟ୍ରକ୍ ଗୁଡ଼ିକ ରାସ୍ତା କଡ଼ରେ ଛିଡ଼ା କରିଥାଆନ୍ତି, ଯାହାଫଳରେ ଜାମ୍ ଲାଗିଥାଏ । ତେଣୁ ବସ୍ କିମ୍ବା ଚାରି ଚକିଆ ଯାନ ଗୁଡ଼ିକ ଅଧିକାଂଶ ସମୟରେ ରଙ୍ଗ୍ ରୁଟରେ ଯିବାକୁ ବାଧ୍ୟ ହୁଅନ୍ତି ଓ ଅନେକ ସମୟରେ ଏହା ଦୁର୍ଘଟଣାର କାରଣ ହୋଇଥାଏ ।