ତ୍ରିିବେଣୀ ଅମାବାସ୍ୟା ଦେବୀ ବିରଜାଙ୍କ ର ଆବିର୍ଭାବ ଦିବସ। ସେ ‘ଅଯୋନିଜା’, ଅର୍ଥାତ୍ ସେ କାହାରି ଗର୍ଭସଂଭୂତା ନୁହନ୍ତି। ସେ ସଂପର୍କରେ ଅନେକ କିଂବଦନ୍ତି ଓ ପୌରାଣିକ ଉପାଖ୍ୟାନ ଅଛି। ଯାଜପୁରର ଅନ୍ୟନାମ ଯାଜିପୁର ବା ଯଜ୍ଞପୁର। କଥିତ ଅଛି, ଯେ ବ୍ରହ୍ମା ଏଠାରେ ଯଜ୍ଞ କରିଥିଲେ ଏବଂ ତାହା ଫଳରେ ଏହା ହୋଇଥିଲା ବିରଜାତୀର୍ଥ ଓ ଦେବୀ ବିରଜାଙ୍କ କ୍ଷେତ୍ର। ‘ମହାଭାରତ’ ଓ ‘ବ୍ରହ୍ମାଣ୍ଡ ପୁରାଣ’ରେ ଏ ସଂପର୍କରେ ବର୍ଣ୍ଣନା ମିଳେ। ବ୍ରହ୍ମାଣ୍ଡ ପୁରାଣ ଅନୁସାରେ, ବ୍ରହ୍ମାଙ୍କ ଯଜ୍ଞକୁଣ୍ଡର ଗାର୍ହପତ୍ୟ ଅଗ୍ନିରୁ ଆବିର୍ଭୂତ ହୋଇଥିଲେ ଦେବୀ ବିରଜା। ଅନ୍ୟ ଚାରି ଅଗ୍ନିରୁ ଈଶାନେଶ୍ୱର ଓ ଅନ୍ୟ ଦେବଗଣଙ୍କର ଆବିର୍ଭାବ ଘଟିଥିଲା
ଏକଦା ଦେବୀ ବିରଜାଙ୍କ ନାମରେ ଓଡ଼ିଶାର ଏକାଂଶ ‘ବିରଜା ମଣ୍ଡଳ’ ରୂପେ ପ୍ରସିଦ୍ଧ ଥିଲା। ପରବର୍ତ୍ତୀ କାଳରେ ଶ୍ରୀଜଗନ୍ନାଥଙ୍କ ନାମରେ ଅନ୍ୟ ଏକ ଅଂଶ ‘ଜଗନ୍ନାଥ ମଣ୍ଡଳ’ ରୂପେ ପ୍ରସିଦ୍ଧି ଲାଭ କଲା।
‘ମହାଭାରତ’ରେ ଥିବା ବର୍ଣ୍ଣନା ଅନୁସାରେ, ବୈତରଣୀ ନଦୀ ତୀରରେ ବ୍ରହ୍ମା ଯେଉଁଠାରେ ଯଜ୍ଞ କରିଥିଲେ, ତାହା ଥିଲା ବ୍ରାହ୍ମଣ ଓ ମୁନି ଋଷିଙ୍କର ବସତି। ଯଜ୍ଞର ପ୍ରଧାନ ଆଚାର୍ଯ୍ୟ ଥିଲେ କଶ୍ୟପ ମୁନି। ତାଙ୍କୁ ଦକ୍ଷିଣାରୂପେ ପୃଥ୍ୱୀଦେବୀଙ୍କୁ ଦେବାପାଇଁ ବ୍ରହ୍ମା ଇଚ୍ଛା କରିବାରୁ, ପୃଥ୍ୱୀଦେବୀ କୁପିତା ହେଲେ। ତାହା ଦେଖି କଶ୍ୟପମୁନି ତାଙ୍କୁ ବିନୀତ ଓ ଭକ୍ତିପୂତ ଭାବରେ ପ୍ରାର୍ଥନା କଲେ। ଫଳରେ ସେ ଶାନ୍ତ ହୋଇ ମାତୃରୂପରେ ତାଙ୍କ ଆଗରେ ଆବିର୍ଭୂତ ହେଲେ। ସେହି ମାତୃଦେବୀ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ବିରଜା ବୋଲି ତତ୍ତ୍ୱବିତ୍ମାନଙ୍କର ମତ।
ଏହି ଦେବୀ ବିରଜାଙ୍କ ପାଇଁ ଯାଜପୁର ବିରଜାକ୍ଷେତ୍ର ରୂପେ ବିଦିତ। ଏକଦା ଦେବୀ ବିରଜାଙ୍କ ନାମରେ ଓଡ଼ିଶାର ଏକାଂଶ ‘ବିରଜା ମଣ୍ଡଳ’ ରୂପେ ପ୍ରସିଦ୍ଧ ଥିଲା। ପରବର୍ତ୍ତୀ କାଳରେ ଶ୍ରୀଜଗନ୍ନାଥଙ୍କ ନାମରେ ଅନ୍ୟ ଏକ ଅଂଶ ‘ଜଗନ୍ନାଥ ମଣ୍ଡଳ’ ରୂପେ ପ୍ରସିଦ୍ଧି ଲାଭ କଲା। ଆମର ଆଜିର ଓଡ଼ିଶାର ପ୍ରାଚୀନ ନାମ ଓଡ଼୍ରଦେଶ ବା ଉଡ଼୍ଡ଼ୀୟାନ। ଏହା ଆମର ଏହି ସୁପ୍ରାଚୀନ ଭୂଖଣ୍ଡର ଏକ ପ୍ରମୁଖ ପରିଚିତି। ଏ ପରିଚିତି ହୋଇଛି ଦେବୀ ବିରଜା ଓ ଶ୍ରୀଜଗନ୍ନାଥଙ୍କୁ ନେଇ। ସେଥିପାଇଁ ମହୋଦଧିରେ ସ୍ନାନ ଓ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ଯେପରି ପରମ ପୁଣ୍ୟପ୍ରଦ; ସେହିପରି, ବୈତରଣୀରେ ସ୍ନାନ ଓ ଦେବୀ ବିରଜାଙ୍କ ଦର୍ଶନ ପରମ ପୁଣ୍ୟପ୍ରଦ। ତ୍ରିବେଣୀ ଅମାବାସ୍ୟା ତଥା ଦେବୀ ବିରଜାଙ୍କ ଆବିର୍ଭାବ ଦିବସରେ, ଆମର ଏ ମୂଳ ପରିଚିତିକୁ ଆମେ ସ୍ମରଣ କରିବା ଉଚିତ, ଯାଜପୁର ରୁ ଶିବ କେତନ ମହାନ୍ତି ଙ୍କ ରିପୋର୍ଟ