୨୦୨୩ର ଶ୍ରେଷ୍ଠ ଏସିପି ଭାବେ ହିମାଂଶୁ ଭୂଷଣ ସ୍ବାଇଁ, ଆଇଆଇସି ପ୍ରକାଶ ମାଝୀ, ଏସ୍ଆଇ ନୀରଂଜନ ଭୋଇ, ହାବିଲ୍ଦାର ଲଳିତ କୁମାର ଦାସ, ଟ୍ରାଫିକ୍ କନ୍ଷ୍ଟେବଳ ଶ୍ରାବଣୀକା ପ୍ରଧାନ ଓ ହୋମ୍ଗାର୍ଡ ସସ୍ମିତା ଦାସ ପୁରସ୍କୃତ
ମହିଳାଙ୍କ ସୁରକ୍ଷା ମୋ’ ସରକାରର ପ୍ରମୁଖ ପ୍ରାଥମିକତା। ତେଣୁ ଏ ବାବଦରେ ପୁଲିସ ସମ୍ବେଦନଶୀଳ ଓ ସହାନୁଭୂତି ସହ କାମ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି। ଆଜି ୭ମ ବାଟାଲିୟନରେ ଅନୁଷ୍ଠିତ କମିସନରେଟ୍ ପୁଲିସର ୧୬ତମ ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ପୀଡ଼ିତାଙ୍କ ମଧ୍ୟରେ ଆତ୍ମବିଶ୍ବାସ ସୃଷ୍ଟି କରିବା ଦିଗରେ ପୁଲିସ କାର୍ଯ୍ୟ କରିବା ଆବଶ୍ୟକ। ସେହିପରି ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ବୈଷୟିକ ଜ୍ଞାନକୌଶଳ ଉପରେ ଗୁରୁତ୍ବ ଦେବାକୁ ସେ ପରାମର୍ଶ ଦେଇ ସେଥିପାଇଁ ସମସ୍ତ ଭିତ୍ତିଭୂମି ଯୋଗାଇଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। କମିସନରେଟ୍ ପୁଲିସ ଯେଭଳି ଦେଶର ଶ୍ରେଷ୍ଠ ପୁଲିସ ବ୍ୟବସ୍ଥା ହେବ, ସେ ଦିଗରେ କାର୍ଯ୍ୟ କରିବାକୁ ସେ ଉତ୍ସାହିତ କରିଥିଲେ। ଲୋକଙ୍କ ସହ ଯୋଡ଼ିହେବା ପାଇଁ ‘ବସ୍ତିକୁ ଚାଲ’ ଭଳି କମିସନରେଟ୍ ପୁଲିସର ଏକାଧିକ କାର୍ଯ୍ୟକ୍ରମକୁ ସେ ପ୍ରଶଂସା କରିଥିଲେ।
ଉତ୍ସବରେ ପୁଲିସ ମହାନିର୍ଦେଶକ ଅରୁଣ ଷଡ଼ଙ୍ଗୀ ଯୋଗଦେଇ କହିଥିଲେ, କମିସନରେଟ୍ ପୁଲିସ ମୁଖ୍ୟମନ୍ତ୍ରୀଙ୍କ ମାନସ ସନ୍ତାନ। ଯେଉଁଦିନ ଅର୍ବାନ ପୁଲିସ ବିଲ୍ର ଆଲୋଚନା ହେଲା, ସେଦିନ ମୁଖ୍ୟମନ୍ତ୍ରୀ ରାତିରୁ ସକାଳ ଯାଏ ଅପେକ୍ଷା କରିଥିଲେ। କମିସନରେଟ୍ ପୁଲିସ ଗଠନରୁ ଏପର୍ଯ୍ୟନ୍ତ ୧୬ବର୍ଷ ମଧ୍ୟରେ ଏହା ବହୁ ଆହ୍ବାନକୁ ସଫଳତାର ସହ ସାମ୍ନା କରି ନିଜକୁ ଦେଶର ଅନ୍ୟତମ ଶ୍ରେଷ୍ଠ କମିସନରେଟ୍ ପୁଲିସ ଭାବେ ପ୍ରତିପାଦନ କରିଛି ବୋଲି ଶ୍ରୀ ଷଡ଼ଙ୍ଗୀ କହିଥିଲେ। ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ କମିସନରେଟ୍ ପୁଲିସ କିଭଳି ଲୋକାଭିମୁଖୀ ହୋଇପାରିଛି, ଅପରାଧ ନିୟନ୍ତ୍ରଣ ଓ ଅପରାଧୀଙ୍କୁ ଦମନ କ୍ଷେତ୍ରରେ କେତେ ସଫଳତା ହାତେଇଛି, ସେ ପ୍ରସଙ୍ଗରେ ନିଜ ମତ ରଖିଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଇ-ଆବେଦନ ପୋର୍ଟାଲ ଓ ୟୁସିସିସି (ୟୁନିଫାଏଡ୍ କମାଣ୍ଡ ଓ କଣ୍ଟ୍ରୋଲ ସିଷ୍ଟମ)ର ଶୁଭାରମ୍ଭ କରିଥିଲେ। ଏହି ପୋର୍ଟାଲ ଦ୍ୱାରା ଘରେ ବସି ୧୯ଟି ଲାଇସେନ୍ସ ପାଇଁ ଆବେଦନ କରିହେବ। ଉତ୍ସବରେ କମିସନରେଟ୍ ପୁଲିସର ୬ଜଣ ଶ୍ରେଷ୍ଠ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରଦାନ କରିଥିଲେ। ୨୦୨୩ର ଶ୍ରେଷ୍ଠ ଏସିପି ଭାବେ ହିମାଂଶୁ ଭୂଷଣ ସ୍ବାଇଁ, ଆଇଆଇସି ପ୍ରକାଶ ମାଝୀ, ଏସ୍ଆଇ ନୀରଂଜନ ଭୋଇ, ହାବିଲ୍ଦାର ଲଳିତ କୁମାର ଦାସ, ଟ୍ରାଫିକ୍ କନ୍ଷ୍ଟେବଳ ଶ୍ରାବଣୀକା ପ୍ରଧାନ ଓ ହୋମ୍ଗାର୍ଡ ସସ୍ମିତା ଦାସ ପୁରସ୍କୃତ ହୋଇଥିଲେ। କାର୍ଯ୍ୟକ୍ରମରେ ଡିସିପି ପ୍ରତୀକ ସିଂହ, ଡିସିପି ପୀନାକ ମିଶ୍ରଙ୍କ ସମେତ ବହୁ ବରିଷ୍ଠ ଆଇପିଏସ୍, ସମସ୍ତ ଏଡିସିପି, ଏସିପି ଓ ଆଇଆଇସି ପ୍ରମୁଖ ଯୋଗଦେଇଥିଲେ,ଭୁବନେଶ୍ୱର ରୁ ଶିବ କେତନ ମହାନ୍ତି ଙ୍କ ରିପୋର୍ଟ