ଘନ କୁହୁଡ଼ିରେ ଘୋଡେଇ ହୋଇଛି ଶ୍ରୀମନ୍ଦିର, ଦୃଶ୍ୟମାନ ହେଉନି ନୀଳଚକ୍ର
ରାଜ୍ୟରେ ବିଭିନ୍ନ ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳିଥିଲା ବେଳେ ଶ୍ରୀକ୍ଷେତ୍ର ମଧ୍ୟ ଘନ କୁହୁଡିରେ ଆଚ୍ଛାଦିତ ହୋଇଛି । ଘନ କୁହୁଡି ଯୋଗୁଁ ଦୀର୍ଘ ସମୟ ଧରି ନିଳଚକ୍ର ଦର୍ଶନରୁ ବଞ୍ଚିତ ଭକ୍ତ ଓ ଦର୍ଶନାର୍ଥି। ରାଧାବଲ୍ଲଭ ମଠ ନିକଟ ନିଷିଦ୍ଧାଞ୍ଚଳ ବାହାରୁ ପତିତପାବନଙ୍କୁ ଦର୍ଶନ କରୁଥିବା ଭକ୍ତ ମାନଙ୍କ ଦର୍ଶନରେ ସମସ୍ଯା ଉପୁଜିଛି । ପ୍ରାୟ ୧୦ କିଲୋମିଟର ଦୂରରୁ ପତିତପାବନ ଦୃଶ୍ୟ ମାନ ହେଉଥିବାରୁ ଦୂରରେ ରହୁଥିବା ଗ୍ରାମବାସୀ ମାନେ ଦୀର୍ଘ ସମୟ ନିଳଚକ୍ର ଦର୍ଶନ କରି ପାରିନଥିଲେ। ବଡ଼ଦାଣ୍ଡରେ କୁହୁଡି ଯୋଗୁ ଗାଡି ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା । ବଡଦାଣ୍ଡରେ ଲାଇଟ୍ ଲଗାଇ ଗାଡି ଚଳାଚଳ କରୁଥିଲା। ଦିନ ୮ଟା ପରେ ବି ଘନକୁହୁଡି ଯୋଗୁ ସୂର୍ଯ୍ୟ ଫିକା ଦିଶୁଥିଲେ। ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଆସିଥିବା ଶ୍ରଦ୍ଧାଳୁ ନୀଳଚକ୍ର ଦର୍ଶନ କରିପାରିନଥିବାରୁ ଦୁଃଖ ପ୍ରକାଶ କରିଛନ୍ତି । ସଖାଳ ୮ଟା ପରେ ମଧ୍ୟ ସୂର୍ଯ୍ୟଙ୍କ କିରଣ ପଡୁନଥିବାରୁ ଅନେକ ଶ୍ରଦ୍ଧାଳୁ ଅପେକ୍ଷା କରି ରହିଛନ୍ତି ନୀଳଚକ୍ରକୁ ଦର୍ଶନ କରିବା ପାଇଁ । ଘନ କୁହୁଡିର ସମସ୍ୟା କେବେଳ ଶ୍ରୀକ୍ଷେତ୍ର ପୁରୀ ନୁହେଁ ରାଜ୍ୟର ବିଭିନ୍ନ ସହରରେ ଦେଖିବାକୁ ମିଳିଛି । ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ସମାନ ସ୍ତିତି ଦେଖିବାକୁ ମିଳିଛି । ସଖାଳ ୯ଟା ପର୍ଯ୍ୟନ୍ତ ମଧ୍ୟ କୁହୁଡି ଦେଖିବାକୁ ମିଳିଛି । ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ସ୍ଥାନରେ ଘନକୁହୁଡି ଯୋଗୁ ଗାଡି ଚଳାଚଳରେ ବାଧା ଉପୁଜିଛି ।