କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତରେ ଯାଇଥିବା ବେଳେ ଜଣେ ମହିଳାଙ୍କ ଅନୁରୋଧ ରକ୍ଷା କରି ତାଙ୍କ ଭଙ୍ଗାଘରକୁ ଯାଇଥିଲେ ରାଜ୍ୟପାଳ ରଘୁବର ଦାସ । ଘରର ଦୟନୀୟ ସ୍ଥିତି ଦେଖି ସେ ଆଶ୍ଚର୍ଯ୍ୟ ହେବା ସହ ତୁରନ୍ତ ଘର ଖଣ୍ଡେ ପାଇଁ ସହାୟତା ଯୋଗାଇ ଦେବାକୁ #ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆଉ ରାଜ୍ୟପାଳଙ୍କ ଏପରି ଆଭିମୁଖ୍ୟ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଭଙ୍ଗା କାନ୍ଥ, ଉଡିଯାଇଛି ଛପର । ନାଁକୁ ମାତ୍ର ପଡିଛି ପାଲ । ଖରାଦିନେ ଅସହ୍ୟ ଖରା, ବର୍ଷାଦିନେ ପ୍ରବଳ ବର୍ଷା, ଶୀତଦିନେ ହାଡ଼ଭଙ୍ଗା ଶୀତରେ ନିରୁପାୟ ହୋଇ ରହି ଆସୁଛନ୍ତି ସସ୍ମିତା ତ୍ରିପାଠୀଙ୍କ ପରିବାର । ଗରିବ ଲୋକଙ୍କୁ ପକ୍କା ଘର ଯୋଗାଇ ଦେବାକୁ ଯୋଜନା ହୋଇଛି । ଶ୍ରେୟ ନେବା ପାଇଁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ପ୍ରତିଯୋଗିତା ଚାଲିଛି । ହେଲେ ଘର ଖଣ୍ଡିଏ ପାଇଁ ପ୍ରଶାସନ ନିକଟରେ ବାରମ୍ବାର ଗୁହାରି କରି ନିରାଶ ହୋଇଛନ୍ତି ସସ୍ମିତା । ସ୍ୱାମୀ ଭାଗଚାଷ କରି ଗୁଜରାଣ ମେଣ୍ଟାଉଥିବା ବେଳେ ୨ ପିଲା ଓ ଶାଶୁଙ୍କୁ ଧରି ଅତି ଦୟନୀୟ ସ୍ଥିତିରେ ରହି ଆସୁଛନ୍ତି ସସ୍ମିତାଙ୍କ ପରିବାର ।