ଯୋଡ଼ା :୩୦/୧୨:(ସଂଘର୍ଷ ରମେଶ): କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ମଣ୍ଡଳ ବଡ଼ବିଲ ତହସିଲ ଅନ୍ତର୍ଗତ ଟଣ୍ଟୋ ଗ୍ରାମରେ ଅବସ୍ଥିତ ନର୍ଭେରାମ ପାୱାର ଏଣ୍ଡ ଷ୍ଟିଲ ପ୍ରାଇଭେଟ୍ ଲିମିଟେଡ କମ୍ପାନୀ ପକ୍ଷରୁ ଗ୍ରାଇଡିଙ୍ଗି ଓ ପିଲେଟ ପ୍ଲାଣ୍ଟ ସ୍ଥାପନା ନିମନ୍ତେ ଆଜି ଶନିବାର ସକାଳ ୧୧ ଘଟିକା ସମୟରେ ଭଦ୍ରାସାହି ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏକ ଗ୍ରାମ ସଭା ଅନୁଷ୍ଠିତ ହୋଇଯାଇଛି । କମ୍ପାନୀ ଟଣ୍ଟୋ ଗ୍ରାମରେ ଏକ ୨ ଏମ.ଟି.ପି.ଏ ଆଇରନ ଓର ପିଲେଟ ଓ ଗ୍ରାଇଣ୍ଡିଂ ପ୍ଲାଣ୍ଟ ସ୍ଥାପନ ନିମନ୍ତେ ଆବଶ୍ୟକୀୟ ଜମି ମଧ୍ୟରେ ଥିବା ୧୯.୨୪ ଏକର ପଟ୍ଟା ଜମି ଅଧିଗ୍ରହଣ ନିମନ୍ତେ ପ୍ରଥମ ପର୍ଯ୍ୟାୟ ଗ୍ରାମ ସଭା ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ସଭାଟିକୁ ଭଦ୍ରାସାହି ସରପଞ୍ଚ ପ୍ରମିଳା ନାଏକ ସଭାପତିତ୍ୱ କରିଥିବା ବେଳେ ପଦ୍ମଶ୍ରୀ ଡା.ତୁଳସୀ ମୁଣ୍ଡା , କେନ୍ଦୁଝର ସ୍ୱତନ୍ତ୍ର ଭୁ-ଅର୍ଜନ ଅଧିକାରିଣୀ ଅନିତା ନାଏକ , ବଡ଼ବିଲ ତହସିଲଦାର ବି.ଏସ.ଶୁଭଦର୍ଶୀ ଯୋଶୀ, ଯୋଡ଼ା ବ୍ଲକ ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ,ସମିତିସଭ୍ୟ ଜୁଲୁ ପାତ୍ର,ନାଏବ ସରପଞ୍ଚ ସୁରେଶ ମୁଣ୍ଡା ପ୍ରମୁଖ ଉପସ୍ଥିତ ଥିବା ଦେଖିବାକୁ ମିଳିଛି । ଏହି ସଭାରେ ଟଣ୍ଟୋ ଗ୍ରାମର ଶତାଧିକ ଗ୍ରାମବାସୀ ଅଂଶ ଗ୍ରହଣ କରିଥିବା ବେଳେ ପ୍ରାୟ ୬୫ ଜଣ ନିଜ ନିଜର ମତ ରଖିଥିଲେ । କମ୍ପାନୀ ଜମି ଅଧିଗ୍ରହଣ ପାଇଁ କିଛି ସ୍ଥାନୀୟ ବାସିନ୍ଦା ବିରୋଧ କରିଥିବା ବେଳେ ଅନ୍ୟ କିଛି ବ୍ୟକ୍ତି ସର୍ତ୍ତ ମୂଳକ ସମର୍ଥନ ଦେଇଥିଲେ । କମ୍ପାନୀ ପିଲେଟ ପ୍ଲାଣ୍ଟ ସ୍ଥାପନ କରିବା ଦ୍ୱାରା ଟଣ୍ଟୋ ଗ୍ରାମର ଅନେକ ବାସିନ୍ଦା ଭିଟାମାଟି ହରାଇବା ସହିତ ରୋଜଗାର ହରାଇବାର ସମ୍ଭାବନା ରହିଛି । କମ୍ପାନୀ କର୍ତ୍ତୃପକ୍ଷ ଏଥିପ୍ରତି ନଜର ଦେବା ସହିତ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ,ଗମନାଗମନ ତଥା କ୍ଷତିଗ୍ରସ୍ତ ପ୍ରଜା ମାନଙ୍କୁ ଉକ୍ତ କମ୍ପାନୀରେ ସ୍ଥାୟୀ ନିଯୁକ୍ତି ଦେବାକୁ ସ୍ଥାନୀୟ ବାସିନ୍ଦା ଅଧିକାରୀ ମାନଙ୍କ ମାଧ୍ୟମରେ ନିବେଦନ କରିଥିଲେ । ପରିଶେଷରେ କମ୍ପାନୀର ଉପସଭାପତି ସଦାନନ୍ଦ ରଣା ଉପସ୍ଥିତ ସମସ୍ତ ଗ୍ରାମବାସୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ କ୍ଷତିଗ୍ରସ୍ତ ଗ୍ରାମବାସୀ ମାନଙ୍କୁ ସମସ୍ତ ମୌଳିକ ସୁବିଧା,ପ୍ରତ୍ୟେକ୍ଷ ଓ ପରୋକ୍ଷରେ ରୋଜଗାର ଯୋଗାଇଦେବା ଓ ଗ୍ରାମ ଗୁଡିକର ଉନ୍ନତି ନିମନ୍ତେ ଉଚିତ ପଦକ୍ଷେପ ଗ୍ରହଣ କରିବା କମ୍ପାନୀର କର୍ତ୍ତବ୍ୟ ବୋଲି କହିଥିଲେ । ଉକ୍ତ କମ୍ପାନୀ ପିଲେଟ ପ୍ଲାଣ୍ଟ ସ୍ଥାପନ ନିମନ୍ତେ କମ୍ପାନୀକୁ ଆବଶ୍ୟକ ଜମି ଯୋଗାଇବା ସରକାରଙ୍କ କର୍ତ୍ତବ୍ୟ ହୋଇଥିବାରୁ ଯେଉଁ ହିତାଧିକାରୀ ମାନଙ୍କର ଜମି ସରକାର ଅଧିଗ୍ରହଣ କରିବାକୁ ଯାଉଛନ୍ତି ସେହି ଜମିର ପ୍ରକୃତ ମୂଲ୍ୟ ଠାରୁ ଅଢେ଼ଇ ଗୁଣା ଦିଆଯିବ ବୋଲି ଭୁ- ଅର୍ଜନ ଅଧିକାରିଣୀ ଅନିତା ନାଏକ କହିଥିଲେ ।