ପଶ୍ଚିମ ଓଡ଼ିଶାରେ ଜୋରଦାର ହୋଇଛି ଭାଷା ଆନ୍ଦୋଳନ। ସମ୍ବଲପୁରୀ କୋଶଲି ଭାଷାକୁ ସରକାରୀ ଭାଷାର ମାନ୍ୟତା ଦେବା ଦାବିରେ ଆନ୍ଦୋଳନକୁ ଜୋରଦାର କରିଛି ପଶ୍ଚିମାଞ୍ଚଳ ପିପୁଲସ ଫୋରମ। ଡିସେମ୍ବର ୨୨ ତାରିଖ ବରଗଡ଼ ଜିଲ୍ଲା ନୃସିଂହନାଥ ମନ୍ଦିରରୁ ଭାଷା ସଂସ୍କୃତି ସ୍ୱାଭିମାନ ଶୋଭାଯାତ୍ରା ବାହାରିଥିଲା। ଏହା ୨୭ ତାରିଖ ଯାଏ ଚାଲିବ। ଏହି ଶୋଭଯାତ୍ରା ବିଭିନ୍ନ ଗାଁ ଓ ସହର ବୁଲି ଆଜି ବଲାଙ୍ଗିର ଠାରେ ପହଞ୍ଚିଛି। କୋଶଲି ଭାଷା ମାନ୍ୟତା ଦାବି ପାଇଁ ହେଉଥିବା ଏହି ସ୍ୱାଭିମାନି ଶୋଭାଯାତ୍ରାରେ ସାମିଲ ହୋଇ ଗାଁରୁ ଗାଁ ବୁଲୁଛନ୍ତି ସିନେ ଅଭିନେତା ମନୋଜ ମିଶ୍ର। ତାଙ୍କ ସହ ଶତାଧିକ ଲୋକ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି।
ଏହି ଆନ୍ଦୋଳନକୁ କଂଗ୍ରେସ ଓ ବିଜେପି ବିଧାୟକ ଖୋଲାଖୋଲି ସମର୍ଥନ କରିଛନ୍ତି। ସରକାର ତୁରନ୍ତ କୋଶଲି ଭାଷାକୁ ସରକାରୀ ମାନ୍ୟତା ଦିଅନ୍ତୁ ବୋଲି ଦୁଇ ଦଳର ବିଧାୟକ ମତ ରଖିଛନ୍ତି। ଶୋଭାଯାତ୍ରାରେ ସାମିଲ ଥିବା ଆନ୍ଦୋଳନକାରୀଙ୍କୁ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ସମର୍ଥନ ଜଣାଇଛନ୍ତି। ସେହିପରି ପାଟଣେଶ୍ୱରୀ ମନ୍ଦିର ଠାରେ ଲୋଇସିଂହା ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ଆନ୍ଦୋଳନକାରୀଙ୍କୁ ପୁଷ୍ପମାଲ୍ୟା ଦେଇ ସମର୍ଥନ କରିଛନ୍ତି।
ଭୁବନେଶ୍ୱର ରୁ ଶିବ କେତନ ମହାନ୍ତି ଙ୍କ ରିପୋର୍ଟ